ଟ୍ବିଟରକୁ ଅଲ୍‌ବିଦା କଲେ କରଣ, ଶେଷ ଟ୍ବିଟରେ କହିଲେ ଶାନ୍ତି ଚାହୁଁଛି

ମୁମ୍ବାଇ: ସବୁବେଳେ ଟ୍ରୋଲର୍ସଙ୍କ ଟାର୍ଗେଟରେ ରହୁଥିବା କରଣ ଜୋହର ଏବେ ପୁଣି ଚର୍ଚ୍ଚାରେ  । ହେଲେ ଏଥର ଟ୍ରୋଲିଂ ପାଇଁ ନୁହେଁ ବରଂ ସବୁ ବିବାଦରୁ ଦୂରରେ ରହିବା ପାଇଁ କରଣ ନେଇଛନ୍ତି ନୂଆ ନିଷ୍ପତ୍ତି  । ସୋସିଆଲ ମିଡିଆ ଟ୍ବିଟରକୁ ବାଏ୍‌ ବାଏ୍‌ କହିଛନ୍ତି କରଣ  । ଏକଥା ଶୁଣିଲେ ହୁଏତ ଆପଣ ବିଶ୍ବାସ କରି ପାରୁନଥିବେ  । କିନ୍ତୁ ଶେଷଥର ପାଇଁ ଟ୍ବିଟ କରି କରଣ ଲେଖିଛନ୍ତି ‘‘ମୁଁ ନିଜ ପାଇଁ ଜାଗା ତିଆରି କରୁଛି । ମୋତେ ଆହୁରି ପଜିଟିଭ ଏନର୍ଜି ଦରକାର  । ଏଥିପାଇଁ ନୁଆ ପଦକ୍ଷେପ ନେଇଛି । ଗୁଡ୍‌ବାଏ ଟ୍ବିଟର ’’ । ତେବେ ଅଚାନକ କରଣ ଟ୍ବିଟରକୁ ଅଲବିଦା କହିବା ସହଜେ ଗ୍ରହଣ କରିପାରୁ ନାହାନ୍ତି ପ୍ରଶଂସକ  ।

କରଣ ନେପୋଟିଜିମ ଓ ଷ୍ଟାରକିଡ୍ସଙ୍କୁ ପ୍ରମୋଟ କରୁଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇ ଆସୁଛି  । ସେ କିଛି ବି ପୋଷ୍ଟ କରନ୍ତୁ ସବୁବେଳେ ଟ୍ରୋଲରଙ୍କ ଟାର୍ଗେଟରେ ଥାଆନ୍ତି କରଣ  । କଫି ୱିଥ୍‌ କରଣ ସୋର ପ୍ରତି ଏପିସୋଡରେ ଆଲିଆଙ୍କୁ ପ୍ରମୋଟ ହେଉ କି ସାରା ଓ ଜାହ୍ନବୀଙ୍କ ମଧ୍ୟରେ ଜାହ୍ନବୀଙ୍କୁ ସମର୍ଥନ ସବୁକ୍ଷେତ୍ରରେ କରଣ ବିବାଦ ଘେରକୁ ଆସିଛନ୍ତି । ହୁଏତ ଏଥିପାଇଁ କରଣ ଟ୍ବିଟରକୁ ଗୁଡ୍‌ବାଏ କହିଥିବା ନେଇ ଚର୍ଚ୍ଚା ହେଉଛି  ।

ସେହିପରି କରଣଙ୍କ ଶେଷ ଟ୍ବିଟରେ ମଧ୍ୟ ସେ ଟ୍ରୋଲିଂର ଶିକାର ହୋଇଛନ୍ତି  । ଜଣେ ୟୁଜର ଲେଖିଛନ୍ତି ସାର୍‌ ଯଦି ଭାରତର ସୁଖ ଶାନ୍ତି ଚାହୁଁଛନ୍ତି କଫି ୱିଥ କରଣ କଚରା (ଅଳିଆ) ବି ହଟାଇ ଦିଅନ୍ତୁ  । ଆଉ ଜଣେ ୟୁଜର ଲେଖିଛନ୍ତି ଏହି ଆକାଉଣ୍ଟ ବନ୍ଦ କରି କରଣ ଏକ ଅଜଣା ଆକାଉଣ୍ଟ ବ୍ୟବହାର କରିବେ ।