ମୁଣ୍ଡ ନେଉଛି ଝାଡ଼ାବାନ୍ତି, ୭କୁ ବୃଦ୍ଧି ଘଟିଲାଣି ମୃତ୍ୟୁ ସଂଖ୍ୟା

1 min read

ରାୟଗଡ଼ା:  କାଶୀପୁର ବ୍ଲକରେ ଝାଡ଼ାବାନ୍ତି ଆତଙ୍କ । ଝାଡାବାନ୍ତିରେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏନେଇ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଆକ୍ରାନ୍ତ ଗାଁ ଗୁଡ଼ିକରେ ୪ଟି ମେଡ଼ିକାଲ ଟିମ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ଓଆରଏସ ଓ ହେଲୋଜିନ ଟାବଲେଟ ବଣ୍ଟନ କରିଛି । ଦୂଷିତ ପାଣି ଓ ବାସୀ ଖାଦ୍ୟ ନ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି । ଦୂଷିତ ପାଣି ପାଇଁ ଏହି ସଂକ୍ରମଣ ବ୍ୟାପୁଥିବା ଅନୁମାନ କରି ଆକ୍ରାନ୍ତ ଗାଁରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଇଛି ।

ଏହା ସହ ଆକ୍ରାନ୍ତଙ୍କୁ ନିକଟସ୍ଥ ମେଡ଼ିକାଲକୁ ନିଆଯାଇ ଚିକିତ୍ସା ଜାରି ରହିଛି । ଆକ୍ରାନ୍ତ ଗାଁ ଗୁଡିକରେ ଅଙ୍ଗନବାଡ଼ି ଓ ଆଶାକର୍ମୀ ପହଞ୍ଚି ଲୋକଙ୍କୁ ସଚେତନ କରିଛନ୍ତି । ଜଳଉତ୍ସ ଗୁଡ଼ିକୁ ବିଶୋଧନ କରାଯାଉଛି । ଯେଉଁମାନେ ଆକ୍ରାନ୍ତ ସେମାନଙ୍କୁ ମେଡିକାଲକୁ ସିଫ୍ଟ କରାଯାଉଛି । ସେମାନଙ୍କର ଚିକିତ୍ସା କରାଯାଉଛି । ଜିଲ୍ଲାପାଳ ଓ CDMO ସେ ଅଞ୍ଚଳ ବୁଲିବାକୁ ଆଜି ଯାଉଛନ୍ତି । ଭୁବନଶ୍ୱରରୁ ସ୍ୱାସ୍ଥ୍ୟ ବିଭାଗର ଏକ ମେଡିକାଲ ଟିମ ମଧ୍ୟ ପଠାଯାଇଛି । ଖୁବଶୀଘ୍ର ସ୍ଥିତି ନିୟନ୍ତ୍ରଣକୁ ଆସିଯିବ ବୋଲି ରହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଜଂନ ମିଶ୍ର ।

ଅପରପକ୍ଷେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଦୁଇ ଜଣିଆ ଟିମ କାଶୀପୁର ବ୍ଲକ ଗସ୍ତ କରି ଆଜି ସ୍ଥିତର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣପାଡି଼ଛି । ଅନ୍ୟପଟେ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଛି କଂଗ୍ରେସ । ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ପ୍ରଥମେ ୧୦ ମିନିଟ ଓ ପରେ ୧୫ ମିନିଟ୍ ପାଇଁ ଗୃହ ମୁଲତବୀ ହୋଇଥିଲା । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଆସନ୍ତା ସୋମବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି ।