ନାଗ ଦେଖାଇ ଟଙ୍କା ମାଗିବା ଘଟଣା, ୬ ଜଣଙ୍କୁ ସର୍ତ୍ତମୂଳକ ଜାମିନ

ଦିଗପହଣ୍ଡି : ଚାରି ଜଣଙ୍କୁ ଅପହରଣ କରି ନାଗ ସାପ ଦେଖାଇ କୋଟିଏ ଟଙ୍କା ମାଗିବା ମାମଲା । ୬ଜଣଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । ସମସ୍ତେ ଶହେ ଗଛ ଲଗାଇବା ସହ ଗଛଗୁଡିକୁ ଦୁଇ ବର୍ଷ ଜଗିବେ । ଏଥିପାଇଁ ରାଜସ୍ୱ ବିଭାଗ ଜାଗା ଦେବ । ଆଇଆଇସି ତଦାରଖ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତ ଜାନୁଆରୀ ମାସ ୨୩ ତାରିଖରେ କଟକ ତୁଳସୀପୁରର ଅହମ୍ମଦ ଖାନ୍, ଭୁବନେଶ୍ଵର ନହରକଣ୍ଟାର ଅମରଜିତ ସାମନ୍ତସିଂହାର ଓ କଟକ ଗୋବିନ୍ଦପୁରର ବ୍ରହ୍ମାନନ୍ଦ ପାତ୍ର ଏବଂ ଫୋର୍ମିନିକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଏଜେଣ୍ଟ ତଥା ଦିଲ୍ଲୀର ରବୀନ୍ଦ୍ର କୁମାରଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ଏମାନଙ୍କୁ ଚିକିଟିଗଡ଼ର ନୂତନ ପାତ୍ରଙ୍କ ଘର ବାଡ଼ି ପଟେ ରଖାଯାଇଥିଲା। ଚାରି ଜଣଙ୍କୁ ନିର୍ଯାତନା ଦେବା ସହ ଏକ ନାଗ ସାପ ଦେଖାଇ ହତ୍ୟା ଧମକ ସାଙ୍ଗକୁ କୋଟିଏ ଟଙ୍କା ମାଗିଥିଲେ ଅଭିଯୁକ୍ତ। ୪ ଅପହୃତଙ୍କ ମଧ୍ୟରୁ ଅମରଜିତ ୨୬ ତାରିଖ ଭୋର୍ ସମୟରେ କୌଶଳକ୍ରମେ ଖସି ଆସି ଚିକିଟି ତହସିଲ ଅଫିସ୍ ଭିତରେ ପଶି ସବୁ କଥା କହିଥିଲେ । ଅଫିସ୍ରେ ଥିଇବା କର୍ମଚାରୀ ଏନେଇ ଅଧିକାରୀଙ୍କୁ ଜଣାଇବା ପରେ ଖବରପାଇ ପୁଲିସ ସମସ୍ତଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାରବେଳେ ଅପହୃତମାନଙ୍କୁ ରଖାଯାଇଥିବା ଜାଗାରେ ଗଞ୍ଜେଇ ଚାଷ ହୋଇଥିବା ମଧ୍ୟ ଜଣାପଡ଼ିଥିଲା। ଅଭିଯୁକ୍ତମାନେ ବ୍ୟବହାର କରିଥିବା ନାଗ ସାପଟିର ମୃତ୍ୟୁ ହୋଇଯାଇଥିଲା। ଏହି ଅପହରଣ ଘଟଣାରେ କେ. ନୂଆଁ ଗାଁ ପୋଲିସ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେମାନଙ୍କୁ ଆଜି ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ ।