ମା’ ଚାଲିଗଲା ପରେ ପୁଅର ଶିକୁଳି ଖୋଲିବ କିଏ ?

1 min read

ଓଳିଏ ଖାଇଲେ ଓଳିଏ ଉପାସ । ମାଆକୁ କ୍ୟାନସର, ଭେଣ୍ଡିଆ ପୁଅ ହରାଇଛି ମାନସିକ ସନ୍ତୁଳନ । ୧୦ ବର୍ଷ ହେବ ଘର ବାରଣ୍ଡାରେ ଶିକୁଳିରେ ବନ୍ଧା ହୋଇଛି ସେ । ସରକାରଙ୍କ ୫କେଜି ଚାଉଳ ଏବଂ ଭତ୍ତା ଟଙ୍କା ହେଉଛି ଏମାନଙ୍କ ସାହାରା ।  ଏମିତି ଦୁଃଖ ଦୁର୍ଦ୍ଦଶା ଭିତରେ ଘାଣ୍ଟିହୋଇ ମା ଚାଲିଗଲା ଆରପାରିକୁ ।

ଏହି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଦୁର୍ଗା ଗାଁରେ । ଦୁର୍ଗା ଗାଁର ଧୋବିଲତା ଜେନା ଏବଂ ପୁଅ ସୁକାନ୍ତ । ଦୀର୍ଘ ୧୦ ବର୍ଷ ହେବ ମାନସିକ ବିକାରଗ୍ରସ୍ତ ଯୋଗୁଁ ସୁକାନ୍ତ ଘର ବାରଣ୍ଡାରେ ବନ୍ଧା ହୋଇଛି । ସେପଟେ ସୁକାନ୍ତର ଏମିତି ଅବସ୍ଥା ପାଇଁ ତା’ ସ୍ତ୍ରୀ ନିଜ ପିଲାକୁ ନେଇ ଘର ଛାଡ଼ି ବାପଘରେ ରହୁଛନ୍ତି । ଏଭଳି ପରିସ୍ଥିତିରେ ବେସାହାରା ସୁକାନ୍ତ ଏବଂ କ୍ୟାନସର ପୀଡ଼ିତା ମାଆ ଧୋବିଲତା ଦୁହେଁ ଦୁହିଁଙ୍କ ସାହାରା ପାଲଟିଥିଲେ । ପାଗଳ ହେଲେ କ’ଣ ହେଲା ପୁଅର ମୁହଁ ଚାହିଁ ମାଆ ଦିନ କାଟି ଚାଲିଥିଲା । କିନ୍ତୁ କର୍କଟ ଭଳି ମାରାତ୍ମକ ରୋଗ ପାଗଳ ପୁଅଠାରୁ ମାଆକୁ ଛଡ଼େଇ ନେଲା ।

ଗାଁ ଲୋକେ ଅଭିଯୋଗ କରିଛନ୍ତି, ଯଦି ସରକାରୀ ସୁବିଧା ଟିକକ ମିଳି ପାରିଥାନ୍ତା ପାଗଳ ପୁଅକୁ ମାଆର ସାହାରା ଆଉ କିଛି ଦିନ ହୁଏତ ମିଳିପାରିଥାନ୍ତା ।  ଯଦିଓ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ADMO  ଡାକ୍ତର ବସନ୍ତ ବାରିକଙ୍କୁ ଗାଁ ଲୋକେ ଏନେଇ ଅବଗତ କରିଥିଲେ, ସେତେବେଳକୁ କିନ୍ତୁ ବହୁତ ଡେରି ହୋଇଯାଇଥିଲା । ହୁଏତ ବିଧିର ବିଧାନ ବୋଧେ ଆଉକିଛି ଚାହୁଁଥିଲା । ଏବେ ସମସ୍ତଙ୍କ ମନରେ ପ୍ରଶ୍ନ, ମାନସିକ ବିକାରଗ୍ରସ୍ତ ସୁକାନ୍ତର ଭାଗ୍ୟ ଏବେ କଣ ହେବ ? ସବୁଥିରୁ ବଞ୍ଚିତ ହେଲା ପରେ ଶିକୁଳିରେ ଦିନରାତି ବନ୍ଧା ସୁକାନ୍ତର କିଏ ହେବ ସାହାରା ?

  ')}

Leave a Reply