ବଢ଼ିଲା ଡିଜେଲ୍ ଦର, ଲିଟର ପିଛା ୨୫ ଟଙ୍କା ଅଧିକ ଦେବେ ବଲ୍କ କଷ୍ଟମର
1 min readନୂଆଦିଲ୍ଲୀ: ୟୁକ୍ରେନ୍-ଋଷ ଯୁଦ୍ଧ ମଧ୍ୟରେ ଅଶୌଧିତ ତୈଳଦର ଆକାଶ ଛୁଆଁ ହୋଇଛି । ଯାହାର ପ୍ରଭାବେ ଏବେ ଭାରତ ଉପରେ ପଡ଼ିଛି । ଅଶୌଧିତ ତୈଳଦର ବଢ଼ିବା ପରେ ଡିଜେଲ୍ ମୂଲ୍ୟ ବୃଦ୍ଧି କରିଛନ୍ତି ତୈଳ ମାର୍କେଟିଂ କରୁଥିବା ବିଭିନ୍ନ କମ୍ପାନୀ । ବର୍ତ୍ତମାନ ବଲ୍କ କଷ୍ଟମରଙ୍କ ପାଇଁ ଡିଜେଲ ଲିଟର ପିଛା ୨୫ ଟଙ୍କା ଦାମ୍ ବୃଦ୍ଧି ପାଇଛି । ଏବେ ଡିଜେଲ୍ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବେ ବଲ୍କ କଷ୍ଟମର । ତେବେ ଆସନ୍ତୁ ଜାଣିବା ବଲ୍କ କଷ୍ଟମର କିଏ ଏବଂ ଏହାର ପ୍ରଭାବ ଲୋକଙ୍କ ଉପରେ କିଭଳି ପଡ଼ିବ…
ବଲ୍କ କଷ୍ଟମର କିଏ ?
ଅଧିକ ମାତ୍ରାରେ ତୈଳ କିଣୁଥିବା ଗ୍ରାହକଙ୍କୁ ବଲ୍କ କଷ୍ଟମର କୁହାଯାଏ । ପ୍ରତିରକ୍ଷା ପ୍ରତିଷ୍ଠାନ, ରେଲୱେ, ବିଭିନ୍ନ ପରିବହନ ନିଗମ, ପାୱାର ପ୍ଲାଣ୍ଟ, କେମିକାଲ୍ ପ୍ଲାଣ୍ଟ ଓ ଅନ୍ୟ ଶିଳ୍ପ କାରଖାନା ବଲ୍କ କଷ୍ଟମର ଅଟନ୍ତି । ଏହା ବ୍ୟତୀତ ବିମାନବନ୍ଦର, ମଲ୍ ଓ ଅନ୍ୟ ଶିଳ୍ପ ପ୍ରତିଷ୍ଠାନ ମଧ୍ୟ ବଲ୍କ କଷ୍ଟମର ।
ବଲ୍କ କଷ୍ଟମରଙ୍କ ପାଇଁ ଡିଜେଲ୍ ମୂଲ୍ୟ ବଢ଼ିବା ପରେ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ । କାରଣ ଏସବୁ ପ୍ରତିଷ୍ଠାନ ଓ ସଂସ୍ଥା ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରିଥାନ୍ତି । ଡିଜେଲ ଦର ବଢ଼ିବା ଫଳରେ ସାମଗ୍ରୀ ଉତ୍ପାଦନ ଖର୍ଚ୍ଚ ସହ ପରିବହନ ଖର୍ଚ୍ଚ ବଢ଼ିଯିବ । ଫଳରେ ବର୍ଦ୍ଧିତ ଖର୍ଚ୍ଚର ବୋଝ ପଡ଼ିବ ସାଧାରଣ ଜନତାଙ୍କ ଉପରେ । ଅନ୍ୟ ଅର୍ଥରେ କହିବାକୁ ଗଲେ ଡିଜେଲ୍ ଦର ବୃଦ୍ଧି ଯୋଗୁଁ ଅନ୍ୟ ସାମଗ୍ରୀର ଦର ବଢ଼ିବ ।
ୟୁକ୍ରେନ୍ ଯୁଦ୍ଧ ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳଦର ୪୦ ପ୍ରତିଶତ ଯାଏ ବୃଦ୍ଧି ପାଇଛି । ଅନ୍ଯପଟେ ଆମ ଦେଶରେ ୨୦୨୧ ନଭେମ୍ବର ୪ରୁ ପେଟ୍ରୋଲ ଓ ଡିଜେଲ୍ ଦାମ ଅପରିବର୍ତ୍ତିତ ରହିଛି । ଅଶୌଧିତ ତୈଳଦର ବଢ଼ୁଥିବାରୁ ତୈଳ କମ୍ପାନୀ କ୍ଷତି ସହୁଛନ୍ତି । ଏବେ ବଲ୍କ କଷ୍ଟମରଙ୍କ ପାଇଁ ଡିଜେଲ ଦର ବଢ଼ିଥିବା ବେଳେ ସାଧାରଣ ଲୋକ ଡିଜେଲ କିଣିବା ବେଳେ ପ୍ରଭାବିତ ହେବେ ନାହିଁ ।
ଅନ୍ୟପଟେ କୋଭିଡ୍ ପରେ ଇନ୍ଧନ ଚାହିଦା ମଧ୍ୟ ବଢ଼ିଛି । ବଲ୍କ କଷ୍ଟମର ତୈଳ କମ୍ପାନୀଗୁଡ଼ିକ ଠାରୁ ସିଧାସଳଖ ତେଲ କିଣିବା ପରିବର୍ତ୍ତେ ଖର୍ଚ୍ଚ ବଞ୍ଚାଇବାକୁ ପେଟ୍ରୋଲ ପମ୍ପରୁ ତେଲ କିଣୁଛନ୍ତି । ଯେଉଁଥି ପାଇଁ ତୈଳ କମ୍ପାନୀର ମଧ୍ୟ କ୍ଷତି ହେଉଛି । ଏବେ ବଲ୍କ କଷ୍ଟମରଙ୍କ ପାଇଁ ଲିଟର ପିଛା ୨୫ ଟଙ୍କା ଦର ବଢ଼ିଥିବା ବେଳେ ତୈଳ କମ୍ପାନୀ ଗୁଡ଼ିକ ଆହୁରି ଚିନ୍ତିତ ହୋଇ ପଡ଼ିଛନ୍ତି । କାରଣ ଦରବୃଦ୍ଧି ଯୋଗୁଁ ବଲ୍କ କଷ୍ଟମର ପେଟ୍ରୋଲ ପମ୍ପ ଉପରେ ଆହୁରି ଅଧିକ ନିର୍ଭର ହୋଇ ପଡ଼ିବେ ।
ରିପୋର୍ଟ ଅନୁସାରେ, ବଲ୍କ କଷ୍ଟମର ପେଟ୍ରୋଲ ପମ୍ପରୁ ତେଲ କିଣିବା ଯୋଗୁଁ ଘରୋଇ ତୈଳ କମ୍ପାନୀ ନାୟାରା ଏନର୍ଜି, ଜିଓ ବିପି, ସେଲ୍ ଭଳି ବିକ୍ରେତା ଅଧିକ କ୍ଷତି ସହିବେ । ୧୩୬ ଦିନ ହେଲା ଡିଜେଲ, ପେଟ୍ରୋଲ ଦର ବଦଳୁ ନଥିବାରୁ ଘରୋଇ ପେଟ୍ରୋଲ୍ ପମ୍ପ ବନ୍ଦ କରିବା ସ୍ଥିତିରେ ପହଞ୍ଚିଲେଣି ।