ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ: ଗଜପତି ମହାରାଜ

ନନ୍ଦିଘୋଷ ବ୍ୟୁରୋ: ଦୀଘା ଜଗନ୍ନାଥ ଧାମ ନୁହେଁ । ଜଗନ୍ନାଥ ଧାମ କେବଳ ଶ୍ରୀକ୍ଷେତ୍ର ପୁରୀକୁ ବୁଝାଇବ । ଦୀଘା ମନ୍ଦିରର ନାମକରଣକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ବୋଲି କହିଛନ୍ତି ଗଜପତି ମହାରାଜ ।

ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଛତିଶା ନିଯୋଗ ବୈଠକରେ ହେଲା ଆଲୋଚନା । ଗଜପତି ମହାରାଜ କହିଲେ. ଦୀଘା ଜଗନ୍ନାଥ ଧାମ ନାମ ସଂସ୍କୃତି ବିରୋଧୀ । ତେଣୁ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯାଇ ପାରିବ ନାହିଁ । ମୁଖ୍ୟମନ୍ତ୍ରୀ ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ସବୁ ପ୍ରକାର ତଥ୍ୟ ଅଛି । ତେଣୁ ମୁଖ୍ୟମନ୍ତ୍ରୀ ଏହି ଘଟଣାର ସମାଧାନ କରିବାକୁ ଅନୁରୋଧ କରିଛି ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ।

ସେପଟେ ଘୋଷଯାତ୍ରାକୁ ନେଇ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟରେ ମୋହର ବାଜିଛି । ଗତବର୍ଷ ଆଡ଼ପ ମଣ୍ଡପ ବିଭ୍ରାଟର ତଦନ୍ତ ରିପୋର୍ଟ ଆସିଛି । ବୈଠକରେ ରିପୋର୍ଟ ନେଇ ଆଲୋଚନା ହୋଇଛି । ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ, ଗତବର୍ଷ ବିଭ୍ରାଟ ପରେ ଏ ବର୍ଷ ଆଡପ ପହଣ୍ଡିରେ ଅଭିଜ୍ଞ ଦଇତାପତି ରହିବେ । ଏଥିପାଇଁ ତିଆରି ହେବ ସ୍ଵତନ୍ତ୍ର ଏସଓପି । ସେହିପରି ମହାପ୍ରଭୁଙ୍କ ସମସ୍ତ ଭୂସମ୍ପତ୍ତିର ସୁରକ୍ଷା କରାଯିବ । ଏଥିପାଇଁ ଗାଇଡ୍ ଲାଇନ୍ ଆସିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।