ମେଜର ହୋଇ ୧୭ ଝିଅଙ୍କୁ ଫସେଇଲେ; ଠକିଲେ ୬ କୋଟି ଟଙ୍କା

1 min read

ହାଇଦ୍ରାବାଦ: ଅନେକ ଲୋକ ଲୁଟେରୀ ଦୁଲହନ୍ ଭଳି ଶବ୍ଦ ଶୁଣିଥିବେ । ହେଲେ କେହି ଲୁଟେରା ଦୁଲହା ର କାରନାମା ଶୁଣିନଥିବେ । ତେଲେଙ୍ଗାନା ପୋଲିସ ଏମିତି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଖବର ସମ୍ମୁଖକୁ ଆସିଛି ।

ଅଭିଯୁକ୍ତଙ୍କ ନାମ ମୁଦବଥ ଶ୍ରୀନୁ ନାୟକ ବୋଲି ଜଣାପଡିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜକୁ ସେନାର ମେଜର ଭାବେ ପରିଚୟ ଦେଇ ୧୭ରୁ ଅଧିକ ଝିଅଙ୍କୁ ଫସାଇବା ସହ ସେମାନଙ୍କ ଠାରୁ ପାଖାପାଖି ୬ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

୯ମ ଶ୍ରେଣୀ ଯାଏଁ ପଢିଛନ୍ତି ଏହି ମାଷ୍ଟରମାଇଣ୍ଡ-
ତେଲେଙ୍ଗାନା ପୋଲିସର ସୂଚନାନୁସାରେ ସେ ଆନ୍ଧ୍ରପ୍ରଦେଶର ପ୍ରକାସମ ଜିଲ୍ଲାର କିଲାମପାଲୀ ଗାଁର ବାସିନ୍ଦା। ସୂଚନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ମାତ୍ର ୯ମ ଶ୍ରେଣୀ ଯାଏଁ ପଢିଥିବା ବେଳେ ସେ ସମସ୍ତଙ୍କୁ ଏନଭାରମେଣ୍ଟ ଇଞ୍ଜିନିୟରିଂରେ ଏମଟେକ୍ ଏବଂ ଗୋରଖପୁରରୁ ଆଇଆଇଟି କରିଥିବା କହିଥିଲା । ଏପର୍ଯ୍ୟନ୍ତ ପ୍ରାୟ ୧୭ ଜଣ ଝିଅଙ୍କୁ ମିଛ କହି ଫସାଇବା ସହ ତାଙ୍କ ଠାରୁ ୬.୬୧ କୋଟି ଟଙ୍କା ଠକି ନେଇଛି।

ତେବେ ସେ ବିବାହିତ ହେବା ସଙ୍ଗେସଙ୍ଗେ ତା’ର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ରହିଛି । ହେଲେ ସେ ନିଜକୁ ଅବିବାହିତ କହିବା ସହ ଅନେକ ମ୍ୟାଟ୍ରିମୋନିଆଲ୍ ୱେବସାଇଟରେ ନକଲି ପ୍ରୋଫାଇଲ୍ ଖୋଲିଥିଲା ।

ପୋଲିସର ସୂଚନାନୁସାରେ, ୨୦୦୨ ମସିହାରେ ମୁଦବଥ ପ୍ରଥମେ ଗୁଣ୍ଟୁର ଜିଲ୍ଲାର ଏକ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ବିବାହ କରିଥିଲା। ପୂର୍ବରୁ ଗୁଣ୍ଟୁର ଜିଲ୍ଲାର ଭେନୁକୋଣ୍ଡା ଅଞ୍ଚଳରେ ରହୁଥିବା ବେଳେ ସେ ୨୦୧୪ ମସିହାରେ ହାଇଦ୍ରାବାଦ ଯାଇ ଜବାହର ନଗର ସୈନିକପୁରୀରେ ରହିଥିଲେ । ଏପରିକି ସେ ନିଜ ପତ୍ନୀଙ୍କୁ ମଧ୍ୟ ସେନା କାର୍ଯ୍ୟାଳୟରେ ଚାକିରି କରୁଥିବା ସମ୍ପର୍କରେ କହିଥିଲା ଏବଂ ଅନେକ ସମୟରେ ବିଭିନ୍ନ ଆଳ ଦେଖାଇ ସେ ପତ୍ନୀଙ୍କ ଠାରୁ ପ୍ରାୟ ୬୭ ଲକ୍ଷ ଟଙ୍କା ନେଇଥିବା ପୋଲିସ ପ୍ରକାଶ କରିଛି । ଏପରିକି ସେ ନିଜ ନାମରେ ନକଲି ଆଧାର କାର୍ଡ ମଧ୍ୟ ବନାଇଥିଲା ।

ସମ୍ପୃକ୍ତ ବ୍ୟକ୍ତି ଜଣକ ସେନା ୟୁନିଫର୍ମରେ ଫଟୋ ଉଠାଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥାଏ । ଏମିତିକି ନକଲି ପ୍ରୋଫାଇଲ ବନାଇ ବିବାହ ପାଇଁ ଝିଅ ଫସାଇବାରେ ଲାଗିପଡିଥିଲା । ସେ ହାଇଦ୍ରାବାଦରେ ଏକ ଭଡାଘରକୁ ସେନାର କାର୍ଯ୍ୟାଳୟ ବୋଲି କହୁଥିଲା, ଯେଉଁଠି ସେ ସେନାର ଡ୍ରେସ୍ ପିନ୍ଧି ବସିବା ସହ ମହିଳା ଏବଂ ତାଙ୍କ ପରିବାର ବର୍ଗଙ୍କ ସହ ସହ ଭିଡିଓ କଲରେ କଥା ହେଉଥିଲେ। ସେ ନିଜକୁ ପୁଣେ ନ୍ୟାସନାଲ ଡିଫେନ୍ସ ଏକାଡେମୀରୁ ପାସଆଉଟ୍ ବୋଲି କହୁଥିଲା । ପ୍ରଥମେ ପ୍ରଥମେ ସେ ବିନା ଯୌତୁକରେ ବିବାହ ପାଇଁ କହୁଥିବା ବେଳେ ପରେ କିଛିନା କିଛି ଆଳ ଦେଖାଇ ସେମାନଙ୍କ ଠାରୁ ଟଙ୍କାପଇସା ନେଉଥିଲା ।

ତେବେ ହାଇଦ୍ରାବାଦରେ ମୁଦବଥଙ୍କ ଦୁଇ ମହଲା ଘର ଏବଂ ୩ଟି କାର ଜବତ କରିଛି ପୋଲିସ। ଜବତ ହୋଇଥିବା କାରଗୁଡିକ ମଧ୍ୟରେ ଏକ ମର୍ସିଡିଜ୍ ବେଞ୍ଜ୍ କାର୍ ରହିଛି । ଏହାବ୍ୟତୀତ ତା’ ନିକଟରୁ ସେନା ପୋଷାକ, ବ୍ୟାଜ, ନକଲି ପରିଚୟ ପତ୍ର, ନକଲି ପିସ୍ତଲ ଏବଂ ୩ଟି କାର୍ଟ୍ରିଜ ମଧ୍ୟ ଉଦ୍ଧାର କରାଯାଇଛି। ଏନେଇ ମୁଦବଥଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି।

Leave a Reply