ବଢୁଛି ଟାଇପ-୨ ମଧୁମେହ ରୋଗୀଙ୍କ ସଂଖ୍ୟା, ଭାରତ ହେବ ଡାଏବେଟିସ ରୋଗୀଙ୍କ ରାଜଧାନୀ
1 min read
ନନ୍ଦିଘୋଷ ବ୍ୟୁରୋ: ସବୁଦିନ ଶୃଙ୍ଖଳିତ ଖାଦ୍ୟ । କିନ୍ତୁ ଦିନକ ପାଇଁ ଚିଟ୍ ଡେ । ଆଧୁନିକ ଜୀବନଶୈଳୀର ଏହି ନିୟମ ଏବେ ଜୀବନକୁ କରୁଛି ବିପନ୍ନ । ଶରୀରରେ ଇନ୍ସୁଲିନକୁ କରୁଛି ଅସନ୍ତୁଳନ । ବଢୁଛି ଟାଇପ-୨ ଡାଇବେଟିସ ରୋଗୀଙ୍କ ସଂଖ୍ୟା । ଭାରତରେ ଏପରି ରୋଗୀଙ୍କ ସଂଖ୍ୟା ଦିନକୁ ବଢୁଛି । ଫଳରେ ଚୀନ ପରେ ଭାରତ ଖୁବଶୀଘ୍ର ବିଶ୍ବରେ ମଧୁମେହ ରୋଗୀଙ୍କ ରାଜଧାନୀ ହେବାକୁ ଯାଉଛି । ଜର୍ମାନୀର ଟୁବିଜେନ୍ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ବୈଜ୍ଞାନିକଙ୍କ ନୂଆ ତଥ୍ୟ କହୁଛି ଜଣେ ସୁସ୍ଥ ଲୋକ ଯଦି ଦିନକ ପାଇଁ ଚକଲୋଟ ବାର, ଆଳୁ ଚିପ୍ସ, ଫାଷ୍ଟ ଫୁଡ୍ ଖାଉଛି ତା ହେଲେ ତା ଶରୀରର ଇନ୍ସୁଲିନ୍ ଅସନ୍ତୁଳନ ହୋଇ ଦୀର୍ଘ ସମୟ ପାଇଁ ମୋଟାପଣ ସୃଷ୍ଟି କରୁଛି । ଏଥିପାଇଁ ଦାୟୀ ମସ୍ତିଷ୍କର ହାଇପୋଥାଲାମସ୍ । ହାଇପୋଥାଲାମସ୍ ଶରୀରରେ ଖାଦ୍ୟ ପାଇଁ ଭୋକ ସୃଷ୍ଟି କରିଥାଏ । ଜଙ୍କ ଫୁଡ, ବେକେରୀ ଖାଦ୍ୟ ଦ୍ବାରା ଶରୀରର ରକ୍ତ ଧମନୀରେ କୋଲେଷ୍ଟ୍ରଲ ଜମି ମସ୍ତିଷ୍କକୁ ରକ୍ତ ପ୍ରବାହ କମାଇଦେଉଛି । ଫଳରେ ସୁସ୍ଥ ଲୋକଟିର ଅଧିକ ଖାଇବା ଇଚ୍ଛା ହେଉଛି । ଅତିମାତ୍ରାରେ ଖାଦ୍ୟ ଖାଇବା ଦ୍ବାରା ମୋଟାପଣର ଶିକାର ହେଉଛି । ଇନ୍ସୁଲିନ୍ ରେଜିଷ୍ଟାନସ୍ ଯୋଗୁ ଟାଇପ-୨ ମଧୁମେହରେ ପୀଡ଼ିତ ହେବା ସହ ଶରୀରରେ ଓଜନ ବଢୁଛି । ଆଉ ତାର ଜୀବନ ବିପଦରେ ପଡୁଛି । ଭାରତରେ ଏପରି ରୋଗୀଙ୍କ ସଂଖ୍ୟା ଏବେ ବଢିବଢିଚାଲିଛି ।
ଟାଇପ-୨ ଡାଇବେଟିସ୍ ହୃଦଘାତ, କିଡନୀ, ଆଖିର ରେଟିନା, ମସ୍ତିଷ୍କରେ ଭୁଲାରୋଗ ସୃଷ୍ଟି କରୁଛି । ପାଶ୍ଚାତ୍ୟ ଲୋକଙ୍କ ଦେହରେ ଚର୍ବି ଶରୀରର ସବୁ ଅଂଶରେ ଖେଳାଇ ହୋଇ ରହିଥାଏ । କିନ୍ତୁ ଭାରତ କଣ ପୂରା ଦକ୍ଷିଣ ଏସିଆ ଲୋକଙ୍କ ଦେହରେ ତଳିପେଟରେ ଚର୍ବି ଜମି ରହି ପେଟ ବଢାଇଥାଏ । ବିଶେଷଜ୍ଞଙ୍କ ମତରେ ଦକ୍ଷିଣ ଏସିଆ ଓ ଭାରତୀୟଙ୍କ କ୍ଷେତ୍ରରେ ଖାଦ୍ଯଭାବ ଯୋଗୁଁ ଖାଦ୍ଯ ଦେଖିଲେ ଅଧିକ ଖାଉଥିବାରୁ ଲୋକଙ୍କ ତଳିପେଟରେ ଚର୍ବି ଜମିଥାଏ । ଯେଉଁଥିପାଇଁ ରକ୍ତରେ କୋଲେଷ୍ଟ୍ରଲର ମାତ୍ରା ବଢୁଥିବାରୁ ମସ୍ତିଷ୍କକୁ ରକ୍ତ ପ୍ରବାହ କମିଥାଏ । କମ ରକ୍ତ ପ୍ରବାହ ଯୋଗୁଁ ମସ୍ତିଷ୍କର ବିଭିନ୍ନ ପ୍ରକାର ଅସନ୍ତୁଳନ ଦେଖାଦେଇଥାଏ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ଜଣେ ଲୋକ ସୁସ୍ଥ ରହିବାକୁ ହେଲେ ଦୈନିକ ଅତିକମରେ ୩୦ ମିନିଟ୍ ଚାଲିବା ଦରକାର । ଏହି ଅଭ୍ୟାସ ସପ୍ତାହରେ ୫ ଦିନ କରିବା ଦରକାର ।
ରିପୋର୍ଟ ଅନୁଯାୟୀ ଭାରତରେ ଟାଇପ-୨ ଡାଇବେଟିସ ଯୋଗୁ ପ୍ରତି ୨୫ ଜଣଙ୍କ ମଧ୍ୟରୁ ଜଣେ ଲୋକ ଦୃଷ୍ଟିଶକ୍ତି ହରାଉଛନ୍ତି ।