କଣାସ ହଇଜା ମୃତ୍ୟୁ ଘଟଣା: ସରକାର ହାଲୁକା ଭାବେ ନେଉଥିବା ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶକୁ ଅବମାନନା । ହାଜର ହେଲେନି ସଚିବ । ସରକାରଙ୍କ ଆନ୍ତରିକତାକୁ ନେଇ ଉଠିଲା ପ୍ରଶ୍ନ। ପ୍ରଦୁଷିତ ଜଳ ବ୍ୟବହାର କରି କଣାସରେ ହଇଜାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି । ମାନବାଧିକାର ଆୟୋଗ ମାମଲାର ଶୁଣାଣି କରୁଥିବା ବେଳେ ଦ୍ଵିତୀୟ ଶୁଣାଣିରେ ସରକାର ଏହି ଘଟଣାକୁ କେତେ ହାଲୁକାର ସହ ନେଉଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ । ପ୍ରଥମ ଦିନ ଶୁଣାଣିରେ ସମନ ସତ୍ତ୍ୱେ ମଧ୍ୟ ଜଳସମ୍ପଦ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସ୍ୱାସ୍ଥ୍ୟ ସଚିବ ତଥା ପୁରୀ ଜିଲ୍ଲାପାଳ ସାମିଲ ହୋଇ ନଥିଲେ। ଏହାକୁ ନେଇ ଆୟୋଗ ଅସନ୍ତୋଷ ପ୍ରକାଶ କରିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପୁଣି ସମାନ ଦୃଶ୍ୟ ଦେଖିବାକୁ ମିଳିଲା । କେବଳ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ସ୍ୱାସ୍ଥ୍ୟ ବିଭାଗର କିଛି ଅଧିକାରୀ ଓ ଜଳସମ୍ପଦ ବିଭାଗର କିଛି ଅଧିକାରୀଙ୍କୁ ଛାଡ଼ିଦେଲେ ସଚିବ ମାନଙ୍କର ଦେଖା ମିଳିଲାନି । ଆୟୋଗଙ୍କୁ ମିଥ୍ୟା ରିପୋର୍ଟ ଦେଉଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦା । ଜିଲ୍ଲାପାଳ କିମ୍ବା ବିଭାଗୀୟ ସଚିବ ହାଜର ନହେବାରୁ ଆୟୋଗ ତାଗିଦ କରିବା ସହ ୧୧ ତାରିଖରେ ପରରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି ।

ପ୍ରସଙ୍ଗରେ ଆୟୋଗଙ୍କ ନିକଟରେ ହାଜର ହୋଇ ଆକ୍ସନ ଟେକେନ ରିପୋର୍ଟ ଦେଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏସବୁକୁ ତର୍ଜମା କରି କମିଶନ ଯାହା ନିଷ୍ପତ୍ତି ନେବେ ବୋଲି ସେ କହିଥିବା ବେଳେ କଣାସ ଅଞ୍ଚଳରେ ଏବେ ସ୍ଥିତି ଭଲ ଅଛି ବୋଲି କହିଛନ୍ତି । ସେପଟେ ଆୟୋଗଙ୍କ ନିକଟରେ ହାଜର ହେବା ପରେ କୌଣସି ସୂଚନା ଦେବାକୁ ମନା କରିଛନ୍ତି ଜଳସମ୍ପଦ ବିଭାଗର ଅଧିକାରୀ।

ପ୍ରଦୂଷିତ ଜଳ ପ୍ରବାହିତ ହେଉଥିବା ଅଞ୍ଚଳରେ ତୁରନ୍ତ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ଓ ସରକାରୀ ଅବହେଳା ଯୋଗୁଁ ଏପରି ସ୍ଥିତି ଉପୁଜିଥିବାରୁ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଦାବି କରାଯାଇଛି ।