ବିଜେପି ସରକାରଙ୍କ କର୍ମଚାରୀ ଓ ସହଯୋଗୀ ପାଲଟିଛି ଓଡିଶା ପୋଲିସ : ଦୀପାଳି ଦାସ

1 min read

ନନ୍ଦିଘୋଷ ବ୍ୟୁରୋ: କିର୍ମିରାରେ ଗଣତନ୍ତ୍ରକୁ ହତ୍ଯା । ଆଇନର ଉଡିଛି ଧଜ୍ଜିଆ । ବିଜେପି ସରକାରଙ୍କ କର୍ମଚାରୀ ଓ ସହଯୋଗୀ ପାଲଟିଛି ଓଡିଶା ପୋଲିସ । ବିନା କାରଣରେ ବିନା ସର୍ଚ୍ଚ ୱାରଣ୍ଟରେ ବିନା ଦୋଷରେ ୨୪ ଘଣ୍ଟା ଧରି କିର୍ମିରା ପିଆରଆଇ ସଦସ୍ଯଙ୍କୁ ଅଟକ ରଖି ଦେଇଛି ମାନସିକ ନିର୍ଯାତନା । ଝାରସୁଗୁଡ଼ା କିର୍ମିରା ବ୍ଲକ ଅନାସ୍ଥା ପ୍ରସ୍ତାବ ଭୋଟ ପ୍ରସଙ୍ଗରେ ଏପରି ସାଂଘାତିକ ଅଭିଯୋଗ ଆଣି ଏମିତି ବର୍ଷିଛନ୍ତି ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ । କିର୍ମିରାରେ ଗଣତନ୍ତ୍ରକୁ ହତ୍ଯା କରାଯାଇଛି । ଅନାସ୍ଥା ପାଇଁ ପୋଲିସକୁ ଗୁଣ୍ଡା ଭାବେ ବ୍ୟବହାର କରାଯାଉଛି ବୋଲି କହିବା ସହିତ ସାହାସ ଅଛି ଯଦି କାଲି ଭୋଟ କରିବାକୁ ସେ ଚ୍ଯାଲେଞ୍ଜ ଦେଇଛନ୍ତି । ହେଲେ ହାରିଯିବା ଭୟରେ ସେମାନେ କରିବେନି । ପ୍ରେସମିଟ କରି ଦୀପାଳି କହିଛନ୍ତି, ଗତ ୧୩ ସେପ୍ଟେମ୍ବରରେ କିର୍ମିରାର ଦୁଇ ତୃତୀୟାଂଶ ପଞ୍ଚାୟତ ପ୍ରତିନିଧି ଜିଲ୍ଲାପାଳଙ୍କୁ ଅନାସ୍ଥା ଭୋଟ ନେଇ ପ୍ରସ୍ତାବ ଦିଆଗଲା । ହେଲେ ତାକୁ ଗଡ଼ାଇ ଚାଲିଲେ ପ୍ରଶାସନ । ବିଜେଡି ଆନ୍ଦୋଳନ କଲା ।

ଶେଷରେ ଆମେ ହାଇକୋର୍ଟ ଗଲୁ । କୋର୍ଟ ଏସବୁ ଦେଖି ଅନାସ୍ଥା ପାଇଁ ନିର୍ଦ୍ଦେଶ ଦେଲେ । ଆଇନ ଅନୁସାରେ ୭ ଦିନ ଭିତରେ ତାରିଖ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ । ହେଲେ ଜିଲ୍ଲାପାଳ ଜାଣିଶୁଣି ୧୦ ଜାନୁଆରୀ ତାରିଖ ଦେଲେ । ୮ ତାରିଖରେ ବିଜେପି ଗୁଣ୍ଡା ଅନାସ୍ଥା ନେଇ ଧମକାଇଲେ । ପରିବାରକୁ ହଇରାଣ କରିବାକୁ ଧମକ ଦେଲେ । ଯେଉଁଥିପାଇଁ ୧୨ ସମିତି ସଭ୍ୟ ଭିଡିଓ ଜାରି କରି ସୁରକ୍ଷା ମାଗିଲେ । ସେମାନେ ଭୋଟିଂ ପାଇଁ ଆଗ୍ରହୀ ଥିଲେ । ୯ ତାରିଖରେ କାହା ନିର୍ଦ୍ଦେଶରେ ଲାଇକେରା ଆଇଆଇସି ଦିଲ୍ଲୀପ ବେହେରା ସ୍ଥାନୀୟ ଗୁଣ୍ଡାଙ୍କ ସହ ଘରୋଇ ସମ୍ପତ୍ତି ତଲାସୀ କରିବାକୁ ଆସିଲେ ? ଏହା କି ଆଇନ ? ବିଶାଳ ଦାସ ଏ ନେଇ ଆଇଜିଙ୍କୁ ଭେଟିଥିଲେ । ତାଙ୍କ ସହ ରେଙ୍ଗାଳି ବିଧାୟକ ଯାଇଥିଲେ । ବିଧାୟକଙ୍କୁ କେମିତି ୪୫ ମିନିଟ ବାହାରେ ବସାଇଲେ IG ? ସେପଟେ ରାୟପୁର ବୁଲିବାକୁ ଯାଇଥିବା ଦିଲ୍ଲୀପ ବେହେରା ଛତିଶଗଡ ହୋଟେଲ ଯାଇ ପିଆରଆଇ ସଦସ୍ଯଙ୍କୁ ଅଟକ ରଖିଲେ ?

ନିଖୋଜ ମାମଲା ସତ୍ତ୍ବେ ଆଇଆଇସି କାହିଁକି ସେମାନଙ୍କୁ ସାଙ୍ଗରେ ଆଣିଲେନି ? ମୋ ଭାଇ ବିଶାଲ ଦାସଙ୍କୁ ସରେଇପାଲି ନିଆଗଲା । ସମସ୍ତଙ୍କୁ ଅଲଗା ଅଲଗା ରଖାଗଲା । ଛତିଶଗଡ ପୋଲିସ କହିଲେ ଉପରୁ ଅର୍ଡର ଆସିଲେ ଛାଡ଼ିବୁ । କେଉଁ ଅର୍ଡର ଓଡ଼ିଶାର ନା ଛତିଶଗଡର ବୋଲି ପ୍ରଶ୍ନ କରିଛନ୍ତି ଦୀପାଳି । 12 ଘଣ୍ଟା ବିନା ଖାଦ୍ୟ ବିନା ପାଣିରେ ମହିଳା, ଛୁଆ ଓ ବୟସ୍କକୁ ଅଟକ ରଖାଗଲା । ମୋ ଭାଇ ଓ ଅନ୍ୟମାନଙ୍କୁ କାହା ଅର୍ଡରରେ ଅଟକ ରଖାଗଲା ବୋଲି ପଚାରିଛନ୍ତି ଦୀପାଳି । ରାଜନୈତିକ ଚାପରେ ଭୋଟ ବନ୍ଦ କରାଗଲା । ନବୀନ ପଟ୍ଟନାୟକ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ । ତାପରେ ସମସ୍ତଙ୍କୁ ଛଡାଗଲା ବୋଲି କହିଛନ୍ତି ଦୀପାଳି । ସେଥିପାଇଁ ବିଜେଡି ସୁପ୍ରିମୋଙ୍କୁ ଧନ୍ଯବାଦ ଜଣାଉଛି । ମୋ ପରିବାରକୁ ଆଉ ଟାର୍ଗେଟ କରନ୍ତୁ ନାହିଁ ବୋଲି ଦୀପାଳି କହିବା ସହିତ ସେ କାହାକୁ ଡରନ୍ତିନି ବୋଲି କହିଛନ୍ତି । ବାପାଙ୍କ ଆଶୀର୍ବାଦ, ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଓ ଝାରସୁଗୁଡାବାସୀଙ୍କ ଭଲ ପାଇବା ତାଙ୍କ ସହ ଅଛି ବୋଲି କହିଛନ୍ତି ଦୀପାଳି ।