ବିଜେପି ପ୍ରତିଶ୍ରୁତି ପାଣିରେ ଗାର: ବଲାଙ୍ଗୀରରୁ ସମ୍ବଲପୁର ମଣ୍ଡିରେ ପୁଳା ପୁଳା ସମସ୍ୟା
ବଲାଙ୍ଗୀର/ସମ୍ବଲପୁର: ନିର୍ବାଚନ ସମୟରେ ଚିଲ୍ଲାଇ ଚିଲ୍ଲାଇ ଚାଷୀଙ୍କ ପାଇଁ ଏହା କରିଦେବୁ, ତାହା କରି ଦେବୁ କହୁଥିଲା ବିଜେପି । ହେଲେ ସରକାରକୁ ଆସିବା ପରେ ସବୁ ପ୍ରତିଶ୍ରୁତି ପାଣି ଫଟକା ପରି ଫୁଟିଯାଇଛି । ରାଜ୍ୟରେ ମଣ୍ଡି ଖୋଲିଲା, ଧାନ କିଣା ବି ଆରମ୍ଭ ହୋଇଛି । ହେଲେ ଆରମ୍ଭରୁ ମାଳ ମାଳ ଅଭିଯୋଗ । କେଉଁଠି କଟନୀ ଛଟନୀକୁ ନେଇ ଚାଷୀ ଅତିଷ୍ଠ ହୋଇଗଲେଣି ତ ଆଉ କେଉଁଠି ଧାନ କିଣିବାକୁ ଆସୁନାହାନ୍ତି ମିଲର୍ସ । ବଲାଙ୍ଗୀର ଓ ସମ୍ବଲପୁରରେ ଧାନ ମଣ୍ଡି ସମସ୍ୟାକୁ ନେଇ ଅତିଷ୍ଠ ହୋଇଗଲେଣି ଚାଷୀ ।
ବଲାଙ୍ଗୀର ଜିଲ୍ଲାରେ ମଣ୍ଡିରେ ଧାନକିଣା ପ୍ରକ୍ରିୟାରେ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ମଣ୍ଡି ଖୋଲି ଧାନ କିଣା ଆରମ୍ଭରୁ ଝୁଣ୍ଟିଲେଣି ସରକାର । ମିଲର୍ସଙ୍କ ମନମାନୀ ପାଇଁ ଚାଷୀ ଶୋଷଣର ଶିକାର ହେଉଛନ୍ତି । ଏଫଏକ୍ୟୁ ନାଁରେ ଚାଷୀଙ୍କ ବିରୋଧରେ ହେଉଛି ଷଡ଼ଯନ୍ତ୍ର ହେଉଛି । ମିଲର୍ସଙ୍କ କଥା ମାନିଲେ ଧାନ ଉଠୁଛି, ବିରୋଧ କଲେ ପେଡି ଆନାଲାଇଜର୍ ମେସିନରେ ମାନ ନିର୍ଦ୍ଧାରଣ କରି ନନ୍ ଏଫଏକ୍ୟୁ ଧାନ ବୋଲି କହି ଫେରାଇ ଦେଉଛନ୍ତି ପେକ୍ସ ଅଧିକାରୀ । ଧାନ କିଣାବିକାରେ ପ୍ରତିବନ୍ଧକ ସାଜିଛି ଏଫଏକ୍ୟୁ ମାନ । ମିଲର୍ସଙ୍କ ମନମାନି ପାଇଁ ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ । ସମସ୍ୟାର ସମାଧାନ ପାଇଁ ଗତକାଲି ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଧାନ ଉଠାଉ ନଥିବା ୪ ମିଲର୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ । ପୁଇଁନ୍ତଳା ମଣ୍ଡିରେ ଧାନ ରଖିବାକୁ ଗୋଦାମ ନଥିବାରୁ ଶୀତ କାକରରେ ଖୋଲା ଆକାଶ ତଳେ ରାତି ଅନିଦ୍ରା ହୋଇ ଧାନକୁ ଜଗି ରହିଛନ୍ତି ଚାଷୀ । ଏହାକୁ ଦେଖିଲେ ବିଜେପିର ନିର୍ବାଚନୀ ଇସ୍ତାହାର ପାଣିରଗାର ପାଲଟିଛି । ବାଧ୍ୟହୋଇ ଧାନ ବିକିବାକୁ ଦଲାଲ ଖୋଜୁଛି ଚାଷୀ । ଧାନ କିଣାରେ ଅବ୍ୟବସ୍ଥା, ଅଭାବୀ ବିକ୍ରି ଯୋଗୁଁ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇପାରନ୍ତି ଚାଷୀ । ସେପଟେ ସବୁ ଠିକଠାକ ଚାଲିଥିବା କହିଛନ୍ତି ଜିଲ୍ଲାପାଳ । ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର । ମିଛୁଆ ସରକାରଙ୍କ ମିଛ ମାୟାରେ ଛନ୍ଦି ହୋଇ ମଣ୍ଡିରେ ଦିନ ଗଣୁଛି ଚାଷୀ ।
ସେହିପରି ସମ୍ଵଲପୁରରେ ମଧ୍ୟ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ମିଲର୍ସ ଆସୁ ନଥିବାରୁ ଚାଷୀ ଧାନ ବିକ୍ରି କରିପାରୁ ନଥିବା ଅଭିଯୋଗ କରିଛନ୍ତି । ସରକାରଙ୍କ ନୂଆ ଗାଇଡଲାଇନ ଯୋଗୁଁ ଧାନ ବିକ୍ରି ହୋଇପାରୁନାହିଁ । ସମ୍ବଲପୁର କୁଚିଣ୍ଡା, ରେଢାଖୋଲ, ରେଙ୍ଗାଲି ଆଦି ସ୍ଥାନରେ ଖୋଲା ଆକାଶ ତଳେ ପଡ଼ି ରହିଛି ଦେଢ଼ ଲକ୍ଷରୁ ଅଧିକ ଧାନବସ୍ତା । ଶୀତ କାକରରେ ଦିନରାତି ଧାନକୁ ଜଗି ରହିଛନ୍ତି ଚାଷୀ । ବର୍ଷକର କଷ୍ଟ ଉପାର୍ଜିତ ଫସଲ ବିକ୍ରି ହୋଇପାରୁ ନଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀକୂଳ । ସରକାର ଚାଷୀଙ୍କ ସମସ୍ୟାକୁ ଅଣଦେଖା କରୁଥିବା ବେଳେ ମିଲର୍ସଙ୍କ ଦାଦାଗିରି ଦିନକୁ ଦିନ ବଢ଼ିବାରେ ଲାଗିଥିବା ଅଭିଯୋଗ କରିଛନ୍ତି ଚାଷୀ । ଗତ ୨୨ ତାରିଖରୁ ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହୋଇଛି ଧାନକିଣା । ଚଳିତ ବର୍ଷ ସରକାର ଆଣିଥିବା ଅନେକ ନୂଆଁ ଗାଇଡଲାଇନ ଯୋଗୁଁ ଚାଷୀ ଧାନ ବିକ୍ରି କରିପାରୁ ନଥିବା ଅଭିଯୋଗ ହୋଇଛି । ଖୋଦ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ନିଜ ଅଞ୍ଚଳରେ ଖୋଲା ଆକାଶ ତଳେ ଧାନ ପଡ଼ି ରହିଛି । ସୂଚନା ଅଧିକାରରୁ ସାଂଘାତିକ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି । ଗଣମାଧ୍ୟମକୁ କୌଣସି ସୂଚନା ଦେଉନାହାନ୍ତି ଯୋଗାଣ ଅଧିକାରୀ । ଏହା ପଛରେ ଏକ ବଡ଼ ରାକେଟ କାମ କରୁଛି ବୋଲି ସନ୍ଦେହ କରୁଛନ୍ତି ଚାଷୀ ନେତା ।