ଝାରସୁଗୁଡ଼ାରୁ ମୁମ୍ବାଇ ଓ ବାଙ୍ଗାଲୁରୁକୁ ସିଧାସଳଖ ବିମାନସେବା ଆରମ୍ଭ

ଭୁବନେଶ୍ୱର: ଝାରସୁଗୁଡ଼ାରୁ ଖୁବ ଶୀଘ୍ର ମୁମ୍ବାଇ ଓ ବାଙ୍ଗାଲୁରୁକୁ ସିଧାସଳଖ ବିମାନସେବା ଆରମ୍ଭ ହେବାକୁ ଯାଉଛି  । ଏହା ଆସନ୍ତା ଅକ୍ଟୋବର ୨୫ ରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦେଶକ ।  ବହୁଦିନ ପରେ ଝାରସୁଗୁଡ଼ାବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ମୁମ୍ବାଇ ଓ ବାଙ୍ଗାଲୁରୁକୁ ବିମାନସେବା ଆରମ୍ଭ ହେବା ନେଇ ଗ୍ରୀନ ସିଗନାଲ ଦେଇଛି ଝାରସୁଗୁଡା ବିମାନ ବନ୍ଦର କର୍ତ୍ତୃ ପକ୍ଷ ।

ଅକ୍ଟୋବର ୨୫ରୁ ଆରମ୍ଭ ହେବାକୁ ଯାଉଛି ଆଉ ଦୁଇଟି ସହର କୁ ବିମାନସେବା  । ବହୁ ଦିନରୁ ଦାବି ହୋଇ ଆସୁଥିବା ଝାରସୁଗୁଡ଼ାରୁ ମୁମ୍ବାଇ ଏବଂ ବାଙ୍ଗାଲୁରୁକୁ ବିମାନସେବା ଲାଗି ପଥ ପ୍ରଶସ୍ତ ହୋଇଛି । ଆସନ୍ତା ୱିଂଟର ସିଡ୍ୟୁଲ ଅର୍ଥାତ ଅକ୍ଟୋବର ୨୫ରୁ ଝାରସୁଗୁଡ଼ାରୁ ଏହି ବହୁ ପ୍ରତୀକ୍ଷିତ ବିମାନସେବା ଆରମ୍ଭ ହେବାର ସମ୍ଭାବନା ରହିଛି । ସ୍ପାଇସଜେଟ୍ ପକ୍ଷରୁ ବିମାନସେବା ଆରମ୍ଭ କରିବାକୁ ସ୍ଲଟ୍ ଏଲୋକେସନ ପାଇଁ କରାଯାଇଥିବା ଆବେଦନ ଉପରେ ଝାରସୁଗୁଡ଼ା ବିମାନବନ୍ଦର କର୍ତୃପକ୍ଷ ସବୁଜ ସଂକେତ ଦେଇ ସାରିଥିବା ବିମାନବନ୍ଦରର ନିର୍ଦ୍ଦେଶକ କିଶୋର ସେନାପତି କହିଛନ୍ତି । ଏ ଦିଗରେ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ଅନୁମତି ହାସଲ ପରେ ବିମାନସେବା ଆରମ୍ଭ ହୋଇ ପାରିବ ବୋଲି ସେ କହିଛନ୍ତି ।

ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଗତ ୨୦୧୮ ସେପ୍ଟେମ୍ବର ୨୨ ତାରିଖ ଦିନ ଉଦଘାଟିତ ହେବା ସହ ବିମାନସେବା ଆରମ୍ଭ ହେବା ପରଠାରୁ ମୁମ୍ବାଇ ଏବଂ ବାଙ୍ଗାଲୁରୁକୁ ବିମାନ ଚଳାଚଳ ଆରମ୍ଭ କରିବାକୁ ଦାବି ହୋଇ ଆସିଛି । ଅବଶ୍ୟ ବିଧିବଦ୍ଧ ଭାବେ ସ୍ପାଇସଜେଟ୍ ପକ୍ଷରୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ଠାରୁ ହିଁ ବିମାନସେବା ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ ଆଦି ସହରକୁ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏଲାୟନ୍ସ ଏୟାରର ବିମାନସେବା ଭୁବନେଶ୍ୱର, ରାୟପୁର, କୋଲକାତା ଆଦିକୁ ଆରମ୍ଭ ହୋଇଥିଲା ।ଲକଡାଉନ ସମୟରେ କିଛି ସମୟ ଧରି ବିମାନସେବା ବନ୍ଦ ରହିବା ପରେ ପୁଣିଥରେ କଟକଣା ଭିତରେ ବିମାନସେବା ଆରମ୍ଭ ହୋଇଛି । ଆଗକୁ ବାଙ୍ଗାଲୁରୁ ଏବଂ ମୁମ୍ବାଇକୁ ବିମାନସେବା ଆରମ୍ଭ ହେଲେ ଏହା ପଶ୍ଚିମ ଓଡ଼ିଶା ସହ ଭାରତର ପ୍ରମୁଖ ସହରକୁ ଏୟାର କନେକ୍ଟିଭିଟି ହୋଇ ପାରିବ । ଉଚ୍ଚ ଓ ବୈଷୟିକ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ପାଇଁ ମୁମ୍ବାଇ, ବାଙ୍ଗାଲୁରୁ ଉପରେ ନିର୍ଭର କରିଥାନ୍ତି । ଏହି ଦୁଇ ସହର ଝାରସୁଗୁଡ଼ା ସହ ଯୋଡ଼ି ହେଲେ ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ପାଇଁ ବଡ଼ ସୁବିଧା ହୋଇ ପାରିବ ।

Leave a Reply