ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ଆସିଛି ସାଂଘାତିକ ଅଭିଯୋଗ: ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ନାଁରେ ଚାଲିଛି ହରିଲୁଟ
1 min readବ୍ରହ୍ମପୁର: ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ଏଥିରେ ବାଧକ ସାଜିଛନ୍ତି ସମ୍ପୃକ୍ତ କର୍ମଚାରୀ । ପ୍ରଶାସନିକ ସ୍ତରରେ ଅବହେଳାକୁ ମଧ୍ୟ ଏଥିପାଇଁ ଦାୟୀ କରାଯାଉଛି । ଗଞ୍ଜାମ ଜିଲ୍ଲାର କିଛି ବ୍ଲକ୍ରେ ନିୟମକୁ ଫୁ’ କରି ଲକ୍ଷଲକ୍ଷ ଟଙ୍କା ଲୁଟ ହେଉଥିବା ନେଇ ନନ୍ଦିଘୋଷ ଟିଭି ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।
ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ନାଁରେ ହରିଲୁଟ୍ । କାଗଜ କଲମରେ ଚାଲିଛି ପୁଷ୍ଟିକର ଖାଦ୍ୟ ଯ଼ୋଗାଣ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।
ଆଇସିଡିଏସ୍ ଅଫିସ୍ର ଚାରିଆଡ଼କୁ ଲମ୍ବିଛି ଦୁର୍ନୀତିର ଚେର । ସରକାରୀ ନିୟମ ଅନୁସାରେ, ପଞ୍ଜୀକରଣ କରିବା ପରଠାରୁ ଶିଶୁ ଜନ୍ମର ୬ ମାସ ପର୍ଯ୍ୟନ୍ତ ମହିଳାଙ୍କୁ ମାସକୁ ୧୨ଟି ଅଣ୍ଡା ମିଳିବା କଥା । ସେହିପରି ପ୍ରି– ସ୍କୁଲ ଶିଶୁଙ୍କୁ ମାସକୁ ୨୦ଟି ଅଣ୍ଡା ମିଳିବାର ନିୟମ ରହିଛି ।
ବର୍ତ୍ତମାନ ପରିସ୍ଥିତିରେ ପିଲାଙ୍କୁ ରନ୍ଧାଖାଦ୍ୟ ନଦେଇ ଚାଉଳ, ଡାଲି, ତେଲ ଓ ପରିବା ଦିଆଯିବା କଥା । ହେଲେ ଦିଗପହଣ୍ଡି ବ୍ଲକ୍ରେ ପଞ୍ଜୀକୃତ ମୃହିଳାଙ୍କୁ ମାସକୁ ୧୨ଟି ଅଣ୍ଡା ବଦଳରେ ମିଳୁଛି ମାତ୍ର ୩ରୁ ୫ ଟି ଓ ପିଲାଙ୍କୁ ୨୦ଟି ଅଣ୍ଡା ବଦଳରେ ମାତ୍ର ୬ଟି ଅଣ୍ଡା ମିଳୁଥିବା ଅଭିଯୋଗ ହୋଇଛି ।
ଏହି ଅଭିଯୋଗ ପରେ ଜିଲ୍ଲାପାଳ ୩ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଙ୍ଗନବାଡି କର୍ମୀଙ୍କ ପାଖରେ ଆବଶ୍ୟକ ଅଣ୍ଡା ପହଞ୍ଚାଇବାକୁ ସିଡିପିଓଙ୍କୁ ଚିଠି ଲେଖିଥିଲେ ।
ହିତାଧିକାରୀଙ୍କ ତାଲିକା ଅନୁସାରେ ଅଣ୍ଡା ପ୍ରଦାନ କରିବାକୁ କୁହାଯାଇଥିଲା । ଏହି ପାଇଲଟ ପ୍ରୋଜେକ୍ଟକୁ ଆସିକା ସାଂସଦ ଶୁଭାରମ୍ଭ କରିଥିଲେ । ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସିଡିପିଓ ଏବଂ ଅଙ୍ଗନବାଡ଼ି କର୍ମୀ ନମାନି ନକଲି ବିଲ କରି ହରିଲୁଟ୍ କରୁଥିବା ଆମ କ୍ୟାମେରାରେ ଧରା ପଡିଛି ।
ଏନେଇ ଦିଗପହଣ୍ଡି ସିଡିପିଓ ଏବଂ ଗଞ୍ଜାମ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲୁ । ଏପରି ହୋଇଥିଲେ ବିଲ ବାବଦ ଅର୍ଥ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି । ଦିଗପହଣ୍ଡି ବ୍ଲକ୍ରେ ୨୭୦ଟି ଅଙ୍ଗନବାଡି କେନ୍ଦ୍ର ଅଛି । ୧୫୮୫ ଗର୍ଭବତୀ, ୧୮୧୮ ପ୍ରସୂତି ଓ ୩ ରୁ ୬ ବର୍ଷ ମଧ୍ୟରେ ୬୫୮୫ ଜଣ ଶିଶୁ ଅଛନ୍ତି । ଏମାନଙ୍କୁ ଅଣ୍ଡା ପ୍ରଦାନ ନାଁରେ ଲକ୍ଷଲକ୍ଷ ଟଙ୍କାର ହରିଲୁଟ୍ ଚର୍ଚ୍ଚାର ବିଷୟ ହୋଇଛି ।
https://www.facebook.com/NandighoshaTV/videos/249634352914964/