ଆଳୁଠୁ ଧାନ: ବିଜେପିର ମିଛ ଶାସନ, ସବୁଠି କୁହୁଳୁଛି ଅସନ୍ତୋଷର ନିଆଁ

ଭୁବନେଶ୍ବର: ସବୁ କଥାରେ ମିଛ । ଆଳୁଠୁ ଆରମ୍ଭ କରି ଧାନ । ସବୁଥିରେ ବିଜେପି ସରକାରର ମିଛ । ସବୁ ବର୍ଗର ଲୋକେ ଅତିଷ୍ଠ । ସାଧାରଣ ଗ୍ରାହକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ, ଚାଷୀ ସମସ୍ତେ ସରକାରଙ୍କ ଆକାଶରୁ ତୋଳି ଆଣିବା ଭଳି କଥା ଓ ଠିକ ଓଲଟା କାମକୁ ନେଇ ଅସନ୍ତୋଷ ଝାଡିଛନ୍ତି । ନିଜ ଦାୟିତ୍ୱ ବୁଝି ସରକାର ସିରିୟସ ହେବାକୁ ସବୁ ମହଲରେ ଦାବି ହୋଇଛି ।

ରାଜ୍ୟରେ ଜାରି ରହିଛି ଆଳୁ ସଙ୍କଟ । ଆଳୁ କିଲୋ ୫୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ସମସ୍ୟାକୁ ଗ୍ରହଣ କରି ସମାଧାନ କରିବା ବଦଳରେ କିଛି ସମସ୍ୟା ହୋଇନାହିଁ ବୋଲି ଯୋଗାଣ ମନ୍ତ୍ରୀ କହି ଚାଲିଛନ୍ତି । ଏହାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଆଳୁର ସ୍ୱଭାବିକ ସ୍ଥିତି ଫେରାଇ ଆଣିବାକୁ ରାଜ୍ୟ ସରକାର କାହିଁକି ଉଦ୍ୟମ କରୁ ନାହାନ୍ତି ବୋଲି ପ୍ରଶ୍ନ ଉଠାଇଛି ରାଜ୍ୟ ବ୍ୟବସାୟୀ ସଂଘ । ପଶ୍ଚିମବଙ୍ଗରୁ ଏବେ ଆଳୁ ଚୋରାରେ ଆସୁଛି । ଏଥିପାଇଁ ଗ୍ରାହକଙ୍କୁ ଅତ୍ୟଧିକ ଦେୟ ଦେବାକୁ ପଡୁଛି । ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରୁନାହିଁ । ସରକାର କିମ୍ବା ମନ୍ତ୍ରୀ ଅଯଥା ମିଛ କଥା ନ କହି ଆଳୁ ସମସ୍ୟାର ସମାଧାନ ଦିଗରେ ଉଦ୍ୟମ କରିବାକୁ ଦାବି କରିଛି ବ୍ୟବସାୟୀ ସଂଘ । ସାମ୍ବିଧାନିକ ଦାୟିତ୍ୱ ତୁଲାଇବାରେ ସରକାରଙ୍କ ଅସୁବିଧା କ’ଣ ହେଉଛି ବୋଲି ସଂଘ ପ୍ରଶ୍ନ ଉଠାଇଛି । ସରକାର ଯଦି ଏସବୁ ନ ପାରିବ, ଆମେ କ’ଣ କରିବୁ ବୋଲି କହିଛନ୍ତି ସଂଘ ମହସଚିବ । ସେପଟେ କ୍ଷୁଦ୍ର ବ୍ୟବସାୟୀମାନେ ସରକାରଙ୍କ ବେପରୁଆ ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି ।

ଆଳୁ ସଙ୍କଟ ଯୋଗୁଁ ସାଧାରଣ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ବିଜେପିର ମିଛରେ ଚାଷୀ ମଧ୍ୟ ପ୍ରମାଦ ଗଣିବା ଆରମ୍ଭ କଲେଣି । ଓଡ଼ିଶାରେ ବିଜେପି ସରକାର ଆସିବା ପରଠାରୁ ମିଛ କୁହ, ବାରବାର କୁହ ଓ ଜୋରରେ କୁହ ଫର୍ମୁଲା ଆପଣାଇଥିବା ଅଭିଯୋଗ ଆଣିଛି କୃଷକ ମଜଦୂର ମହାସଂଘ । ଚାଷୀଙ୍କ ଧାନ କିଣାଠାରୁ ଆରମ୍ଭ କରି ଆଳୁ ବିହନ ଯୋଗାଣ ଓ ଗ୍ରାହକଙ୍କୁ ଆଳୁ ଯୋଗାଣ ସବୁ କ୍ଷେତ୍ରରେ ସରକାର ମିଛ କହି ଚାଲିଛନ୍ତି । ଏସବୁ ପ୍ରସଙ୍ଗରେ ସ୍ୱର ଉଠାଇଲେ ଧମକ ଦିଆଯାଉଥିବା ଅଭିଯୋଗ କରିଛି ମହାସଂଘ । ରାଜ୍ୟବ୍ୟାପୀ ଏହାର ଜୋରଦାର ପ୍ରତିବାଦ କରିବାକୁ ଚେତାବନୀ ଦିଆଯାଇଛି । ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ଏଭଳି ଅପାରଗ ସରକାର ଦେଖିବାକୁ ମିଳିନାହିଁ ବୋଲି କଡା ଭାଷାରେ କହିଛି ସିପିଏମ । ଆଳୁକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ବିଜେପି ସରକାର ଚାହୁଁଥିବା ଦଳ ଅଭିଯୋଗ କରିଛି ।

ସେହିପରି ଧାନର ଏମଏସପି ନାଁ ରେ ଚାଷୀଙ୍କୁ ସରକାର ଠକୁଥିବାର ବି ହୋଇଛି ଅଭିଯୋଗ । ସେପଟେ ବିଜେପି ସରକାରକୁ ମିଛ ସରକାରର ଆଖ୍ୟା ଦେଇଛି କଂଗ୍ରେସ । ବଜାର ନିୟନ୍ତ୍ରଣ ଆଦୌ ନାହିଁ । ବିଜେପି ଯାହା କୁହେ ତାର ଓଲଟା କରେ ବୋଲି ବଡ଼ ଅଭିଯୋଗ ଆଣିଛି କଂଗ୍ରେସ । ଏସବୁ ଲୁଚକାଳି ଖେଳରେ ସାଧାରଣ ଲୋକଟିଏ ବଡ଼ ହୀନସ୍ତା ହେଉଛି ବୋଲି କହିବା ସହିତ ସମାଧାନ କରିବାକୁ ଆହ୍ଵାନ ଦେଇଛନ୍ତି ସମୀକ୍ଷକ ।

ଦର ବଢି ଚାଲିଛି । ସମାଧାନର ପନ୍ଥା ବାହାରୁନି । କିନ୍ତୁ ସରକାର ଦୋଷ ବି ସ୍ୱୀକାର କରୁ ନାହାନ୍ତି । ଆଳୁ ଉତ୍ପାଦନ ବଢାଇବା କଥା କହୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାଷୀଙ୍କୁ ବିହନ ମଧ୍ୟ ଯୋଗାଇ ପାରି ନାହାନ୍ତି ।