ରାକ୍ଷୀ କେବଳ ସୂତା ନୁହଁ, ୟେ ହେଉଛି ସଂପର୍କର ଡୋରି; ଏହାକୁ ନେଇ ଭିନ୍ନକ୍ଷମଙ୍କ ନିଆରା ପ୍ରୟାସ

ଭୁବନେଶ୍ୱର: ରାକ୍ଷୀ, ୟେ କେବଳ ସୂତା ନୁହଁ ୟେ ହେଉଛି ସଂପର୍କର ଡୋରି । ଭାଇ ହାତରେ ରାକ୍ଷୀ ବାନ୍ଧି ସୁରକ୍ଷା ପାଇଁ କାମନା କରେ ଭଉଣୀ । କିନ୍ତୁ ଏହି ସଂପର୍କର ଡୋରିକୁ ମଜଭୁତ କରିବା ପାଇଁ ଭିନ୍ନକ୍ଷମ ବାଳକ କଲେ ନିଆରା ପ୍ରୟାସ । ଲକଡାଉନରେ ସମୟକୁ ନଷ୍ଟ ନକରି ଘରେ ବସି ତିଆରି କଲେ ରଙ୍ଗ ବେରଙ୍ଗର ରାକ୍ଷୀ ।

Rakhi

ରାଜା, ବୟସ ୨୬ । ବୟସ ବଢିଯ଼ାଇଛି ସତ ଅଟିଜମ୍‌ ଯ଼ୋଗୁଁ ମାନସିକ ସ୍ତରରେ ବିକାଶ ହୋଇନାହିଁ । କିନ୍ତୁ ରାଜାର ସୃଜନଶୀଳତା ଆଗରେ ହାର ମାନିଛି ଭିନ୍ନକ୍ଷମ । କାରଣ ସେ ଅକ୍ଷମ ନୁହଁ ବରଂ ଅନ୍ୟଙ୍କ ତୁଳନାରେ ସକ୍ଷମ । ଆଗକୁ ରାକ୍ଷୀ ପୂର୍ଣ୍ଣୀମା ଆସୁଥିବାରୁ ରାକ୍ଷୀ ତିଆରି କରିବାରେ ଲାଗିପଡିଛି ରାଜା । ଏଭଳି ଭଳିକି ଭଳି ରଙ୍ଗ ରାଜାଙ୍କୁ ଆକୃଷ୍ଟ କରେ । ସେଥିପାଇଁତ ଖୁସି ମନରେ ମା’ଙ୍କ ସାଥିରେ ରାକ୍ଷୀ ତିଆରି କରିଚାଲିଛି ରାଜା ।

Rakhi

ରାଜାଙ୍କ ଭଳି ସୌରଭଙ୍କର ସମୟ ବି ରାକ୍ଷୀ ତିଆରି କରିବାରେ ବିତୁଛି । ଆଉ ବାକି ସମୟ ପରିବାର ସହ ବିତାଉଛନ୍ତି ସୌରଭ । ଭିନ୍ନକ୍ଷମଙ୍କ ଉନ୍ନୟନ ପାଇଁ କାମ କରୁଥିବା ସାମାଜିକ ସଙ୍ଗଠନ ଓ୍ବି ଫର ୟୁ ଆବିଲିଟି ବଜାରର ବ୍ୟବସ୍ଥା କରିଛି । ଭିନ୍ନକ୍ଷମଙ୍କ ଠାରୁ ରାକ୍ଷୀ ଯୋଗାଡ଼ କରି ବିକ୍ରି କରୁଛି ଏହି ସଙ୍ଗଠନ । ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଡୋର୍‌ ଟୁ ଡୋର୍‌ ବିକ୍ରି କରୁଛନ୍ତି ଅନୁଷ୍ଠାନର ସ୍ୱେଚ୍ଛାସେବୀ ।

ଲକ୍‌ଡାଉନ୍‌ରେ ଘରୁ ବାହାରିବା ମୁସ୍କିଲ, ସ୍ପେଶାଲ ସ୍କୁଲ ବି ବନ୍ଦ । ଏହି ସମୟରେ ଓ୍ବି ଫର ୟୁର ଏହି ନିଆରା ପ୍ରୟାସ ଏହି ପ୍ରତିଭାଙ୍କୁ ବ୍ୟସ୍ତ ରଖିବା ସହ ଏମାନଙ୍କ ମୁହଁରେ ଫୁଟାଇଛି ହସ ।

(ରିପୋର୍ଟର ଅନୁଜ ଦାସ)

Leave a Reply