କୃଷି ଯନ୍ତ୍ରପାତି ଦୁର୍ନୀତି ମାମଲା : ଦୁର୍ନୀତି ପର୍ଦ୍ଦାଫାସ ପରେ କୃଷି ନିର୍ଦ୍ଦେଶକଙ୍କ ତଦନ୍ତ ନିର୍ଦ୍ଦେଶ, ବ୍ଲକ୍ ହେଲା ଶୀତଲ ଆଗ୍ରୋ କମ୍ପାନୀ

1 min read

ଭୁବନେଶ୍ୱର: ନନ୍ଦିଘୋଷ ଟିଭିର ମହାପ୍ରଭାବ । ଧାନରୁଆ ମେସିନ୍‌ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ କମ୍ପାନୀ ଶୀତଲ ଏଗ୍ରୋ ଇନପୁଟସ୍‌ ପ୍ରାଇଭେଟ ଲିମିଟେଡ୍‌ ଓ ତାର ସମସ୍ତ ଡିଲରମାନଙ୍କୁ ସରକାରୀ ଓ୍ୱେବ୍‌ସାଇଟରୁ ବ୍ଲକ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୃଷି ନିର୍ଦ୍ଦେଶକ। ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ କୃଷି ଯନ୍ତ୍ରାଂଶ ଦୁର୍ନୀତି ମାମଲାରେ ତଦନ୍ତ ନିର୍ଦ୍ଦେଶ । ନନ୍ଦିଘୋଷ ଟିଭିରେ ଧାନ ରୁଆ ମେସିନ ଦୁର୍ନୀତିର ପର୍ଦ୍ଦାଫାସ୍‌ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୃଷି ନିର୍ଦ୍ଦେଶକ।

କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନୀରିହ ଚାଷୀଙ୍କୁ ଠକିଥିବା ଶୀତଲ ଏଗ୍ରୋ ଇନପୁଟ୍‌ କଂପାନୀର ସରକାରୀ ପଞ୍ଜିକରଣ ବାତିଲ୍‌ କରାଯିବା ସହ ସରକାରୀ ଓ୍ୱେବସାଇଟରୁ ଏହାର ନାଁକୁ ବାଦ୍‌ ଦିଆଯାଇଛି । ଏଥିସହ ଠକେଇର ଶୀକାର ଚାଷୀଙ୍କୁ ନେଇ ବ୍ୟକ୍ତିଗତ ତଦନ୍ତ କରିବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ । ୧୫ ଦିନ ଭିତରେ ସବିଶେଷ ରିପୋର୍ଟ ଦେବା ପରେ ପରବର୍ତ୍ତି ପଦକ୍ଷେପ ନେବେ କୃଷି ନିର୍ଦ୍ଦେଶକ । ଏଣିକି ଆଉ ଏଗ୍ରିକଲଚରାଲ୍‌ ମାର୍କେଟିଂ କରି ପାରିବ ନାହିଁ ଶୀତଲ ଏଗ୍ରୋ… ।

ଏହି ଦୁର୍ନୀତିର ପଦାକୁ ଆସିବା ପରେ ଜିଲ୍ଲା କୃଷି ବିଭାଗର ଭୂମିକା ସନ୍ଦେହ ଘେରକୁ ଆସିଛି । ଚାଷୀ ମେସିନ୍‌ ପାଇଲେ ନା ନାହିଁ, ତାକୁ ବିଭାଗୀୟ ଅଧିକାରୀ ଯାଞ୍ଚ କରିନଥିବା ଭଳି ମନେ ହେଉଛି। ଏବେ ସେହି ଜିଲ୍ଲାର ବଡ଼ ବାବୁମାନଙ୍କୁ ତଦନ୍ତ ଭାର ମିଳିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଯେଉଁ ଅଫିସରେ ହେରଫେର ହୋଇଛି, ସେହି ଅଫିସର ଅଧିକାରୀ ନିରପେକ୍ଷ ତଦନ୍ତ କରିବେ କି ବୋଲି ସନ୍ଦେହ କରୁଛନ୍ତି ଚାଷୀ। ସେମାନେ ଆଶା କରିଛନ୍ତି, ନିରପେକ୍ଷ ତଦନ୍ତ ହେଲେ ବ୍ଲ।କଲିଷ୍ଟ ହୋଇପାରେ ଶୀତଳ ଏଗ୍ରୋ କମ୍ପାନୀ… ।

ଘରୋଇ କଂପାନୀ କୃଷି ମାର୍କେଟିଂ ପାଇଁ କିଭଳି ପଞ୍ଜିକୃତ ହୁଅନ୍ତି ସେ ସମ୍ପର୍କରେ ମଧ୍ୟ ବିଭାଗ ସୂଚନା ଦେଇଛି । କମ୍ପାନୀ ନିଜ ଆଡ଼ୁ ମେସିନ୍‌ ତିଆରି କରି ଚାଷୀଙ୍କ ପାଖରେ ଡେମୋ ଦେଖାଇବେ। ଚାଷୀ, ମେସିନ୍‌ ବ୍ୟବହାର ପାଇଁ ରାଜି ହେଲେ କେନ୍ଦ୍ର ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ ପାଖରେ ମେସିନ୍‌ ପରୀକ୍ଷଣ ହେବ । ଯେଉଁମାନେ ରାଜ୍ୟ ସରକାରଙ୍କ ପାଖରେ ପରୀକ୍ଷଣ କରିଥିବେ, ସେମାନଙ୍କୁ SLFMTTC ସାର୍ଟିଫିକେଟ୍‌ ଦେବେ ।

ଏହା ପରେ OFMRDC ପକ୍ଷରୁ ଉନ୍ନୟନ ଯନ୍ତ୍ରୀ ଦେଇଥିବା ଏକ୍ସପ୍ରେସନ୍‌ ଅଫ୍‌ ଇଣ୍ଟ୍ରେଷ୍ଟରେ କମ୍ପାନୀମାନେ ଅଂଶଗ୍ରହଣ କରିଥାନ୍ତି । ଯାହାକୁ କୃଷି ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଷ୍ଟେଟ୍‌ ଲେବଲ୍‌ ଟେକନିକାଲ କମିଟି ଅନୁମତି ଦେଇଥାଏ, କୃଷି ମାର୍କେଟିଂ କରିବା ପାଇଁ । ଏହି ସ୍ତରରୁ କ୍ଲିୟରାନସ୍‌ ପାଇ ଜିଲ୍ଲାକୁ ଯିବା ପରେ ମେସିନ୍‌ ମିଳିଲା କି ନାହିଁ, ତାର ତଦାରଖ ଦାୟିତ୍ୱ ଜିଲ୍ଲା କୃଷି ବିଭାଗର । ଯେଉଁଥି ପାଇଁ ଜିଲ୍ଲା କୃଷି ଅଧିକାରୀ ଏବେ ସ୍କାନରରେ… ।

Leave a Reply