ଓଡ଼ିଶାକୁ ଶ୍ରୀହୀନ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର: ପୂର୍ବତଟ ରେଳବାଇରୁ ୱାଲଟିୟର ଡିଭିଜନ ବାଦ ଦେବା ନେଇ ତେଜୁଛି ପ୍ରତିବାଦ

ଭୁବନେଶ୍ବର: ଇଷ୍ଟକୋଷ୍ଟ ରେଲଓ୍ବେ ଜୋନରୁ ଓ୍ବାଲଟିୟର ଡିଭିଜନକୁ ବାଦ୍ ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ପ୍ରତିବାଦ ତେଜିବାରେ ଲାଗିଛି । ବିଜେଡି ଏହାର ତୀବ୍ର ନିନ୍ଦା କରିବା ପରେ କଂଗ୍ରେସ ମଧ୍ୟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଓଡ଼ିଶା ପ୍ରତି ପ୍ରତାରଣା ବୋଲି କହିଛି । ଆନ୍ଧ୍ରକୁ ରାଜନୈତିକ ବାଧ୍ୟବାଧକତାରେ ଖୁସି କରିବାକୁ ଓଡ଼ିଶାକୁ ଅଣଦେଖା କରିବା ପ୍ରସଙ୍ଗରେ ଓଡ଼ିଶା ଅସ୍ମିତା ପରିଷଦର ଆନ୍ଦୋଳନ ଚେତାବନୀ ପରେ ଶ୍ରମିକ ସଙ୍ଗଠନ ଆଇଏନଟିୟୁସି ଓଡ଼ିଶାକୁ ଶ୍ରୀହୀନ କରିବାକୁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରିଛି । ରାଜ୍ୟ ଭିତ୍ତିକ ରେଳଓ୍ବେ ଜୋନ୍ ଯଦି ଆନ୍ଧ୍ର ପାଇଁ ସମ୍ଭବ ହୋଇପାରୁଛି, ତା’ହାଲେ ଓଡ଼ିଶାର ସମଗ୍ର ଅଞ୍ଚଳକୁ ଗୋଟିଏ ଜୋନରେ ରଖିବାକୁ ଦାବି ଘନେଇଛି ।

ଇଷ୍ଟକୋଷ୍ଟ ରେଳବାଇ ଜରିଆରେ ଓଡ଼ିଶାକୁ ଖଣ୍ଡ ବିଖଣ୍ଡିତ କରିବାକୁ ଚାଲିଛି ଉଦ୍ୟମ । ପୂର୍ବତଟ ରେଳବାଇ ଜୋନରେ ଥିବା ସମ୍ବଲପୁର, ଖୋର୍ଦ୍ଧା ଓ ଓ୍ବାଲଟିୟର ଡିଭିଜନ୍ ମଧ୍ୟରୁ ଦକ୍ଷିଣ ତଟ ରେଳବାଇ ଜୋନରେ ଓ୍ବାଲଟିୟର ଡିଭିଜନର ମିଶ୍ରଣ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସାରା ଓଡ଼ିଶାରେ ଏହାର ତୀବ୍ର ପ୍ରତିବାଦ ଦେଖା ଦେଇଛି । ସୁନ୍ଦରଗଡ଼, ଝାରୁସୁଗୁଡ଼ା ଅଞ୍ଚଳ ଦକ୍ଷିଣ ପୂର୍ବ ଜୋନ୍ ଅଧୀନରେ ଥିବା ବେଳେ ବାଲେଶ୍ବର, ମୟୂରଭଞ୍ଜ ଅଞ୍ଚଳ ଦକ୍ଷିଣ ପୂର୍ବାଞ୍ଚଳ ଅଧୀନରେ ରହିଛି । ଯାହାର ମୁଖ୍ୟାଳୟ ଅନ୍ୟ ରାଜ୍ୟରେ । ଭୁବନେଶ୍ବରରେ ଥିବା ଇଷ୍ଟକୋଷ୍ଟ ରେଲଓ୍ବ ଜୋନରୁ ଓ୍ବାଲଟିୟରକୁ ବାଦ୍ ଦେଲେ ଏହାର ରାଜସ୍ବ ପ୍ରଭାବିତ ହେବା ସହ ନିଯୁକ୍ତି ବି କମିବ । ରାଜସ୍ବ ଅନୁସାରେ ଅନୁଦାନ ମିଳିଲେ ଓଡ଼ିଶା ହିଁ କ୍ଷତି ସହିବ । ଏଥିପାଇଁ ବିଧିବଦ୍ଧ ଷଡ଼ଯନ୍ତ୍ର କରାଯାଇଛି ବୋଲି ଆଇଏନଟିୟୁସି ରାଷ୍ଟ୍ରୀୟ ସମ୍ପାଦକ ମାନସ ଚୌଧୁରୀ ଅଭିଯୋଗ କରିଥିବା ବେଳେ ଏହାର ଉତ୍ତର ରେଳ ମନ୍ତ୍ରାଳୟ ରଖିବାକୁ ଦାବି କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଏପରି ମନୋମୁଖୀ ନିଷ୍ପତ୍ତି ବିରୋଧରେ ବିଜେଡି ସ୍ବର ଉଠାଇଥିବା ବେଳେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଶା ପ୍ରତି ବାରମ୍ବାର ବୈମାତୃକ ମନୋଭାବ ଦେଖାଉଛି କେନ୍ଦ୍ର । ଯେତେବେଳେ ଓଡ଼ିଶାରୁ ୨୦ ସାଂସଦ ସହ ଖୋଦ ରେଳମନ୍ତ୍ରୀ ବି ଓଡ଼ିଶାରୁ ତା’ହାଲେ ଓଡ଼ିଶା ପ୍ରତି ଏଭଳି ଷଡ଼ଯନ୍ତ୍ର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀକାନ୍ତ । ସବୁ ରାଜନୈତିକ ଦଳ ଏକାଠି କେନ୍ଦ୍ର ସରକାର ବିରୋଧରେ ସ୍ବର ଉଠାଇବା ଦରକାର ବୋଲି ଶ୍ରୀକାନ୍ତ ଆହ୍ବାନ ଦେଇଛନ୍ତି । ୨୦୧୩ରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ବେଳେ ମନମୋହନ ସରକାର ଏଭଳି ପ୍ରତିଶ୍ରତି ଦେବା ସହ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା । ସେତେବେଳେ ଶ୍ରୀକାନ୍ତ ଜେନା କାହିଁକି ଚୁପ୍ ଥିଲେ ବୋଲି ଓଡ଼ିଶା ଅସ୍ମିତା ପରିଷଦର ଆବାହକ ରବୀନ୍ଦ୍ର ନାଥ ବେହେରା ପ୍ରଶ୍ନ କରିବା ସହ କେନ୍ଦ୍ରର ଏଭଳି ଏକପାଖିଆ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ରାଜନୈତିକ ବାଧ୍ୟବାଧକତା ଯୋଗୁଁ ଆନ୍ଧ୍ରକୁ ରାଜ୍ୟ ଭିତ୍ତିକ ଜୋନର ପ୍ରତିଶ୍ରୁତି ପୂରଣ କରିବାକୁ ଓ୍ବାଲଟିୟରକୁ ବିଶାଖାପାଟଣାକୁ ନେଇଯାଇଥିବା ବେଳେ ଓଡ଼ିଶାର ସୁନ୍ଦରଗଡ଼, ଝାରୁସୁଗୁଡ଼ା, ବାଲେଶ୍ବର, ମୟୂରଭଞ୍ଜ ଯାହା ଅନ୍ୟ ଜୋନରେ ଅଛି, ସେସବୁକୁ ଇଷ୍ଟକୋଷ୍ଟ ଜୋନ୍ ଅଧୀନକୁ ଅଣାଯିବାକୁ ଦାବି ଜୋରଦାର ହେଉଛି ।

ନଜର ପକାନ୍ତୁ