ପ୍ରହସନ ପାଲଟିଛି ଡିଜିଟାଲ ଇଣ୍ଡିଆ, ଯୋଜନା ଆଳରେ ନାଁ ନେବାରେ ବ୍ୟସ୍ତ କେନ୍ଦ୍ର

1 min read

ଭୁବନେଶ୍ୱର: ଡିଜିଟାଲ ଇଣ୍ଡିଆ ।  ସବୁ ଯୋଜନାର ହିତାଧିକାରୀଙ୍କୁ ଡିଜିଟାଲ ଯୋଗେ ହେବ ପେମେଣ୍ଟ । କେନ୍ଦ୍ର ସରକାର ମାଳ ମାଳ ଯୋଜନା କରି ନାଁ ନେବାରେ ବ୍ୟସ୍ତ । ହେଲେ ଓଡ଼ିଶାକୁ ମୋବାଇଲ ଟାୱାର ନେଟୱର୍କ, ଇଣ୍ଟରନେଟ ପରି ଟେଲି ଯୋଗାଯୋଗ ସାନ୍ଧ୍ରତା ବଢାଉ ନାହାଁନ୍ତି । ଗତ ଡିସେମ୍ବରରେ ସଂସଦରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି  ଆକର୍ଷଣ କରି ଏହି କଥା କହିଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । ଆଜି ବିଧାନସଭାରେ IT ମନ୍ତ୍ରୀ ତୁଷାରକାନ୍ତି ବେହେରା କେନ୍ଦ୍ର ସରକାରଙ୍କ ଅବହେଳା ନେଇ ବର୍ଷିଛନ୍ତି । ଓଡ଼ିଶାରେ ୮୪.୫% ଟେଲି ଡେନସିଟି ଆବଶ୍ୟକ ଥିବାବେଳେ ମିଳିଛି ୭୬.୦୪% ବୋଲି ପ୍ରଶ୍ନକାଳରେ ଗୃହରେ ତଥ୍ୟ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ୮.୪୬% କମ୍ ଯୋଗୁଁ ଉପାନ୍ତ ଅଞ୍ଚଳରେ ଥିବା ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନି ଆର୍ଥିକ ସହାୟତା । ଛାତ୍ରଛାତ୍ରୀଙ୍କ ପାଠପଢା ବି ବ୍ୟାହତ ହେଉଛି ।

ପୂର୍ବରୁ ସରକାରୀ ମୋବାଇଲ ନେଟୱାର୍କର ଅଧିକାଂଶ ଜାଗାରେ ଅପହଞ୍ଚ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଜଣାଇସାରିଛନ୍ତି । ଏପରିକି ଗଛ ଓ ପାହାଡ଼ ଉପରକୁ ଗଲେ ମୋବାଇଲ ନେଟୱର୍କ ମିଳିଥାଏ । ଯେଉଁଥିପାଇଁ ବ୍ୟାଙ୍କିଙ୍ଗ ଓ ୱାର୍କ ଫ୍ରମ୍ ହୋମରେ ଅସୁବିଧା ଉପୁଜୁଛି । କୋଭିଡ୍ କାଳରେ ବି ଅନଲାଇନ କ୍ଲାସରୁ ବଞ୍ଚିତ ହେଲେ ପିଲାମାନେ । କେନ୍ଦ୍ରର ଏପରି ଅବହେଳା ବିଜେପି ନେତା ଓ ସଦସ୍ୟଙ୍କ ଆଖିକୁ ଦେଖାଯାଉନି । କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ ଆକାଂକ୍ଷୀ ଜିଲ୍ଲା ପ୍ରକଳ୍ପରେ ଓଡ଼ିଶାର ୧୦ ଜିଲ୍ଲାର ୩୯୩୩ ଗାଁରେ ଟାୱାର ବସିବାର ଯୋଜନା ଅଛି । ତାକୁ ବି ଗୁରୁତ୍ବ ଦେଉନାହାଁନ୍ତି କେନ୍ଦ୍ର ସରକାର । ଏବେ ୨୩୭୯ ଟାୱାର କାମ୍ ଚାଲିଛି । 4G ଯାଇ 5G ଆସିଲାଣି ଏବେ ବି ରାଜ୍ୟର ଅଧିକାଂଶ ଜିଲ୍ଲାରେ 2G ଟାୱାରରେ କାମ୍ ଚାଲିଛି । ମନ୍ତ୍ରୀଙ୍କ ଉତ୍ତର ହେଲା, ୨୮୧୪ ଗାଁରେ ୧୬୨୮ 4G ଟାୱାର ଲାଗିବ । ୧୦୦୦ଟି 2G ଟାୱାରକୁ 4Gରେ ରୂପାନ୍ତର କରିବାର ବ୍ୟବସ୍ଥା କରାଯାଉଛି । 5G ନେଇ ଭେଳିକି ଦେଖାଇଆସୁଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ରର ଉଦାସୀନତା ଏତିକିରେ ସୀମିତ ନାହିଁ । ସମ୍ବେଦନଶୀଳ ମାଓ ଅଧ୍ୟୁଷିତ ଅଂଚଳରେ ତ୍ବରାନ୍ବିତ ହୋଇପାରିନି ମୋବାଇଲ ଟାୱାର ପ୍ରତିଷ୍ଠା । କିଛି ସ୍ଥାନରେ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ ସ୍ଥାନ ନିରୂପଣ ହୋଇଛି । ରାଜ୍ୟ ସରକାର ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ ଜମି ଯୋଗାଇଥିଲେ ବି କେନ୍ଦ୍ରର ସ୍ଥାଣୁତା ଏଥିରେ ଅନ୍ତରାୟ ସୃଷ୍ଟି କରିଛି । ଯାହାକୁ ନେଇ ଆଜି ଗୃହରେ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ରାଜ୍ୟର ୯ଟି ନକ୍ସଲ ପ୍ରଭାବିତ ଜିଲାରେ ବାମପନ୍ଥୀ ଉଗ୍ରବାଦୀ ପ୍ରୋଜେକ୍ଟ-୨ କାର୍ଯ୍ୟକ୍ରମ ଚାଲିଛି । ଯେଉଁଥିରେ ୪୮୩ଟି 4G ସେବା ସମ୍ପନ୍ନ ଟାୱାର ନିର୍ମାଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।