କୋରାପୁଟରେ ଡାଏରିଆ ଆତଙ୍କ, ଗୋଟିଏ ପରିବାରର ଦୁଇ ଭାଇଙ୍କ ମୃତ୍ୟୁ

କୋରାପୁଟ:  ରାୟଗଡ଼ା ପରେ କୋରାପୁଟରେ ଆତଙ୍କ ରଚିଲାଣି ଜାଡାବାନ୍ତି  ।  ସେମିଲିଗୁଡା ବ୍ଲକ ଖଜୁରୀପଦର ଗାଁରେ ଝାଡ଼ା ବାନ୍ତିରେ ଲୋକେ ଭୟଭୀତ  । ମିଳିଥିବା ସୂଚନା ମୁତାବକ ଗୋଟିଏ ପରିବାରର ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗାଁର ପୟୁ ତାଡିଙ୍ଗି ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ କୋରାପୁଟ ଜିଲ୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା ।

ସେପଟେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ଆଠ ଦିନ ବ୍ୟବଧାନରେ ତାଙ୍କ ସାନଭାଇ ରେଲି ତାଡିଙ୍ଗି ମଧ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ହେଲେ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ଉକ୍ତ ଗ୍ରାମରେ ରେଲି ତାଡିଙ୍ଗିଙ୍କ ସାନ ପୁଅ ପୁଣି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ପରିବାରରେ ଭୟର ବାତାବରଣ ଖେଳିଯାଇଛି । ଝାଡାବାନ୍ତିକୁ ନେଇ ଗ୍ରାମବାସୀ ମଧ୍ୟ ଆତଙ୍କିତ ଅଛନ୍ତି । ଏନେଇ ଗାଁର ସମସ୍ତଙ୍କ ସ୍ବାସ୍ଥ୍ୟପରୀକ୍ଷା କରିବାକୁ ସେମିଲିଗୁଡା ଜିଲ୍ଲା ପରିଷଦ ସଭ୍ୟ ଓ ଗ୍ରାମାବସୀ ଦାବି କରିଛନ୍ତି । ଗାଁରେ ଡାକ୍ତରୀ ଟିମ ପହଁଚି ପାରିପାର୍ଶ୍ୱିକ ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ଦାବି କରିଛନ୍ତି  ।