ନିୟନ୍ତ୍ରଣରେ ଡିପଥେରିଆ ସ୍ଥିତି, ନୂଆ ମାମଲା ସାମନାକୁ ଆସିନି

1 min read

ଭୁବନେଶ୍ବର: ଡିପଥେରିଆ ସ୍ଥିତି ନିୟନ୍ତ୍ରଣରେ ଅଛି । ଆଉ ନୂଆ କେସ ଆସିନି । ସେହି ୨୧ ମାମଲାରେ ସ୍ଥିର ଅଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ଯ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ଆଉ ରାୟଗଡା ହସ୍ପିଟାଲରେ କୌଣସି ରୋଗୀ ନାହାନ୍ତି । ସମସ୍ତ ରୋଗୀ ଘରକୁ ଫେରିଗଲେଣି । ଭବାନୀପାଟଣାରେ ଯେଉଁ ପାଞ୍ଚ ରୋଗୀ ଚି଼ହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇ ଜଣ ଡିପଥେରିଆ ରୋଗୀ । ବାକି ସମସ୍ତଙ୍କୁ ଥଣ୍ଡା ଜ୍ୱର ବୋଲି ଜଣାପଡିଛି ।

ସେହି ପାଞ୍ଚ ଭିତରୁ ଜଣେ କାଶୀପୁର ପଳେଇ ଯାଇଛନ୍ତି । ତାଙ୍କୁ ଖୋଜିବାକୁ ସ୍ୱାସ୍ଥ୍ୟ ବିଭାଗ ଷ୍ଟାଫ ଯାଇଛନ୍ତି । ତାଙ୍କର ଟେଷ୍ଟ ହେବ। ଆବଶ୍ୟକ ପଡିଲେ, ହସ୍ପିଟାଲରେ ଭର୍ତ୍ତି କରାଯିବ । ଆଖପାଖ ଜିଲ୍ଲାରେ ଥଣ୍ଡା, ଜ୍ୱର ନେଇ ସର୍ଭେଲାନ୍ସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଣ୍ଟିବଡି ଟେଷ୍ଟ ପାଇଁ ପଠାଯାଇଛି । ତାପରେ ଟିକାର ପ୍ରଭାବ ଜଣା ପଡିବ । ତେବେ ଟିକାର ପ୍ରଭାବ କମିବାନେଇ କାରଣ ଖୋଜୁଛି ସ୍ବାସ୍ଥ୍ଯ ବିଭାଗ ।

ଷ୍ଟ୍ରେନ ବଦଳିଥିବା ଯୋଗୁଁ ଟିକାର ପ୍ରଭାବ କମିଥାଇପାରେ । ତେଣୁ ଜେନମ ସିକୁଏନସିଂ ପାଇଁ ILS କି RMRC କୁ କୁହାଯିବ । ସେମାନଙ୍କ ପାଖରେ ନମୁନା ପୂର୍ବରୁ ଅଛି । କୋରାପୁଟ ବନ୍ଧୁଗାଁର ଜଣେ ରୋଗୀ ନିମୋନିଆରେ ପୀଡିତ । ସେ MKCG ମେଡିକାଲରେ ଭେଣ୍ଟିଲେଟରରେ ଅଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ଯ ନିର୍ଦ୍ଦେଶକ ।