ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ସସପେନ୍ସ ଜାରି, ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ଯୋଗାଇଲା ଖୋରାକ

ନନ୍ଦିଘୋଷ ବ୍ୟୁରୋ: ଜାରି ରହିଛି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସସପେନ୍ସ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀଗସ୍ତରେ ଯାଇ ପ୍ରଭାରୀଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିବା ପରେ ଚର୍ଚ୍ଚା ଜୋର ଧରିଛି । ମନ୍ତ୍ରିମଣ୍ଡଳ ସହ ଦିଲ୍ଲୀରେ ଶୀର୍ଷ ନେତୃତ୍ବଙ୍କ ସହ ରାଜ୍ୟ କମିଟି, ବୋର୍ଡ ନିଗମ ଅଧ୍ୟକ୍ଷ ପଦ ନେଇ ଆଲୋଚନା କରି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି ବିଜେପି ଅନ୍ଦର ମହଲରୁ ଚର୍ଚ୍ଚା ହେଉଛି ।
ସରିଲା ପୂଜା, ବଢିଲା ଚର୍ଚ୍ଚା । କେବେ ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ? ଦେଢ ବର୍ଷ ହେବ ଅଧାଗଢା ମନ୍ତ୍ରିମଣ୍ଡଳ ନେବ କି ପୂର୍ଣ୍ଣାଙ୍ଗ ରୂପ ? ଦିଲ୍ଲୀଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଆଉ ଏହାକୁ ଖୋରାକ ଯୋଗାଇଛି ଏକ୍ସରେ ମୁଖ୍ୟମନ୍ତ୍ରୀ କରିଥିବା ପୋଷ୍ଟ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି , ରାଷ୍ଟ୍ରୀୟ ସଭାପତିଙ୍କ ସହ ଭେଟି ବିଭିନ୍ନ ସାଂଗଠନିକ ବିଷୟ, ରାଜନୈତିକ ପରିସ୍ଥିତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଛି । ଯାହାକୁ ନେଇ ବିଜେପି ଶିବିରରେ ଉତ୍ସାହ ମାହୋଲ । ବିଜେପି ବିଧାୟକ କହିଛନ୍ତି, ଖାଲିପଡିଥିବା ମନ୍ତ୍ରୀପଦ ପୂରଣ ହେବ କି ନାହିଁ ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର । କେବଳ ମନ୍ତ୍ରିମଣ୍ଡଳ ନୁହେଁ, ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀଗସ୍ତ କରି କେନ୍ଦ୍ରମନ୍ତ୍ରୀ ଓ ବିଜେପିର ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା କରିଛନ୍ତି ।
ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ ଜଣ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରିବେ । ୧୫ ମାସ ହେବ ୬ଟି ମନ୍ତ୍ରିପଦ ଖାଲିପଡିଛି । ଅଧିକାଂଶ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ରହିଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମସ୍ତ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ରହିଛି । ବିବାଦୀୟ ମନ୍ତ୍ରୀ ଓ ଦକ୍ଷତା ଦେଖି ମୁଖ୍ୟମନ୍ତ୍ରୀ କାହାକୁ ମନ୍ତ୍ରିମଣ୍ଡଳରେ ସାମିଲ କରିବେ ଓ ବାଦ ଦେବେ ସେନେଇ ନିଷ୍ପତ୍ତି ନେବେ ।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ରାଜ୍ୟ ପରିଷଦ ଓ ନିଗମ ବଣ୍ଟନ ବି ରାଜ୍ୟ ବିଜେପି ନେତୃତ୍ବ ପାଇଁ କଣ୍ଟା ସାଜିଛି । ଓଡିଶାରୁ ଦିଲ୍ଲୀ ଯାଏଁ କସରତ ଜାରି ରହିଛି । କିନ୍ତୁ ମନ୍ତ୍ରିମଣ୍ଡଳ ୨ ବର୍ଷ ପୂର୍ବରୁ କରିବେ କି ନାହିଁ ସେ ଦ୍ବନ୍ଦରେ ମଧ୍ୟ ପଡିଛନ୍ତି ।