ସାବଧାନ: ଥଣ୍ଡା ପାନୀୟ ହୋଇପାରେ ହୃଦଘାତ ଓ ମୃତ୍ୟୁର କାରଣ

ନୂଆଦିଲ୍ଲୀ: ଥଣ୍ଡା ପାନୀୟ ବା କୋଲ ଡ୍ରିଙ୍କସ୍ ପିଉଛନ୍ତି କି ? ଯଦି ନେଉଛନ୍ତି ସାବଧାନ ହୋଇଯାଆନ୍ତୁ । କାରଣ ଏହା ଆପଣଙ୍କ ହୃଦଘାତ, ହୃଦୟ ରୋଗ ଓ ମୃତ୍ୟୁର କାରଣ ହୋଇପାରେ । ଯଦି ଆପଣ ଚିନିର ବିକଳ୍ପ ଭାବେ ଆର୍ଟିଫିସିଆଲ ମିଠାଯୁକ୍ତ ଖାଦ୍ୟ ନେଉଛନ୍ତି ଓ ସାଧାରଣ ପାନୀୟ ବଦଳରେ ଡାଏଟ ଡ୍ରିଙ୍କସ୍ (ଥଣ୍ଡା ପାନୀୟ) ନେଉଛନ୍ତି ତେବେ ତ ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ରହିଛି ବଡ଼ ବିପଦ । ୫୦ରୁ ୫୯ ବର୍ଷର ୮୦ ହଜାର ମହିଳାଙ୍କ ଉପରେ କରାଯାଇଥିବା ଏକ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି ।

୧୨ ବର୍ଷ ରିସର୍ଚ୍ଚର ରିପୋର୍ଟ

ଆଲବର୍ଟ ଆଇନଷ୍ଟାଇନ କଲେଜ ଅଫ୍ ମେଡିସିନ ସେଣ୍ଟରରେ ୧୨ ବର୍ଷ ଧରି ହୃଦଘାତକୁ ନେଇ ଏହି ସର୍ଭେ କରାଯାଇଥିଲା । ରିସଚ୍ଚର୍ସଙ୍କ କହିବା ଅନୁସାରେ ଦିନକୁ ଦୁଇରୁ ଅଧିକ ଥର ଥଣ୍ଡା ପାନୀୟ ପିଉଥିବା ମହିଳାଙ୍କ କ୍ଷେତ୍ରରେ ଇସ୍କୋମିକ ଷ୍ଟ୍ରୋକର ବିପଦ ବଢ଼ି ଯାଇଥାଏ । ଏଥିରେ କୁହାଯାଇଛି ୫.୧ ପ୍ରତିଶତ ମହିଳା ଏମିତି ଥିଲେ ଯେଉଁମାନେ ଦୁଇରୁ ଅଧିକ ଥର ଥଣ୍ଡା ପାନୀୟ ନେଉଥିଲେ । ଏମାନଙ୍କ କ୍ଷେତ୍ରରେ ହୃଦଘାତର ସମ୍ଭାବନା ଅଧିକ ରହିଛି ।

ଆପଣଙ୍କ ପ୍ରତି ରହିଛି କେତେ ବିପଦ ?

ଦିନକୁ ଦୁଇରୁ ଅଧିକ ଥର ଥଣ୍ଡା ପାନୀୟ ନେଉଥିବା ମହିଳାଙ୍କ କ୍ଷେତ୍ରରେ ଇସ୍କୋମିକ ଷ୍ଟ୍ରୋକ୍ ସମ୍ଭାବନା ୨୩ ପ୍ରତିଶତ ବଢ଼ି ଯାଇଥାଏ । ସେହିପରି କୋରୋନାରୀ ହୃଦୟ ରୋଗର ସମ୍ଭାବନା ୨୯ ପ୍ରତିଶତ ଓ ମୃତ୍ୟୁ ସମ୍ଭାବନା ୧୬ ପ୍ରତିଶତ ବଢ଼ିଯାଇଥାଏ । ଏହାସହ ମସ୍ତିଷ୍କର ଧମନୀରେ ରକ୍ତ ଜମା ହୋଇ ଏହା ସାଧାରଣ ଷ୍ଟ୍ରୋକର ବି କାରଣ ହୋଇପାରେ ।

ଆର୍ଟିଫିସିଆଲ ମିଠା କ’ଣ ?

ଆର୍ଟିଫିସିଆଲ ମିଠା ଏକ ପ୍ରକାର କେମିକାଲ । ଯାହାକୁ ଚିନିର ବିକଳ୍ପ ଭାବେ ବ୍ୟବହାର କରାଯାଏ । ବିଶେଷ କରି ଥଣ୍ଡା ପାନୀୟରେ ଏହାର ବହୁଳ ବ୍ୟବହାର କରାଯାଇଥାଏ । ଯାହା ପ୍ରାୟତଃ ସବୁ ବର୍ଗର ମହିଳାଙ୍କ ପସନ୍ଦ । ଖାଦ୍ୟ ପଦାର୍ଥ ଓ ପାନୀୟକୁ ମିଠା କରିବାକୁ ଚିନି ବଦଳରେ ଏହାକୁ ବ୍ୟବହାର କରାଯାଇଥାଏ । ସ୍ବାଦରେ ଏହା ଆପଣଙ୍କ ପାଟିକୁ ମିଠା ଲାଗିପାରେ । ହେଲେ, ସ୍ବାସ୍ଥ୍ୟ ପ୍ରତି ଏହା ଟାଣି ଆଣେ ହୃଦଘାତ ଭଳି ବଡ଼ ବିପଦ । ଯାହା ଆପଣଙ୍କ ମୃତ୍ୟୁର କାରଣ ପାଲଟି ପାରେ ।

ଭାରତରେ କ’ଣ ରହିଛି ସ୍ଥିତି ?

ରିସର୍ଚ୍ଚ ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ଷ୍ଟ୍ରୋକ୍ ମାମଲା ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ରହିଛି । ଏହାର କାରଣ ସ୍ପଷ୍ଟ ହୋଇ ନଥିଲେ ବି ଏହାର ମୁକାବିଲା ପାଇଁ ହୃଦଘାତ ଚିକିତ୍ସାର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପଡ଼ିବ । ହୃଦଘାତ ପରି ସମସ୍ୟାରୁ ଦୂରେଇ ରହିବାକୁ ହେଲେ ଡାଇବେଟିସ ଓ ରକ୍ତଚାପ ନିୟନ୍ତ୍ରଣରେ ରହିବା ଆବଶ୍ୟକ । ଏହାସହ ଯଦି ଆପଣ ସ୍କୋକିଂ (ସିଗାରେଟ୍) କରୁଛନ୍ତି ତେବେ ତୁରନ୍ତ ବନ୍ଦ କରନ୍ତୁ । ଏହା ବି ଆପଣଙ୍କ ହୃଦଘାତର କାର ହୋଇପାରେ ।

Leave a Reply