ଅସୁସ୍ଥ ହୋଇପଡ଼ିଲେ ପାଇଲଟ୍, ଯାତ୍ରୀ ଅବତରଣ କଲେ ବିମାନ

ନୂଆଦିଲ୍ଲୀ: ଯଦି ବିମାନର ପାଇଲଟ୍ ଉଡ଼ାଣ ସମୟରେ ବେହୋସ ହେଇଯାଆନ୍ତି କିମ୍ବା ତାଙ୍କର ମୃତ୍ୟୁ ଘଟେ, ତାହାଲେ ଜଣେ ଯାତ୍ରୀ ଉଠି ବିମାନଟିକୁ ସୁରକ୍ଷିତ ଭାବରେ ଅବତରଣ କରନ୍ତି । ଏପରି ଆପଣ ହଲିଉଡରୁ ବଲିଉଡ ଯର୍ଯ୍ୟନ୍ତ ଅନେକ ଫିଲ୍ମରେ ଦେଖିଥିବେ । ବାସ୍ତବରେ କ’ଣ ଏହା ହୋଇପାରିବ?

ହଁ ଆଜ୍ଞା । ଏପରି ବାସ୍ତବରେ ସମ୍ଭବ ହୋଇଛି । ଆଉ ଏହା ଫ୍ଲୋରିଡା ଆକାଶରେ ଘଟିଛି । ଆକାଶ ମଝିରେ ଉଡୁଥିବା ସମୟରେ ହଠାତ ପାଇଲଟଙ୍କର ଦେହ ଖରାପ ହୋଇଗଲା । ଏହି ସମୟରେ ଜଣେ ଯାତ୍ରୀ ବିମାନକୁ ୭୦ ମାଇଲ୍ ପର୍ଯ୍ୟନ୍ତ ଉଡାଇ ନେଇଥିଲେ । ଯାତ୍ରୀଙ୍କୁ ପ୍ଲେନ୍ ଚଳାଇବା ବିଷୟରେ କିଛି ବି ଜଣା ନଥିଲା । ତଥାପି ଯାତ୍ରୀ ଜଣଙ୍କ ପ୍ଲେନ୍ ଉଡାଇବା ସହ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରିଥିଲେ ।  ଏହି ଘଟଣା ପରେ ଯାତ୍ରୀଙ୍କ ପରିଚୟ ଗୋପନୀୟ ରଖାଯାଇଛି ।

ଗତ ମଙ୍ଗଳବାର ଏହି ଘଟଣା ଘଟିଛି। ଫ୍ଲୋରିଡାର ପାମ ବିଚ ଅନ୍ତର୍ଜାତୀୟ ବିମାନବନ୍ଦରଠାରୁ ୧୪ ମାଇଲ ଦୂରରେ ଥିବା ଏକ  ସେସନା କାରଭାନ ବିମାନ ପାଇଲଟ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ବିମାନରେ ଥିବା ଜଣେ ଯାତ୍ରୀ ଏୟାର ଟ୍ରାଫିକ ନିୟନ୍ତ୍ରକଙ୍କୁ ସୂଚନା ଦେଇଥିଲେ।

ଯାତ୍ରୀ ଏବଂ ଏଟିସି ମଧ୍ୟରେ ବେତାର ଅଡିଓ ସାମ୍ନାକୁ ଆସିଛି । ଏଥିରେ ଯାତ୍ରୀ ରେଡିଓରେ କହୁଛନ୍ତି, ମୁଁ ଏଠାରେ ଗୁରୁତର ଅବସ୍ଥାରେ ଅଛି। ପାଇଲଟ୍ ଅସୁସ୍ଥ ହୋଇପଡ଼ିଛନ୍ତି । ଏହା ପରେ, ଯେତେବେଳେ ଏଟିସି ତାଙ୍କୁ ବିମାନ ଉଡ଼ାଣ ବିଷୟରେ ପଚାରିଲା, ସେ କହିଲେ, ସେ ବିମାନ ଉଡ଼ାଇବା ତ ଦୂରର କଥା କେବେ, କୋକପିଟ ଭିତରକୁ ମଧ୍ୟ ଯାଇ ନାହାଁନ୍ତି, କିନ୍ତୁ ଫ୍ଲୋରିଡା ଉପକୂଳ ମୋ ସାମ୍ନାରେ ଦେଖାଯାଉଛି ବୋଲି ସେ ସୂଚନା ଦେଇଥିଲେ।

ଏହା ପରେ ଏଟିସି ତାଙ୍କୁ ବିମାନର ଷ୍ଟିଅରିଂ ପରିଚାଳନା କରିବାକୁ କହିଲା ଏବଂ ଏହାର ଉଡ଼ାଣ ପ୍ରଶିକ୍ଷକ ଭାବରେ ଜଣେ ବିଶେଷଜ୍ଞ ନିଯୁକ୍ତ କଲା । ଫ୍ଲାଇଟ୍ ନିର୍ଦ୍ଦେଶକ ଯାତ୍ରୀଙ୍କୁ ଡେଣାର ଭାରସାମ୍ୟ ରକ୍ଷା କରିବାକୁ କହିଥିଲେ ଏବଂ ସମୁଦ୍ର କୂଳ ଅନୁସରଣ କରିବାକୁ କହିଥିଲେ। ଅନ୍ୟ ବିମାନର ପାଇଲଟମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ପାଲମ ବିଚ ବିମାନ ବନ୍ଦରରେ ବିମାନ ଅବତରଣ ପାଇଁ ଏଟିସି ବାକି ବିମାନଗୁଡ଼ିକୁ ଆକାଶରେ ଉଚ୍ଚରେ ଅଟକାଇଲା । ପରେ, ବିଶେଷଜ୍ଞଙ୍କ କହିବା ଅନୁସାରେ ଯାତ୍ରୀ ଜଣଙ୍କ ବିମାନ ଅବତରଣ କରିଥିଲେ ।