ଆରମ୍ଭରୁ ଅବ୍ୟବସ୍ଥା: ମଣ୍ଡି ଖୋଲିଲା, ଟୋକନ ଆସି ନଥିବାରୁ ଚିନ୍ତାରେ ଚାଷୀ

1 min read

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଆରମ୍ଭ ହୋଇଛି ଧାନକିଣା । ହେଲେ ଆରମ୍ଭରୁ ଦେଖିବାକୁ ମିଳିଛି ଅବ୍ଯବସ୍ଥା । ମଣ୍ଡି ଖୋଲି ବସିଛନ୍ତି କର୍ମଚାରୀ । ହେଲେ ଟୋକନ ଆସି ନଥିବାରୁ ମଣ୍ଡିକୁ ଆସୂନାହାନ୍ତି ଚାଷୀ । ଏହାସହ ଟୋକନ ମିଳିବାରେ ବିଳମ୍ବକୁ ନେଇ ବଢ଼ିଛି ଚାଷୀଙ୍କ ଚିନ୍ତା । ଅନ୍ଯପଟେ କିଛି ଚାଷୀ ଦଲାଲଙ୍କୁ ଧାନ ବିକ୍ରି ଅଭାବୀ ବିକ୍ରିର ଶିକାର ହୋଇଥିବା ହୋଇଛି ଅଭିଯୋଗ ।

ସାଧାରଣତଃ ନୂଆଁଖାଇ ପରେ ଜିଲ୍ଲାରେ ଅଧିକାଂଶ ଚାଷୀ ଧାନ ଅମଳ କରିଥାନ୍ତି । ଚାଷୀ ବର୍ଷକର ପରିଶ୍ରମ ଗଚ୍ଛିତ କରି କେବେ ମଣ୍ଡି ଖୋଲିବ ବୋଲି ଚାହିଁ ବସିଥିଲେ । ହେଲେ ଧାନ କିଣା ଆରମ୍ଭରୁ ଅବ୍ଯବସ୍ଥା ନେଇ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଲାଣି । ଅନ୍ୟପଟେ ମଣ୍ଡି ଖୋଲିବା ବିଳମ୍ବ ସହ ଟୋକନ ଟେନସନର ଫାଇଦା ନେବାକୁ ବସିଲେଣି ଅସାଧୁ ଧାନ ବ୍ୟବସାୟୀ ଓ ମିଲର୍ସ । ସମସ୍ତ ମଣ୍ଡିରେ ଯେପରି ସୁରୁଖୁରରେ ଧାନ କିଣାଯାଇ ପାରିବ ସେନେଇ ଜିଲ୍ଲାପାଳ ସୂଚନା ଦେଇଥିଲେ । କିନ୍ତୁ ଟୋକନ ଟେନସନ ଯୋଗୁଁ ଗୋଟିଏ ବି ମଣ୍ଡିରେ ଧାନ କିଣା ଯାଇପାରିନାହିଁ I ମଣ୍ଡିରୁ ଧାନ ଉଠାଇବାକୁ ମିଲର୍ସ ମଧ୍ଯ ଅରାଜି ଥିବା ଦେଖାଦେଇଛି । ଯାହାଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଖରିଫ ଚାଷ ପାଇଁ ବଲାଙ୍ଗୀର ଜିଲ୍ଲାରେ ୯୫ ହଜାର, ୮୭ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ୧୭୬ଟି ମଣ୍ଡି ମାଧ୍ୟମରେ ଚାଷୀଙ୍କଠାରୁ ୩୪ ଲକ୍ଷ ୯ ହଜାର ୭୩ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ଯ ରଖିଛନ୍ତି ରାଜ୍ୟ ସରକାର । ଯେଉଁଥି ପାଇଁ ୧୫୮ ପ୍ଯାକ୍ସ ଓ ୧୮ଟି ଏସଏଚଜିକୁ ଧାନ ସଂଗ୍ରହ ପାଇଁ ଦାୟିତ୍ଵ ଦିଆଯାଇଛି । କ୍ବିଣ୍ଟାଲ ପ୍ରତି ଧାନର ସର୍ବନିମ୍ନ କ୍ରୟ ମୂଲ୍ୟ ୨୩୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ୮ ଶହ ଟଙ୍କା ରାଜ୍ୟ ସରକାର ଚାଷୀଙ୍କୁ ପ୍ରଦାନ କରିବେ । ହେଲେ ବଲାଙ୍ଗୀର ଜିଲ୍ଲାରେ ଭିତ୍ତିଭୂମିର ଅଭାବ ସାଙ୍ଗକୁ ପ୍ଯାକ୍ସ ଓ ଏସଏଚଜି ମହିଳାଙ୍କ ନିକଟରେ ଅନେକ ଅବ୍ୟବସ୍ଥା ଦେଖାଦେଇଛି । ଚାଷୀଙ୍କୁ ଟୋକନ ମିଳି ନଥିବା ବେଳେ ଚାଷୀଙ୍କ ଧାନ ଅମଳ ହୋଇ ଖଳାରେ ପଡିଥିବାରୁ ଚାଷୀଙ୍କୁ ଚିନ୍ତା ଘାରିଛି ।

ସେହିପରି ଜିଲ୍ଲାର ୧୫୮ ପ୍ଯାକ୍ସରେ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ୧୮ଟି ଏସଏଚଜିରେ ସିସିଟିଭି କ୍ୟାମେରା ଲଗାଯାଇ ନାହିଁ । ୧୨୪ଟି ପ୍ଯାକ୍ସର ନିଜସ୍ଵ ଗୃହ ଥିବାବେଳେ ୩୪ଟି ପ୍ଯାକ୍ସ ଭଡାରେ ଚାଲିଛି । ଧାନ ଗଛିତ ରଖିବା ପାଇଁ ବିଭିନ୍ନ ପେସ୍କରେ ଗୋଦାମ୍ ନଥିବା ଅଭିଯୋଗ ହୋଇଛି ।