ରାୟଗଡ଼ା ନୁହେଁ କଳାହାଣ୍ଡିରୁ ବ୍ୟାପିଛି ଡିପଥେରିଆ ସଂକ୍ରମଣ

ଭୁବନେଶ୍ବର: ଡିପଥେରିଆ ସଂକ୍ରମଣକୁ ନେଇ ଆସିଛି ବଡ଼ ଅପଡେଟ୍ । ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ରାଜ୍ୟରେ ଡିପଥେରିଆ ସଂକ୍ରମଣର ଉତ୍ସ ବୋଲି ଜଣାପଡିଛି । କଳାହାଣ୍ଡିର ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ବ୍ୟାପିଛି ସଂକ୍ରମଣ । ମାନୁଷପଦରରୁ ଜଣେ ବ୍ୟକ୍ତି ଇନ୍ଦ୍ରାବତୀକୁ ଯାଇଥିଲେ । ସେ ସେଠାରୁ ସଂକ୍ରମିତ ହୋଇ ମାନୁଷପଦର ଫେରିବା ପରେ ରାଜ୍ୟରେ ଡିପଥେରିଆ ସଂକ୍ରମଣ ବ୍ଯାପି ଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ।

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କଳାହାଣ୍ଡି, କୋରାପୁଟରେ ଏବେ ବି ସର୍ଭେଲାନ୍ସ ଚାଲିଛି । କୋରାପୁଟ ବନ୍ଧୁଗାଁର ୩୩ ପିଲାଙ୍କୁ ଦିଆଯାଇଛି ବୁଷ୍ଟର ଡୋଜ । କାଶୀପୁରର ମାନୁଷପଦର ଅଞ୍ଚଳର ୧୮ଟି ଗାଁରୁ ୧୩ଟି ଗାଁରେ ସରିଛି ବୁଷ୍ଟର ଡୋଜ୍ ଟୀକାକରଣ । ଏ ସବୁ ଗାଁରେ ୪୬୮ ପିଲାଙ୍କୁ ବୁଷ୍ଟର ଡୋଜ ଦିଆଯାଇଛି । ଏହାଛଡ଼ା କାଶୀପୁର ବ୍ଲକର ଅନ୍ୟ ଗାଁରେ ଯେଉଁ ପିଲାମାନେ ଡିପଥେରିଆ ଟୀକା ବିଲକୁଲ ନେଇ ନଥିବେ, ସେମାନଙ୍କୁ ଚିହ୍ନଟ କରାଯାଇ ଟୀକା ଦିଆଯିବ ।

ପଥେରିଆରେ ମୃତ୍ୟୁ ଘଟିଥିବା ଜଣେ ୧୧ ବର୍ଷୀୟା ଝିଅର ଓଜନ ୧୫ କିଲୋଗ୍ରାମ ଥିଲା । ତେବେ ତାହା ଅପପୁଷ୍ଟି ନା ନାହିଁ, ସେ ନେଇ ଯାଞ୍ଚ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିବା ଡାକ୍ତର ସଂଯୁକ୍ତା କହିଛନ୍ତି ।

ଅନ୍ଯପଟେ ରାଜ୍ୟରେ ଡିପଥେରିଆ ସଂକ୍ରମଣ ସ୍ଥିର ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ନୂଆ ସଂକ୍ରମଣ ହୋଇନି । ସଂକ୍ରମଣର କାରଣ ଅପପୁଷ୍ଟି ନା ନୁହେଁ, ସେ ନେଇ ଅନ୍ୟ ବିଭାଗ ଦ୍ଵାରା ତଦନ୍ତ ଚାଲିଛି । ଏହାର ଯାଞ୍ଚ କରିବାକୁ ଜିଲ୍ଲାପାଳ ମଧ୍ଯ ନିର୍ଦ୍ଦେଶ ଦେଇଛନ୍ତି । ସେଠାକୁ ଯାଇଥିବା ଜଣେ ବୟସ୍କ ଲୋକ ପ୍ରଥମେ ଡିପଥେରିଆରେ ଆକ୍ରାନ୍ତ ହୋଇଥିଲେ । ଏବେ କଲାହାଣ୍ଡିର ସଂକ୍ରମଣର ଉତ୍ସ ସ୍ଥଳରେ ସର୍ଭେଲାନ୍ସ ଚାଲିଛି ।