ଲୋକସଭାରେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ-୨୦୨୩ ପାରିତ

1 min read

ନୂଆଦିଲ୍ଲୀ: ବିରୋଧୀଙ୍କ ବିରୋଧ ସତ୍ତ୍ବେ ଲୋକସଭାରେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ-୨୦୨୩ ଗୃହିତ । ପ୍ରାଇଭାସି ସଂକ୍ରାନ୍ତ ମୌଳିକ ଅଧିକାରର କ୍ଷୁଣ୍ଣ ହେବା ନେଇ ବିଲ୍‌ରେ ବ୍ୟବସ୍ଥା ରହିଛି ବୋଲି ଅଭିଯୋଗ କରିଥିଲେ ବିରୋଧୀ । ତେବେ ଭାରତୀୟଙ୍କ ବ୍ୟକ୍ତିଗତ ଗୋପନୀୟତା ସଂକ୍ରାନ୍ତ ତଥ୍ୟର ଅପବ୍ୟବହାର ହେଲେ ୨୫୦ କୋଟି ଟଙ୍କାର ଜୋରିମାନା ବ୍ୟବସ୍ଥା ରହିଛି ବିଲ୍‌ରେ। ଏହି ସହ ବ୍ୟକ୍ତିବିଶେଷଙ୍କ ଡିଜିଟାଲ ତଥ୍ୟର ସୁରକ୍ଷାର ବିଫଳତା କ୍ଷେତ୍ରରେ ବି ଲାଗୁ ହେବ ଜୋରିମାନା । ବିଲ୍ର ବ୍ୟବସ୍ଥା ଅନୁସାରେ ବ୍ୟକ୍ତିବିଶେଷଙ୍କ ଅଧିକାରର ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି ।

ଗତ ଅଗଷ୍ଟ ୩ ତାରିଖରେ ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦ୍ବାରା ବିଲ୍ ଆଗତ ହୋଇଥିଲା । ଉଭୟ ଅନଲାଇନ ଓ ଡିଜିଟାଇଜଡ ଅଫଲାଇନ ଡାଟାର ସୁରକ୍ଷା ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି । ଭାରତ ଓ ଭାରତ ବାହାରେ ବି ଏହି ନିୟମ ଲାଗୁ ହେବ । ବ୍ୟକ୍ତିଗତ ତଥ୍ୟ ଆଇନଗତ କାର୍ଯ୍ୟରେ ବ୍ୟବହୃତ ହେଉଥିବାବେଳେ ଅନେକ ସମୟରେ ବେଆଇନ କାର୍ଯ୍ୟକଳାପରେ ଏହା ବ୍ୟବହୃତ ହୋଇଆସୁଛି । ଏହି ବିଲ୍ ଯୋଗୁ ବ୍ୟକ୍ତିଗତ ତଥ୍ୟର ନିର୍ଭୁଲତା, ତଥ୍ୟ ନିରାପତ୍ତା ଆଦି ସମ୍ଭବ ହେବ ।

ସେପଟେ ଆଜି ସଂସଦରେ ଲାଗିବ ମୋହର । ରାଜ୍ୟସଭାରେ ଆଗତ ହେଲା ଦିଲ୍ଲୀ ସେବା ବିଲ । ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଲୋକସଭାରେ ବିଲ ପାସ୍ ହୋଇଥିଲା । ଦିଲ୍ଲୀ ଉପରେ ଅଧିକାରକୁ ନେଇ କେନ୍ଦ୍ର-କେଜ୍ରିଓ୍ବାଲ ସରକାର ମଧ୍ୟରେ ଏହି ଲଢ଼େଇରେ ଆମ ଆଦମୀ ପାର୍ଟି ସହ ୨୬ ଦଳର ସମର୍ଥନ ରହିଛି । ଏହାସହ ତେଲେଙ୍ଗାନାର ବିଆରଏସ୍ ମଧ୍ୟ ଦିଲ୍ଲୀ ବିଲକୁ ରାଜ୍ୟସଭାରେ ବିରୋଧ କରିବ । ଆଜି ଗୃହରେ ଚର୍ଚ୍ଚା ପରେ ସନ୍ଧ୍ୟାରେ ବିଲ ଉପରେ ଭୋଟିଂ ହୋଇପାରେ ।