ବିଲୁପ୍ତ ହୋଇନାହାନ୍ତି: ୧୨,୫୦୦ ବର୍ଷ ପରେ ପୁଣି ଦୃଶ୍ୟମାନ ହେଲେ ଭୟଙ୍କର ଗଧିଆ
1 min read
ଏ ପୃଥିବୀ ବକ୍ଷରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଏକଦା ଚଳପ୍ରଚଳ ହେଉଥିବା ବେଳେ ଏବେ ଅନେକ ପ୍ରଜାତି ବିଲୁପ୍ତ ହୋଇଯାଇଛନ୍ତି । ତେବେ ଏକଦା ପୃଥିବୀ ବକ୍ଷରୁ ବିଲୁପ୍ତ ହୋଇଯାଇଥିବା ଭୟଙ୍କର ଗଧିଆ (Dire Wolves) ପ୍ରଜାତିଙ୍କୁ ପୁଣି ଥରେ ଦେଖିବାକୁ ମିଳିଛି । ବୈଜ୍ଞାନିକମାନେ ଏହି ପ୍ରଜାତିକୁ ପୁନର୍ଜୀବିତ କରିପାରିଛନ୍ତି । ଜଳବାୟୁ ପରିବର୍ତ୍ତନ ଓ ଅନ୍ୟ କିଛି କାରଣରୁ ପାଖାପାଖି ୧୨,୫୦୦ ବର୍ଷ ପୂର୍ବେ ଏହି ପ୍ରଜାତି ବିଲୁପ୍ତ ହୋଇଯାଇଥିବା ବେଳେ ଏବେ ବୈଜ୍ଞାନିକମାନେ ସେମାନଙ୍କୁ ନୂଆ ଜୀବନ ଦେଇଛନ୍ତି । ଜେନେଟିକ ଇଞ୍ଜିନିୟରିଂ ଜରିଆରେ ଏହା ସମ୍ଭବ ହୋଇପାରିଛି । ଏହି ଦୁଇ ଗଧିଆଙ୍କର ବୟସ ଏବେ ମାତ୍ର ୬ ମାସ ହୋଇଥିବା ବେଳେ ଓଜନ ୩୬ କେଜି । ଏହା ବିଜ୍ଞାନର କମାଲ, ଏହା କୌଣସି ମ୍ୟାଜିକ୍ ନୁହେଁ ।
ଟେକ୍ସାସ ସ୍ଥିତ କୋଲୋଜାଲ ବାୟୋସାଇନ୍ସେସ ତରଫରୁ ଏହି ପ୍ରୟାସ କରାଯାଇଥିଲା । ଗଧିଆଙ୍କର ପୁରୁଣା ଡିଏନଏ, କ୍ଲୋନିଂ ଓ ଜିନ ଏଡିଟିଂ କରି ସେମାନଙ୍କୁ ନୂଆ ଜୀବନ ଦେବା ସମ୍ଭବ ହୋଇପାରିଛି । ଏଥିପାଇଁ ଗଧିଆଙ୍କର ଅତି ନିକଟ ସମ୍ପର୍କୀୟ ଗ୍ରେ ଓ୍ବଲଫର ଡିଏନଏକୁ ବ୍ୟବହାର କରାଯାଇଥିଲା । ଭୟଙ୍କର ଗଧିଆ ଏକଦା ଉତ୍ତର ଆମେରିକାରେ ବାସ କରୁଥିଲେ । ଗ୍ରେ ଓ୍ବଲଫର ଆକାର ତୁଳନାରେ ଏହାର ଆକାର ବଡ଼ । ଜନ୍ମଲାଭ କରିବା ପରେ ଶିଶୁ ଗଧିଆଙ୍କୁ ସରୋଗେଟ ଦ୍ବାରା କ୍ଷୀର ପାନ କରାଯାଇଥିଲା । କିଛି ଦିନ ପରେ ଟିମ ସଦସ୍ୟମାନେ ସେମାନଙ୍କୁ ବୋତଲରେ କ୍ଷୀର ପାନ କରାଇଥିଲେ । ବର୍ତ୍ତମାନ ସେମାନେ ଯୁବ ଭୟଙ୍କର ଗଧିଆ ଭାବେ ଜୀବନ ବିତାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।