ମମି ଅଭିଶାପ ଉଡାଇ ଦେଇଛି ମିଶର ନିଦ !

ନୂଆଦିଲ୍ଲୀ:   ଲୋକଙ୍କ ନିଦ ଚୋରି କରିଛି ମିଶରରେ ଘଟୁଥିବା ଗୋଟିଏ ପରେ ଗୋଟିଏ ଦୁର୍ଘଟଣା । ନିକଟ ଅତୀତରେ ସୁଏଜ କେନାଲରେ ଏକ ସପ୍ତାହ ଧରି ଅଟକି ରହିଥିଲା ମାଲବାହୀ ଜାହଜ ଏଭରଗ୍ରୀନ । ଯାହା ଟ୍ରିଲୟନ ଡଲାରର କ୍ଷତି ଘଟାଇଥିଲା । ଏହାର ଠିକ୍ପୂର୍ବରୁ ଏକ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ପ୍ରାୟ ୩୦ରୁ ଅଧିକ ଯାତ୍ରୀ । ଲଗାତାର ଏଭଳି ଦୁର୍ଘଟଣା ସମସ୍ତଙ୍କ ନିଦ ହଜାଇଛି । ଏହାକୁ ନେଇ ଲୋକଙ୍କ ଆଶଙ୍କା ମଧ୍ୟ ବଢୁଛି । କୁହାଯାଉଛି, ଶନିବାର ଏଠାର ସରକାର ରାଜ ପରିବାରର ୨୨ଟି ମମିଙ୍କ କଫିନଙ୍କୁ ଏକ ସଂଗ୍ରହାଳୟକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେବା ପରଠାରୁ ଏହାର ପ୍ରଭାବରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି । ଏସବୁ କେବଳ ଅଭିଶପ୍ତ ମମିର କାରନାମା ।

2018 ଠାରୁ ଲଗାତାର ଚାଲିଥିବା ଖନନରୁ ମିଳୁଛି ପ୍ରାଚୀନ କଫିନ୍ । ଏଗୁଡ଼ିକ ମଧ୍ୟରୁ କିଛି କିଛି କଫିନକୁ ଖୋଲା ଯାଇଛି ତା କିଛି କଫିନକୁ କେବଳ ବାହାରୁ ଦେଖାଯାଇଛି । ଆଗରୁ ମମି କଫିନ ସହିତ ଅଭିଶାପ ଅନ୍ଧବିଶ୍ୱାସ ରହିଛି,ଏବେ ମିଶରରେ ଅଳ୍ପଦିନ ମଧ୍ୟରେ ବାରମ୍ବାର ଯେଉଁ ସବୁ ଦୁର୍ଘଟଣା ଘଟୁଛି ତାକୁ ସେଇ ବିଶ୍ୱାସ ସହିତ ଯୋଡା ଯାଉଛି । କଫିନକୁ ଖୋଲି ଦେଖିଥିବା ଅନେକ ଲୋକଙ୍କର ସନ୍ଦେହଜନକ ଭାବରେ ଆଗରୁ ମୃତ୍ୟୁ ଘଟିଛି । ଏହାକୁ ମମିର ଅଭିଶାପ ବା ଫାରୋଁଙ୍କ ଅଭିଶାପ ବୋଲି କୁହାଯାଏ । ଏଭଳି ଘଟଣାକୁ ଆଧାର କରି ପୂର୍ବରୁ ଏକାଧିକ ହଲିଉଡ ଫିଲ୍ମ ନିର୍ମାଣ ହୋଇଛି । ପ୍ରାଚୀନ କାଳରେ ଏଠାର ରାଜାଙ୍କୁ ଫାରୋଁ କୁହାଯାଉଥିଲା ।
ମିଶର ଇତିହାସର ସବୁଠାରୁ ଚର୍ଚ୍ଚିତ ମମି ହେଉଛି ରାଜା ତୁତେନଖାମେନଙ୍କ ମମି । ୧୯୨୨ରେ ପ୍ରତ୍ନତତ୍ତ୍ୱବିଦ୍ ହୋବାର୍ଡ଼ କାର୍ଟର ଏବଂ ତାଙ୍କ ସହଯୋଗୀ ଲର୍ଡ଼ କାର୍ନରବନ ଇଜିପ୍ଟରେ ରାଜା ତୁତେନଖାମେନଙ୍କ ଇତିହାସ ଖୋଜି ବାହାର କରିଥିଲେ। ଇତିହାସ କହେ ତୁତେନଖାମେନ ପ୍ରାଚୀନ ମିଶରର ୧୮ ତମ ରାଜବଂଶର ୧୧ତମ ରାଜା ଥିଲେ । କୁହାଯାଏ ମୃତ୍ୟୁ ସମୟରେ ରାଜାଙ୍କ ବୟସ ୧୭ରୁ ବର୍ଷରୁ ଅଧିକ ନଥିଲା । କିନ୍ତୁ ମୃତ୍ୟୁର ବାସ୍ତବ କାରଣ କେବେ ମଧ୍ୟ ସାମ୍ନାକୁ ଆସିନାହିଁ ।

ମିଶର, ରୋମ୍ ଏବଂ ଗ୍ରୀସ ର ରାଜା ବା କୌଣସି ରାଜ ପରିବାରର ବଡ଼ ପଦବୀରେ ଥିବା କୌଣସି ବ୍ୟକ୍ତିଙ୍କୁ ସାଧାରଣ କାଠରେ ତିଆରି କଫିନରେ କବର ଦିଆଯାଉନଥିଲା । କାଠର କଫିନକୁ ଏକ ବକ୍ସରେ ବନ୍ଦ କରିଦିଆଯାଉଥିଲା । ପଥରରେ ତିଆରି ଏହି ବକ୍ସକୁ ସାର୍କୋଫିଗ୍ସ କୁହାଯାଏ । ପଥରର ଏକ ବକ୍ସକୁ ଭୂମିଠାରୁ କିଛି ଉଚ୍ଚ ଉପରେ ରଖାଯାଉଥିଲା । ଏହା ମଧ୍ୟରେ ମୂଲ୍ୟବାନ ଧାତୁ ସହିତ ମୃତ ବ୍ୟକ୍ତିର ନାମ ଲେଖି ରଖାଯାଉଥିଲା । ପୁନର୍ଜନ୍ମ ଉପରେ ବିଶ୍ୱାସ କରୁଥିବା ମିଶର ସଭ୍ୟତାରେ ମୃତବ୍ୟକ୍ତିକୁ ଏକ ଲେପ ଦେଇ କବର ଦିଆଯାଉଥିଲା ।

କୁହାଯାଏ, ଏଠାରେ ଜଣେ ମହାନ୍ ରାଜାଙ୍କ କବର ଖୋଜିବା ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଦୁଇ ପ୍ରତ୍ନତତ୍ତ୍ୱବିଦ୍ ଚର୍ଚ୍ଚାକୁ ଆସି ଥିଲେ । ଗୋଟିଏ ପଟେ ସାକ୍ଷାତକାର ଚାଲିଥିବା ବେଳେ ଅନ୍ୟପଟେ ମୃତ ରାଜାଙ୍କ ଅଭିଶାପ ପଡ଼ିବା ଆରମ୍ଭ ହୋଇଗଲା । ଲର୍ଡ଼ କର୍ନରବନଙ୍କ ଦୁଇଦିନ ମଧ୍ୟରେ ଶରୀର ଅସୁସ୍ଥ ହୋଇ ମୃତ୍ୟୁ ଘଟିଲା । ଅସୁସ୍ଥତାର କାରଣ ମଧ୍ୟ ଆର୍ଶର୍ଯ୍ୟ କଲାଭଳି ଥିଲା । କର୍ଣ୍ଣବର ଦାଢି କାଟୁଥିବା ବେଳେ ତାଙ୍କ ଗାଲକୁ ମାଛିଟିଏ କାମୁଡି ଦେଇଥିଲା । ତା’ପରେ କର୍ଣ୍ଣବରଙ୍କ ମୁହଁ ଫୁଲିଯାଇଥିଲା ଓ ଜ୍ୱରରେ ପଡି ସେ ମୃତ୍ୟୁବରଣ କରିଥିଲେ । ରିପୋର୍ଟ କହୁଛି ଏକ ଦଶକ ମଧ୍ୟରେ ଖନନ ପ୍ରକ୍ରିୟାରେ ନିୟୋଜିତ ହୋଇଥିବା ପ୍ରାୟ ୨୬ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

ସେତେବେଳେ ଏହି ବିଶ୍ୱାସ ଜୋର ଧରିଥିଲା ଯେ, ରାଜା ତୁତେନଖାମେନଙ୍କ କଫିନ ଅଭିଶପ୍ତ । ଏହାକୁ ଛୁଇଁବାମାତ୍ରେ ଅଘଟଣ ଘଟୁଛି । ଯାହାପରେ ସମସ୍ତ କଫିନ ବିଷୟରେ ଲୋକଙ୍କ ଚିନ୍ତାଧାରା ବଦଳିବାକୁ ଲାଗିଲା । କୁହାଯାଉଛି ଏବେ ଯାହାକିଛି ଘଟୁଛି ସେସବୁ ପଛରେ ରହିିଛି ମମିର ଅଭିଶାପ । ଲୋକ କହୁଛନ୍ତି ମମିକୁ ଶାନ୍ତିରେ ଶୋଇବାକୁ ଦିଅ । ତା’ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରନାହିଁ । ତେବେ ଏହି ଅଭିଶପ୍ତ ମମିକୁ ନେଇ ଏକାଧିକ ପୁସ୍ତକ ଲେଖାଯାଇଛି ।

Leave a Reply