ମନ୍ତ୍ରୀ ପରିଷଦ ବୈଠକରେ ନବୀନଙ୍କ ଉଦବୋଧନ: ସ୍ୱାସ୍ଥ୍ୟସେବା ପରିଚାଳନାରେ ଓଡ଼ିଶା ସଫଳ, ତଥାପି ରହିଛି ଆହ୍ୱନ..

1 min read

ଭୁବନେଶ୍ୱର: ପଞ୍ଚମ ପାଳିର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ମନ୍ତ୍ରୀ ପରିଷଦ ବୈଠକ । ବୈଠକରେ 3ଟି ଏଜେଣ୍ଡା ଉପରେ ଆଲୋଚନା ହୋଇଛି । ବୈଠକରେ ମନ୍ତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, କୋଭିଡ ପରିଚାଳନା ନେଇ ଆଲୋଚନା ହୋଇଛି । ଏ ଅବସରରେ ଦୁଇ ବର୍ଷର ଉପଲବ୍ଧି ବଖାଣିଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ବିପର୍ଯ୍ୟୟ ମୁକାବିଲା ନେଇ ତଥ୍ୟ ଦେଇଛନ୍ତି ଏସଆରସି । କହିଛନ୍ତି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ବିଶ୍ବର ଏକ ମଡେଲ । ତେବେ ଜଳବାୟୁ ପରିବର୍ତ୍ତନ ପାଲଟିଛି ବଡ଼ ଆହ୍ବାନ । ସେହିପରି ଆଗକୁ ଅଧିକ କରୋନା ଭ୍ୟାରିଆଣ୍ଟ ଆସିବ, ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ସ୍ବାସ୍ଥ୍ୟସେବା ପରିଚାଳନାରେ ମଧ୍ୟ ଓଡ଼ିଶା ସଫଳ ହୋଇଛି ।

ସଂକ୍ରମଣର ବ୍ୟାପିବା ଦ୍ବାରା ଅଧିକ ଚାପର ସମ୍ମୁଖୀନ ହୋଇନାହୁଁ । ବରଂ କରୋନା ମୁକାବିଲା ନେଇ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ଅକ୍ସିଜେନ ଯୋଗାଣକୁ ସୁବ୍ୟବସ୍ଥିତ କରାଯାଇଛି । ବାହାର ରାଜ୍ୟକୁ ମଧ୍ୟ ଅକ୍ସିଜେନ ଯୋଗାଉଛନ୍ତି ରାଜ୍ୟ ସରକାର । ସରକାର ଏବେ ଟିକାକରଣ ଉପରେ ଫୋକସ୍‌ କରିଛନ୍ତି । ନିଜ ସମ୍ବଳର ଉପଯୋଗ କରି ମାଗଣାରେ ଟିକାକରଣ ଚାଲିଛି । ଓଡ଼ିଶାବାସୀଙ୍କ ସହଯୋଗକୁ କୃତଜ୍ଞତା ଜଣାଇଛନ୍ତି ସରକାର । ପାଠ୍ୟକ୍ରମରେ ସ୍ଥାନ ପାଇବ ମହାମାରୀ ଓ ବିପର୍ଯ୍ୟୟ ମୁକାବିଲା । ଏନେଇ ମନ୍ତ୍ରୀ ପରିଷଦ ବୈଠକରେ ସଂକଳ୍ପ ପାରିତ ହୋଇଛି । ଛାତ୍ରଛାତ୍ରୀ, ନିର୍ବାଚିତ ପ୍ରତିନିଧି, ଅଫିସରଙ୍କୁ ଏନେଇ ତାଲିମ ଦିଆଯିବ । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ତାଲିମ ନେବେ ମିଶନ ଶକ୍ତି ସଦସ୍ୟ । 5-ଟି ସରକାରଙ୍କ ପଞ୍ଚମ ପାଳିର ମୁଖ୍ୟ ଫୋକସ୍‌ରେ ରହିଛି । ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ପଦେକ୍ଷପ ନିଆଯାଉଛି । ଲୋକଙ୍କ ସହ ସିଧାସଳଖ ସମ୍ପର୍କରେ ଅଛନ୍ତି ସରକାର ।

`ମୋ ସରକାର’ ଫିଡବ୍ୟାକ୍‌ ଜରିଆରେ ନିଆଯାଉଛି ମତାମତ । ସ୍ବାସ୍ଥ୍ୟ ଭିତ୍ତିଭୂମିରେ 8,500 କୋଟି ପୁଞ୍ଜି ବିନିଯୋଗ ହୋଇଛି । ଏସସିବି ମେଡିକାଲ ପାଇଁ 3500 କୋଟି ଟଙ୍କା ବଜେଟ ଅଛି । ବର୍ଷକ ମଧ୍ୟରେ 786 ଡାକ୍ତର, 5137 ପାରାମେଡିକାଲ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ପିଲାଙ୍କ ଦକ୍ଷତା ବିକାଶ ପାଇଁ ହଜାରେରୁ ଅଧିକ ସ୍କୁଲରେ କାର୍ଯ୍ୟକ୍ରମ ଚାଲିଛି । କ୍ରୀଡା ପାଇଁ ରାଉରକେଲା ବୃହତମ ହକି ଷ୍ଟାଡିୟମ ନିର୍ମାଣ ଚାଲିଛି । କାଳିଆ ଯୋଜନାରେ 6118 କୋଟି ଟଙ୍କା ଦିଆଯିବ । ମିଶନ ଶକ୍ତି ପାଇଁ ସୃଷ୍ଟି ହୋଇଛି ସ୍ବତନ୍ତ୍ର ବିଭାଗ । ସେହିପରି ପଞ୍ଚାୟତିରାଜକୁ ଶସକ୍ତ କରିବାକୁ 11287 କୋଟି ଟଙ୍କା ଅନୁଦାନ ପ୍ରଦା ନ କରାଯାଇଛି । ଲୋକଙ୍କ ପ୍ରତିଶ୍ରୁତି ପୂରଣ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଏଣୁ ମହାମାରୀ ସତ୍ବେ ଓଡ଼ିଶା ବିଜୟୀ ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଛି ।

Leave a Reply