ଦୁର୍ଗାପାଙ୍ଗା ପଞ୍ଚାୟତରେ ଝାଡ଼ାବାନ୍ତି ଆତଙ୍କ

ବାଲିଗୁଡା : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ଦୁର୍ଗାପାଙ୍ଗା ପଞ୍ଚାୟତରେ ଝାଡ଼ାବାନ୍ତି ଆତଙ୍କ । ଏଯାଏଁ ୫ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ସୂଚନା। ହେଲେ କାଣିବାରୁ ଅଞ୍ଚଳର ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି । ସେପଟେ ଏବେବି ଅଞ୍ଚଳର ୨୦ ରୁ ଉର୍ଦ୍ଧ୍ୱ ଲୋକେ ଆକ୍ରାନ୍ତ ଥିବା ସୂଚନା ମିଳିଛି । ଗତ କିଛିଦିନ ହେବ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଦୁର୍ଗାପାଙ୍ଗା ପଞ୍ଚାୟତର କାଣିବାରୁ, ସିନ୍ଧିବାଲି, ବାଣିପାଙ୍ଗା, ଡିମିଲି, ସାକାରଜୋଡ଼ି ଆଦି ଅଞ୍ଚଳର ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।  କୋଟଗଡ଼ ଓ ବାଲିଗୁଡ଼ା ଡାକ୍ତରଖାନାରେ କିଛି ଲୋକ ଚିକତ୍ସିତ ହେଉଥିବା ବେଳେ ଗାଁ ରେ ଅନେକ ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଗାଁକୁ ଭଲ ରାସ୍ତା ନଥିବାରୁ ପହଞ୍ଚିପାରୁନି ଆମ୍ବୁଲାନ୍ସ। ଫଳରେ ଠିକ୍ ସମୟରେ ଲୋକେ ଡାକ୍ତରଖାନାରେ ପହଞ୍ଚିପାରୁନଥିବା କହିଛନ୍ତି ଅଞ୍ଚଳବାସୀ । ସେପଟେ ଘଟଣା ସମ୍ପର୍କରେ ଖବରପାଇ ସ୍ବାସ୍ଥ୍ୟ ବିଭାଗର ୫ଟି ଟିମ୍ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ  କରିବା ସହ ରୋଗୀଙ୍କୁ ଚିକିତ୍ସା କରୁଥିବା କୋଟଗଡ଼ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ଗାଁ ରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଲୋକେ ନଦୀ,ନାଳ ପାଣି ପିଇ ରୋଗରେ ଆକ୍ରାନ୍ତ ହେଉଥିବା ଗାଁ ଲୋକଙ୍କ ନିକଟରୁ ସୂଚନା ମିଳିଛି ।