ଅଭିନବ ପ୍ରତିବାଦ: ସରକାରଙ୍କ ବିରୋଧରେ ସରକାରୀ କର୍ମଚାରୀଙ୍କ ଡିଜିଟାଲ ଆନ୍ଦୋଳନ

ଭୁବନେଶ୍ବର: ଡିଜିଟାଲରେ ବିଧାନସଭା ଘେରାଉ । ତାହା ପୁଣି ସରକାରୀ କର୍ମଚାରୀଙ୍କ ଦ୍ୱାରା । କଥାଟା ଟିକେ ଖଟକା ଲାଗୁଥିଲେ ମଧ୍ୟ ସତ୍ୟ । ରାଜ୍ୟରେ ନୂଆ ବିଜେପି ସରକାରର ପ୍ରଥମ ବିଧାନସଭା ଅଧିବେଶନର ଆରମ୍ଭ ଦିନରୁ ଡିଜିଟାଲ ମାଧ୍ୟମରେ ସରକାରୀ କର୍ମଚାରୀ ସରକାରଙ୍କୁ ଘେରାଉ କରିଛନ୍ତି । ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଓ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିବା ଦାବିରେ ଡିଜିଟାଲ ମାଧ୍ୟମରେ ବିଧାନସଭା ଘେରିଛି ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ।

ବିଧାନସଭା ଆରମ୍ଭରୁ ନୂଆ ବିଜେପି ସରକାରକୁ ଘେରିଛନ୍ତି ସରକାରୀ କର୍ମଚାରୀ । ରାଜରାସ୍ତାକୁ ଆସିନାହାନ୍ତି କି ହୋହାଲା କରିନାହାନ୍ତି। ସରକାରୀ କାମ ମଧ୍ୟ ବ୍ୟାହତ ହେବାକୁ ଦେଇନାହାନ୍ତି । ଡିଜିଟାଲ ମାଧ୍ୟମରେ ଜୋରଦାର ଆନ୍ଦୋଳନ କରିଛନ୍ତି ସରକାରୀ କର୍ମଚାରୀ । ପ୍ରମୁଖ ଦାବି ସବୁ ନେଇ ବିଧାନସଭା ଘେରିଛନ୍ତି ୪ ଲକ୍ଷ ସରକାରୀ କର୍ମଚାରୀ । ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ତଥା ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାରକୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ ଦାବିରେ ଡିଜିଟାଲରେ ବିଧାନସଭା ଘେରାଉ କରିଛନ୍ତି ।

କର୍ମଚାରୀମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ହାସଟ୍ୟାଗ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକମାନଙ୍କୁ ଟ୍ୟାଗ କରାଯିବା ସହ କମେଣ୍ଟ ମାଧ୍ୟମରେ ଦାବି ଉପସ୍ଥାପନ କରାଯାଉଛି । ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଏହାକୁ ବ୍ୟାପକ କରାଯାଇଛି । ଦାବି ପୂରଣ ନହେବା ଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି କହିଛି ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ।

ସେପଟେ ପୁରୁଣା ପେନସନ ବ୍ୟବସ୍ଥା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି କହିଛନ୍ତି ଆନ୍ଦୋଳନକାରୀ ସରକାରୀ କର୍ମଚାରୀ । ଏହି ବ୍ୟବସ୍ଥା ବନ୍ଦ ହେବା ଦ୍ୱାରା କର୍ମଚାରୀଙ୍କ ଅବସର ପରେ ଜୀବନ ଦୁର୍ବିସହ ହେଉଛି । ଅନ୍ୟ କିଛି ରାଜ୍ୟରେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଓଡିଶା ସରକାର ତାହା ଲାଗୁ କରନ୍ତୁ ବୋଲି ସରକାରୀ କର୍ମଚାରୀମାନେ ଦାବି କରିଛନ୍ତି ।

ଏହି ପ୍ରସଙ୍ଗ ନେଇ ସରକାରୀ କର୍ମଚାରୀମାନେ ପୂର୍ବରୁ ରାସ୍ତାକୁ ଓହ୍ଲାଇ ଥିବା ବେଳେ ଏବେ ଡିଜିଟାଲ ମାଧ୍ୟମରେ ଆନ୍ଦୋଳନକୁ ବ୍ୟାପକ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।