ଟ୍ରମ୍ପଙ୍କ ଆରୋଗ୍ୟ କାମନା କରି ଉପବାସ ରଖିଥିବା ତେଲେଙ୍ଗାନା ଚାଷୀଙ୍କ ମୃତ୍ୟୁ

1 min read

ତେଲେଙ୍ଗାନା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । କରୋନା ସଂକ୍ରମିତ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନେଇ ଜଣେ କୃଷକ ଅନେକ ଦିନ ଧରି ପ୍ରାର୍ଥନା କରୁଥିଲେ । ସୂଚନା ଅନୁସାରେ ଏବେ ସେହି କୃଷକଙ୍କ ମୃତ୍ୟୁ ହୋଇଛି । କୃଷକ ଜଣକ ଅନେକ ଦିନରୁ ଉପାସ ରହି ଟ୍ରମ୍ପଙ୍କ ପାଇଁ ପ୍ରାର୍ଥନା କରୁଥିଲେ । ଅନିଦ୍ରା ଥିବାରୁ ଏବଂ ଦାନା ଅଭାବରୁ ସେ ରବିବାର ଦିନ ହୃଦଘାତର ଶୀକାର ହୋଇଥିଲେ । କିନ୍ତୁ ଦୁଃଖର ବିଷୟ ଏହା ଯେ, ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

କୃଷକ ଜଣକ ହୋଉଛନ୍ତି କୃଷ୍ଣ ରାଜୁ । ତେଲେଙ୍ଗାନାର ମେଡକ୍ ଜିଲ୍ଲାର ତୁଫ୍ରାନ୍ ଅଞ୍ଚଳର ବାସିନ୍ଦା କୃଷ୍ଣ । କୃଷ୍ଣଙ୍କ ମୃତ୍ୟୁ ପରେ ତାଙ୍କ ବନ୍ଧୁମାନେ କହିଛନ୍ତି ଯେ, ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ବହୁତ ବଡ଼ ଫ୍ୟାନ ଥିଲେ । ଗତ ବର୍ଷ ସେ ନିଜ ଘର ସାମ୍ନାରେ ଟ୍ରମ୍ପଙ୍କର ୬ ଫୁଟର ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରିଥିଲେ । ଏବଂ ସେଠାରେ ସେ ଟ୍ରମ୍ପଙ୍କୁ ପ୍ରତିଦିନ ପୂଜା କରୁଥିଲେ । ନିକଟରେ ଟ୍ରମ୍ପ କରୋନା ସଂକ୍ରମିତ ହୋଇଥିବାରୁ ସେ ଅତ୍ୟନ୍ତ ଚିନ୍ତିତ ଥିଲେ । ଜଣେ ବନ୍ଧୁଙ୍କ କହିବାନୁସାରେ, ସେ ଆମେରିକାର ରାଷ୍ଟ୍ରପତିଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରୁଥିଲେ । ସେଥିପାଇଁ ସେ ଭୋକିଲା ରହି ଗତ ତିନି-ଚାରି ଦିନ ଧରି ଲଗାତାର ପ୍ରାର୍ଥନା କରିଥିଲେ । ଯାହା ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥିଲା । କୃଷ୍ଣ ରାଜୁ ଅସୁସ୍ଥ ହୋଇ ଦୁର୍ବଳ ହୋଇପଡ଼ିଥିଲେ ।

କୃଷ୍ଣ ରାଜୁ ତାଙ୍କ ଘର ସାମ୍ନାରେ ୧.୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କର ୬ ଫୁଟର ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ସେ ପ୍ରତିଦିନ ଟ୍ରମ୍ପଙ୍କ ପାଇଁ ପ୍ରାର୍ଥନା କରୁଥିଲେ ସେଥିପାଇଁ ତାଙ୍କ ଗାଁରେ ତାଙ୍କୁ ‘ଟ୍ରମ୍ପ କୃଷ୍ଣ’ କୁହାଯାଉଥିଲା । ଟ୍ରମ୍ପଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପରେ କୃଷ୍ଣଙ୍କର ସମସ୍ତ ବନ୍ଧୁ ତାଙ୍କର ବହୁତ ମଜା ଉଡ଼ାଉଥିଲେ । କେବଳ ସେତିକି ନୁହେଁ ଅଧିକାଂଶ ଲୋକେ ତାଙ୍କୁ ମନୋବିଜ୍ଞାନିଙ୍କ ସହ ସାକ୍ଷାତ କରିବାକୁ ମଧ୍ୟ ପରାମର୍ଶ ଦେଉଥିଲେ ।

ପଢା ଅଧାରୁ ସ୍କୁଲ ଛାଡିଥିବା କୃଷ୍ଣଙ୍କର ରାଜନୀତିରେ ବହୁତ ଆଗ୍ରହ ଥିଲା। ଟ୍ରମ୍ପ ପୁଣିଥରେ ନିର୍ବାଚନରେ ​​ଜିତନ୍ତୁ ବୋଲି ସେ ଚାହୁଁଥିଲେ । ଚଳିତ ବର୍ଷ ପ୍ରାରମ୍ଭିକ ମାସରେ ଯେତେବେଳେ ଟ୍ରମ୍ପ ଭାରତ ଆସିଥିଲେ, ସେତେବେଳେ କୃଷ୍ଣ ତାଙ୍କୁ ଭେଟିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ । ତଥାପି, ତାଙ୍କ ଆଦର୍ଶଙ୍କୁ ଭେଟିବାର ତାଙ୍କର ଇଚ୍ଛା ପୂରଣ ହୋଇନଥିଲା ।

Leave a Reply