ବିକାଶରେ ବ୍ରେକ୍ ଲଗାଉଥିବା ବିରୋଧୀଙ୍କୁ ରୋକଠୋକ୍ ଜବାବ

Dhinkia People Opposed Political Party Representative

ପାରାଦୀପ: ବଦଳିଛି ଢିଙ୍କିଆ ପରିସ୍ଥିତି, ଦିନେ ଯେଉଁମାନଙ୍କୁ ନିମନ୍ତ୍ରଣ କରି ଗ୍ରାମବାସୀ ଫୁଲ ପକାଇ ପାଛୋଟି ନେଉଥିଲେ, ଆଜି ସେମାନଙ୍କୁ ଗାଁରେ ପ୍ରବେଶ ପାଇଁ ବାରଣ କରାଯାଉଛି । ବିକାଶରେ ବ୍ରେକ୍ ଲଗାଉଥିବା ବିରୋଧୀଙ୍କୁ ଦେଇଛନ୍ତି ରୋକଠୋକ୍ ଜବାବ । ଢିଙ୍କିଆରେ ପୋଲିସର ଜୁଲମ୍ ଚାଲିଥିବା ଅଭିଯୋଗ କରି ଢିଙ୍କିଆ ଗସ୍ତ କରିଥିଲେ ୧୩ ଗୋଟି ରାଜନୈତିକ ଦଳର ୧୭ ଜଣିଆ ପ୍ରତିନିଧି ଦଳ । ଗାଁ ଲୋକଙ୍କ ବିରୋଧ ଯୋଗୁଁ ଶେଷରେ ଫେରି ଯାଇଛି ଟିମ୍ ।

Dhinkia People Opposed Political Party Representative

ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳରେ ଏବେ ଫେରିଛି ଭାଇଚାରା । ଦୀର୍ଘ ବର୍ଷ ହେଲା ଏଠାରେ ଚାଲିଥିବା ଅଶାନ୍ତିରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଜାନୁଆରୀ ୧୪ ତାରିଖ ଠାରୁ ଗାଁରେ ଶାନ୍ତି ଫେରିବା ସହିତ ଫେରିଛି ଭାଇଚାରା । ବିକାଶ ବିରୋଧୀଙ୍କୁ ମିଳିଛି କଡ଼ା ଜବାବ । ହଟହଟା ହୋଇଛନ୍ତି ୧୩ ରାଜନୈତିକ ଦଳର ୧୭ ଜଣିଆ ପ୍ରତିନିଧି ଦଳ । ଗାଁରେ ପଶିବା ପୂର୍ବରୁ ଲୋକେ ପ୍ରଶ୍ନବାଣରେ କରିଥିଲେ ଘାଇଲା । ବିନା ଡାକରାରେ ଆପଣମାନେ କାହିଁକି ଆସିଛନ୍ତି ? ଢିଙ୍କିଆ ପ୍ରତି ଆପଣଙ୍କ ଏତେ ଦରଦ କ’ଣ ପାଇଁ ? ଆମ ଗାଁରେ ଭାଇଚାରା ନଷ୍ଟ କରି ଆପଣଙ୍କର କି ସ୍ୱାର୍ଥ ହାସଲ ହେବ ? ଏଭଳି ଗୁଡ଼େଇ ତୁଡେଇ ପ୍ରଶ୍ନର କିନ୍ତୁ ଉତ୍ତର ଦେବାରେ ଥଥ ମମ ହୋଇଥିଲେ ପ୍ରତିନିଧି ଦଳ । ବୁଝାଇ କହିଥିଲେ, କମ୍ପାନୀ ପାଇଁ ଜମି. ପାନବରଜ, ଜଙ୍ଗଲ ଦେଇ ସାରିଛୁ । ପାଚେରୀ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ । ସଠିକ କ୍ଷତିପୂରଣ ମଧ୍ୟ ମିଳିଛି । ଆପଣମାନେ ଆସି ପୁଣି ଗ୍ରାମରେ ଅଶାନ୍ତି କରନ୍ତୁ ନାହିଁ ବୋଲି ଗାଁଲୋକ ପ୍ରତିନିଧି ଦଳକୁ ନେହୁରା ହୋଇଥିଲେ ।

Dhinkia People Opposed Political Party Representative

ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ବିରୋଧୀ କରୁଛନ୍ତି ରାଜନୀତି । ଲୋକଙ୍କୁ ବୁଝାଇବା ପାଇଁ ଆଜି ୧୭ ଜଣିଆ ପ୍ରତିନିଧି ଦଳ ଢିଙ୍କିଆ ଯାଇଥିଲେ । ମାତ୍ର ଢିଙ୍କିଆର ୩୪ ଜଣିଆ ଗ୍ରାମ୍ୟ କମିଟି ଓ ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ସେମାନଙ୍କୁ ପାଟଣା ହାଟ ନିକଟରେ ଅଟକାଇ ଦିଆଯାଇଥିଲା । ଯାହାର ନେତୃତ୍ୱ ନେଉଥିଲେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା । ରାସ୍ତା ଉପରେ ବସିବା ସହିତ ଆମ କଥା ଆମେ ବୁଝିବୁ ବୋଲି କହି ଭାଇଚାରା ନଷ୍ଟ କରନ୍ତୁ ନାହିଁ ବୋଲି ସେମାନେ ନିବେଦନ କରିଥିଲେ । ଦିନେ ଫୁଲ ମାଳ ଦେଇ ସ୍ୱାଗତ କରୁଥିଲେ କିନ୍ତୁ ଆଜି ଗାଁ ମୁଣ୍ଡରୁ ଫେରାଇ ଦେଇଛନ୍ତି ଗ୍ରାମବାସୀ । ଢିଙ୍କିଆରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ବାହାର ଲୋକଙ୍କ ପରାମର୍ଶ ନୁହେଁ, ନିଜ ନିଷ୍ପତ୍ତି ନିଜେ ନେବୁ ବୋଲି ସଫା ଶୁଣାଇ ଦେଇଛନ୍ତି ଗ୍ରାମବାସୀ ।