BSKY ରେ କ’ଣ ମିଳୁଥିଲା ଓ ଆୟୁଷ୍ମାନ ଯୋଜନାରେ କ‘ଣ ମିଳିବ ସୁବିଧା ?
1 min readଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କଣ ମିଳୁଥିଲା ଓ ଆୟୁଷ୍ମାନ ଯୋଜନାରେ କଣ ମିଳିବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରେ ହିତାଧିକାରୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବହନ କରୁଥିଲେ। କିନ୍ତୁ ଆୟୁଷ୍ମାନ ଯୋଜନାରେ ପ୍ରଥମେ ରୋଗୀ ନିଜ ହାତରୁ ଖର୍ଚ୍ଚ ବହନ କରିବେ ଓ ପରେ ବୀମା କମ୍ପାନୀରୁ ଟଙ୍କା ଫେରସ୍ତ ପାଇବେ। ତେବେ କେତେଦିନ ମଧ୍ୟରେ ଟଙ୍କା ଫେରସ୍ତ ପାଇବେ ସେଥିରେ ସ୍ପଷ୍ଟତା ନାହିଁ। ଆୟୁଷ୍ମାନ ଯୋଜନାରେ ହିତାଧିକାରୀଙ୍କ ପରିବାର ପାଇଁ ଅତି ବେଶିରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବା ବେଳେ, ବିଏସକେୱାଇ କାର୍ଡରେ ପୁରୁଷ ସଦସ୍ୟଙ୍କ ପାଇଁ ୫ ଲକ୍ଷ ଓ ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ରହିଛି। ବିଏସକେୱାଇରେ ସମସ୍ତ ପ୍ରକାର ମେଡିକାଲ ଟେଷ୍ଟ ଓ ଫଲୋ ଅପ କନସଲଟେସନର ବ୍ୟବସ୍ଥା ରହିଥିବା ବେଳେ ଏହି ସୁବିଧା ଆୟୁଷ୍ମାନ ଯୋଜନାରେ ନାହିଁ I ଆୟୁଷ୍ମାନ ଯୋଜନା ଇନ୍ସୁରାନ୍ସ ଆଧାରରେ କାର୍ଯ୍ୟକ୍ଷମ ହେଉ ଥିବାରୁ ଅନେକ ସମୟରେ ଘରୋଇ ହସ୍ପିଟାଲ ଦେୟ ପାଇବା ବିଳମ୍ୱ ହୋଇଥାଏ। ଯେଉଁଥିପାଇଁ ହିତାଧିକାରୀଙ୍କୁ ଭର୍ତ୍ତି କରିବା ପାଇଁ ମନା କରି ଦେଇଥାନ୍ତି ହସ୍ପିଟାଲ। କିନ୍ତୁ ବିଏସକେୱାଇରେ ସରକାର ନିଜସ୍ବ ପାଣ୍ଠିରୁ ଦେୟ ପ୍ରଦାନ କରୁଥିବାରୁ, ଘରୋଇ ହସ୍ପିଟାଲ ରୋଗୀଙ୍କୁ ଆଡମିଟ କରିବା ପାଇଁ ଦ୍ବିଧା ପ୍ରକାଶ କରନ୍ତି ନାହିଁ। ରାଜ୍ୟର ପ୍ରାୟ ୯୬ ଲକ୍ଷ ୫୦ ହଜାର ଲୋକ ବିଏସକେୱାଇ ମାଧ୍ୟମରେ ମାଗଣା ଚିକିତ୍ସା ସୁବିଧା ପାଇ ପାରୁଛନ୍ତି ଓ ଏଥିରେ କୌଣସି ବୟସ ସୀମା ନାହିଁ। ହେଲେ ଆୟୁଷ୍ମାନ ଯୋଜନାରେ ରାଜ୍ୟର କେତେ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରାଯିବ, ସେନେଇ ସନ୍ଦେହ ରହିଛି। ଆୟୁଷ୍ମାନ ଯୋଜନାରେ ୭୦ ବର୍ଷରୁ ଅଧିକ ଲୋକଙ୍କୁ ସୁବିଧା ମିଳିବ ନା ନାହିଁ ସେ ନେଇ କିଛି ସ୍ପଷ୍ଟତା ନାହିଁ। କେଉଁ ଆଧାରରେ ଏହା ନିର୍ଦ୍ଧାରଣ ହେବ, ତାହା ସ୍ପଷ୍ଟ କରାଯାଇନାହିଁ । ହେଲେ ବିଏସକେୱାଇରେ କୌଣସି ବୟସ ସୀମା ନାହିଁ। ବିଏସକେୱାଇ ଲାଗୁ ହେବା ପରେ ରାଜ୍ୟର ମୁଣ୍ଡ ପିଛା ନିଜସ୍ବ ଚିକିତ୍ସା ଖର୍ଚ୍ଚରେ ଉଲ୍ଲେଖନୀୟ ହ୍ରାସ ଘଟିଛି । କିନ୍ତୁ ଆୟୁଷ୍ମାନ ଯୋଜନା ଲାଗୁ ହୋଇଥିବା ରାଜ୍ୟ ବଢ଼ିଛି ଲୋକଙ୍କ ଚିକିତ୍ସା ଖର୍ଚ୍ଚ। ଏହି ତଥ୍ୟରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ନବୀନ ସରକାରଙ୍କ ଦ୍ବାରା ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁ ସ୍ବାସ୍ଥ୍ୟ କ୍ଷେତ୍ରରେ, ଓଡିଶା ଅନେକ ବିଜେପି ଶାସିତ ରାଜ୍ୟ ମାନଙ୍କ ଠାରୁ ଭଲ ସ୍ଥିତିରେ ରହିଛି। ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ସଦୃଶ ରହିଥିବା ବିଏସକେୱାଇର ରୂପରେଖ ପରିବର୍ତ୍ତନ କରି ତାର ଉପାଦେୟତାକୁ କଦର୍ଥ କରାନଯାଉ। ସ୍ବାସ୍ଥ୍ୟ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଅନୁଯାୟୀ ରାଜ୍ୟ ସରକାର ପ୍ରାୟ ୬୭ ଲକ୍ଷ ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରିବେ ଓ ପ୍ରାୟ ୩୩ ଲକ୍ଷ ଲୋକଙ୍କୁ ବିଏସକେୱାଇର ପରିବର୍ତ୍ତିତ ନାମ ଗୋପବନ୍ଧୁ ସ୍ବାସ୍ଥ୍ୟ ଯୋଜନାରେ ସାମିଲ କରାଯିବ। ଏଠାରେ ଆମେ କହି ରଖୁଛୁ ଯେ, ରାଜ୍ୟର ପ୍ରାୟ ୧ କୋଟି ପରିବାର ବିଏସକେୱାଇ ମାଧ୍ୟମରେ ଚିକିତ୍ସା ସୁବିଧା ପାଉଥିଲେ। ତେବେ କେଉଁ ଆଧାରରେ ପରିବାର ବର୍ଗଙ୍କୁ ଆୟୁଷ୍ମାନ ଓ ବିଏସକେୱାଇ ଯୋଜନାରେ ସାମିଲ କରାଯିବ, ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ଦରକାର।