ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବମୁଖର ହେଲାଣି ମହିମା ପୀଠ
![](https://nandighoshatv.com/wp-content/uploads/2025/02/ସଜେଇ-ହେଲାଣି-ଯୋରନ୍ଦା-ପୀଠ-1024x576.jpg)
ଢେଙ୍କାନାଳ : ରାତି ପାହିଲେ ଢେଙ୍କାନାଳର ଯୋରନ୍ଦା ପୀଠରେ ଆରମ୍ଭ ହେବ ପ୍ରସିଦ୍ଧ ମାଘମେଳା । ସେଥିପାଇଁ ସଜେଇ ହେଉଛି ପୂରା ମହିମାଗାଦୀ ପୀଠ । ମାଘ ମେଳାର ଦିନକୁ ପୂର୍ବରୁ ମହିମା ଗାଦିରେ ଲାଗିଲାଣି ସାଧୁସନ୍ଥଙ୍କ ଭିଡ । କୁମ୍ଭ ମେଳାରୁ ବୁଡ ପକାଇ ସିଧା ମାଘମେଳାକୁ ଛୁଟିଆସୁଛନ୍ତି ଦେଶର କୋଣ ଅନୁକୋଣରୁ ସାଧୁସନ୍ଥ । ଏବେଠୁ ମହିମା ସନ୍ଯାସୀଙ୍କ ଅଲେଖ ମହିମା ଧ୍ଵନିରେ କମ୍ପିଲାଣି ପୂରା ମହିମା ଗାଦି । ବାଜା, ଖୋଲ କୀର୍ତ୍ତନ ସହ ଖଞ୍ଜଣି ମାଡରେ ବିଭୋର ହେଲେଣି ମହିମା ସନ୍ୟାସୀ ଓ ପର୍ଯ୍ୟଟକ । ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଉପାସନା ପୀଠରେ ଝାଡଦୀପ ପ୍ରଜ୍ୱଳନ ହେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗାଦୀମନ୍ଦିର, ଅଖଣ୍ଡଜ୍ୟୋତି ମନ୍ଦିର, ଧୂନୀ ମନ୍ଦିର, ଶୂନ୍ୟ ମନ୍ଦିର, ବତୀ ମନ୍ଦିର ଓ ୨୧ହାତିଆ ଟୁଙ୍ଗି ଆଦିକୁ ସଫେଇ କରାଯାଇଛି ।
ଚଳିତବର୍ଷ ୧୫୨ତମ ବିଶ୍ୱ ପ୍ରସିଦ୍ଧ ମାଘମେଳା ଅନୁଷ୍ଠିତ ହେଉଛି । ମାଘମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ତିଥୀରୁ ଏହି ମେଳା ଆରମ୍ଭ ହୋଇ ଦୁଇଦିନ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ମହିମା ସାଧୁ ସନ୍ୟାସୀମାନେ ଜଗତ କଲ୍ୟାଣ ପାଇଁ ମହଣ ମହଣ ଘିଅ ଘୃତାହୂତୀ କରି ଝାଡଦୀପ ପ୍ରଜ୍ୱଳନ କରିବେ । ଶାନ୍ତିଶୃଙ୍ଖଳା ପାଇଁ ପ୍ରାୟ ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏତଦବ୍ୟତୀତ ମାଘମେଳା ଉପଲକ୍ଷେ ଅନୁଷ୍ଠିତ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ, ଅପେରା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସିସିଟିଭି କ୍ୟାମେରା ଲଗାଯିବା ସହିତ ଟ୍ରାଫିକ ନିୟନ୍ତ୍ରଣକୁ ଅଧିକ କଡାକଡି କରାଯାଇଛି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ବହୁ ସଂଖ୍ୟାରେ ଜନ ସମାଗମ ହେବା ନେଇ ଅନୁମାନ କରିଛି ପ୍ରଶାସନ ।