କେନ୍ଦୁଝରରେ ଡ଼ିଜେଲ ଲିଟର ୮୦ ଟଙ୍କା, ଗୁଜୁରାଟରୁ ଆସୁଛି ଅପମିଶ୍ରିତ ତେଲ

କେନ୍ଦୁଝର: ତେଲ ଦର ହୁହୁ ହୋଇ ବଢି ଚାଲିଥିବା ବେଳେ କମ୍ ଦାମ୍‌ରେ ବିକ୍ରୀ ହେଉଛି ଅପମିଶ୍ରିତ ଡିଜେଲ୍  ।  ତାହା ପୁଣି ସୁଦୁର ଗୁଜୁରାଟରୁ ଟ୍ୟାଙ୍କର୍ ଯୋଗେ କେନ୍ଦୁଝରର ବିଭିନ୍ନ ସ୍ଥାନରେ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି କିଛି ଅସାଧୁ ବ୍ୟକ୍ତି  ।  ଗୁଜୁରାଟ୍‌ର ଏକ ଅପମିଶ୍ରିତ ତେଲ ଟ୍ୟାଙ୍କକୁ ଧରିବାରେ ସକ୍ଷମ ହୋଇଛି ଜିଲ୍ଲା ଯୋଗଣ ବିଭାଗ । ଏକ ଢ଼ାବାରୁ ଏହି ଟ୍ୟାଙ୍କର୍ କୁ ଧରିଥିଲା ଯୋଗାଣ ବିଭାଗ  । ଏଥିରେ ଥିବା ୧୫ ହଜାର ଲିଟର ଡିଜେଲ୍ ବିକ୍ରୀ କରିବା ପରେ ବାକି ୪ ହଜାର ଲିଟର ଡିଜେଲ ସଦର ଥାନା ବାୟାପଣ୍ଡାଧାର ଢାବା ନିକଟରେ ବିକ୍ରୀ କରିବା ବେଳେ ଧରାପଡିଥିଲେ ଅସାଧୁ ବ୍ୟକ୍ତି  । ସାରା ଦେଶରେ ଡିଜେଲ୍ ଦର ଏବେ ୧୦୦ ଟଙ୍କା ଟପିଥିବା ବେଳେ, ଲିଟର ପିଛା ୨୦ ଟଙ୍କା କମ ଦାମରେ ଏକ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟର ଜରିଆରେ ଏହି ଅସାଧୁ ବ୍ୟକ୍ତିମାନେ ବିକ୍ରୀ କରୁଥିଲେ ।

ଯୋଗାଣ ବିଭାଗ ଜବତ ଟ୍ୟାଙ୍କର ଡ୍ରାଇଭର ବିଦ୍ୟାସାଗର ବେହେରାକୁ ଅଟକ ରଖି ପଚରା ଉଚୁରା କରୁଛି । ତେବେ କେନ୍ଦୁଝରରୁ ଗୁଜୁରାଟ ପାଖାପାଖି ୧୮ଶହ କିଲୋମିଟର ହୋଇଥିବା ବେଳେ ରକ୍ତ ଗାଡିଟି ବିନା କାଗଜପତ୍ରରେ କିଭଳି ଏତେବାଟ ଅତିକ୍ରମ କଲା, ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଚୋରା ଅପମିଶ୍ରିତ ଡିଜେଲ କାରବାରରେ ବଡ଼ଧରଣର ରାକେଟ୍ କାମ କରୁଥିବା ଅନୁମାନ କରାଯାଉଛି । ଢ଼ାବା ନିକଟରେ ସଦର ପୁଲିସ ପହଞ୍ଚିବା ପରେ ଡ୍ରାଇଭର ସହିତ ଗାଡି ଯୋଗାଣ ବିଭାଗ ଅକ୍ତିଆରକୁ ଆସିଥିଲା । କେନ୍ଦୁଝରର ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରାନ୍ସପୋର୍ଟରମାନେ ଅପମିଶ୍ରିତ ଡିଜେଲ ସୁଲଭ ମୂଲ୍ୟରେ ପାଇ ପାରୁଥିବାରୁ ଏହାର ଚାହିଦା ରହିଥିବା ଚର୍ଚ୍ଚା ହେଉଛି ।

ଟ୍ୟାଙ୍କରରେ ଡିଜେଲ ପହଞ୍ଚିବା ପରେ ପିକ୍‌ଅପ୍ ଜରିଆରେ ଡିଜେଲ ଅନ୍‌ଲୋଡ଼ ପରେ ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରକ୍‌କୁ ବଣ୍ଟନ କରାଯାଇଥାଏ ବୋଲି ଟ୍ୟାଙ୍କର ଡ୍ରାଇଭର ଯୋଗାଣ ଅଧିକାରୀଙ୍କ ନିକଟରେ ବୟାନ ଦେଇଛନ୍ତି । ଯୋଗାଣ ବିଭାଗ ପକ୍ଷରୁ ଜବତ ହୋଇଥିବା ବିଜେଇ ସ୍ଥାନୀୟ ଜେନରାଲ ଟ୍ରେଡ଼ର୍ସ କିରୋସିନୀ ଡିପୋ କର୍ମକର୍ତ୍ତା ଙ୍କୁ ଜିମା ଦିଆଯାଇଛି । ଏନେଇ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନେଇ ଏକ ମାମଲା ଜିଲ୍ଲାପାଳଙ୍କ ଅଦାଲତରେ ଦାୟର କରାଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଚଢାଉ ସମୟରେ ଅତିଭିନ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବାରକିଶୋର ମୁର୍ମୁ , ସହକାରୀ ଯୋଗାଣ ଅଧିକାରୀ ସବ୍ୟସାଚୀ ରସିଆ , ସଦର ଯୋଗାଣ ନିରୀକ୍ଷକ ଅମ୍ବିକା ପ୍ରସ୍ତାଦ ରଥ , ଜିଲ୍ଲା ମାପ ଓ ଓଜନ ନିରୀକ୍ଷକ ରବୀନ୍ଦ୍ର କୁମାର ମହାପାତ୍ର, ବାଂଶପାଳ ବ୍ଲକ୍ ଯୋଗାଣ ନିରୀକ୍ଷକ କରମଚାନ୍ଦ ସମେନ୍ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ । ଦୀର୍ଘ ଦିନ ଧରି ଏହି ଅପମିଶ୍ରିତ ଡିଜେଲ ଗୁଜରାଟରୁ ଆସି କେନ୍ଦୁଝରରେ ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply