ଜିଲ୍ଲାକୁ ଜିଲ୍ଲା ଡେଇଁବାରେ ଲାଗିଲାଣି ଡାଇରିଆ

ନନ୍ଦିଘୋଷ ବ୍ୟୁରୋ : ଜିଲ୍ଲାକୁ ଜିଲ୍ଲା ଡେଇଁବାରେ ଲାଗିଲାଣି ଡାଇରିଆ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ୩ ଜଣଙ୍କ ଜୀବନ ନେଲାଣି ଝାଡ଼ାବାନ୍ତି। ଗତକାଲି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ଯାଇଛି ଜୀବନ। ଆଜି ପୁଣି ୪ ଜଣ ଆକ୍ରାନ୍ତଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ଗାଁରେ ଝାଡା ବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ପଞ୍ଚାୟତର ଦାମପୁର ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ସୃଷ୍ଟି ହେଉଛି ସମସ୍ୟା। ସେହିପରି ଦିଗପହଣ୍ଡି ଉସ୍ତପଲି ଗାଁରେ ଝାଡାବାନ୍ତିରେ ୩ ଜଣ ପ୍ରାଣ ହରାଇଥିବା ବେଳେ, ସାନଖେମୁଣ୍ଡି ପୋଡାମାରି ଓ କଂସମାରୀରେ ଦୁଇ ଜଣଙ୍କ ଜୀବନ ଯାଇଛି। ଅନେକ ଲୋକ ଏବେ ବି ଝଡ଼ାଫୁଙ୍କା ପରି ଅନ୍ଧବିଶ୍ବାସ ଉପରେ ଭରସା କରୁଥିବାରୁ ରୋଗ ନିୟନ୍ତ୍ରଣକୁ ଆସିନଥିବା ଅଭିଯୋଗ ହୋଇଛି। ସେପଟେ ଗଞ୍ଜାମରୁ ପଡ଼ୋଶୀ ଗଜପତି ଜିଲ୍ଲାକୁ ଡେଇଁଛି ଡାଇରିଆ । ଦିଗପହଣ୍ଡି ସୀମାନ୍ତ ମୋହନା ବ୍ଲକ ଢେପାଗୁଡାରେ ଝାଡାବାନ୍ତିରେ ୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ନୂଆପଡା ଜିଲ୍ଲାକୁ ବ୍ୟାପିଛି ଡାଇରିଆ। ସିନାପାଲି ବ୍ଲକର ସୀମାବର୍ତ୍ତୀ ନଙ୍ଗଲବୋର୍ଡ ଗାଁରେ ୧୬ ଜଣ ଅସୁସ୍ଥ ହୋଇଥିବା ବେଳେ ୬ ଜଣ ଗୁରୁତର ଅଛନ୍ତି।

ଗଞ୍ଜାମ ଓ ନୂଆପଡ଼ାରେ ଜନସ୍ବାସ୍ଥ୍ୟ ଟିମ ଆରମ୍ଭ କରିଛି ଯାଞ୍ଚ। ସିନାପାଲିରେ ଗୋଳିଆ ପାଣିରୁ ଝାଡାବାନ୍ତି ବ୍ୟାପୁଥିବା ଜଣାପଡିଛି। ସଂଗ୍ରହ କରାଯାଇଛି ପାଣିର ନମୁନା। ଗଞ୍ଜାମରେ ଯେଉଁ ତିନି ଜଣଙ୍କ ମୃତ୍ୟୁ ଖବର ଆସିଛି, ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଅନ୍ୟ ରୋଗ ଥିବା ନେଇ ପ୍ରାଥମିକ ରିପୋର୍ଟ ପାଇଛି ଜନସ୍ବାସ୍ଥ୍ୟ ବିଭାଗ। ମୟୂରଭଞ୍ଜରେ ବି କଲବଲ କଲାଣି ଡାଇରିଆ। କରଞ୍ଜିଆର ପତ୍ରପଡା ଆଶ୍ରମ ବିଦ୍ୟାଳୟରେ ଝାଡ଼ାବାନ୍ତି ଯୋଗୁଁ ୧୩ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି ।