ଢେଙ୍କାନାଳ ସଦର ଥାନା ଫାସିଗାଁରେ ଗୁଳିକାଣ୍ଡ

1 min read

ଢେଙ୍କାନାଳ : ରବିବାର ଭୋର ସମୟରେ ଫୁଟିଲା ଗୁଳି । ଫାର୍ମ ହାଉସରେ ଶୋଇଥିବା ବେଳେ ଗୁଳିମାଡ଼ । ସମ୍ପର୍କୀୟ ଭିଣୋଇ ଗୁଳିରେ ଗଲା ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି  ଢେଙ୍କାନାଳ ସଦର ଥାନା କଳାଙ୍ଗ ଫାସିଗାଁ ନିକଟ ଫାର୍ମ ହାଉସରେ । ମୃତ ଗୋବିନ୍ଦ ଚନ୍ଦ୍ର ନାଏକଙ୍କୁ ତାଙ୍କର ସମ୍ପର୍କୀୟ ଭିଣୋଇ ରମେଶ ଚନ୍ଦ୍ର ନାଏକ ହତ୍ୟା କରିଥିବା ସ୍ଵୀକାର କରିଛି। ଫାର୍ମ ହାଉସ ବୁଦା ଭିତରେ ଅଭିଯୁକ୍ତ ରମେଶ ବନ୍ଧୁକ ଲୁଚାଇ ରଖିଥିଲା । ରମେଶର ଉପସ୍ଥିତିରେ ପୋଲିସ ଘଟଣାରେ ବ୍ୟବହୃତ ଦେଶୀ ବନ୍ଧୁକକୁ ଜବତ କରିଛି। ଗତ ରାତିରେ ଫାର୍ମ ହାଉସ ଭିତରେ ମୃତକ ଗୋବିନ୍ଦ ଚନ୍ଦ୍ର ନାଏକଙ୍କ ସହ ଆଳୁସିଂ ଗାଁର ସମ୍ପର୍କୀୟ ଭିଣୋଇ ତଥା ଅଭିଯୁକ୍ତ ରମେଶ ଓ ଗୋବିନ୍ଦଙ୍କ ସମ୍ପର୍କୀୟ ଭାଇ ଅଭିରାମ ନାଏକ ଥିଲେ । ଜନ୍ତୁ ଶିକାର ପାଇଁ ଉଦ୍ୟମ ବେଳେ ଗୋବିନ୍ଦଙ୍କୁ ଜନ୍ତୁ ଭାବି ଗୁଳି ଚଳାଇଥିବା କ୍ୟାମେରା ଆଗରେ କହିଛି ଅଭିଯୁକ୍ତ ରମେଶ । ତେବେ ଏବେ ବି ଗୁଳିମାଡ଼ର ପ୍ରକୃତ କାରଣ ସନ୍ଦେହ ଘେରରେ ରହିଛି । ପୋଲିସ ସାଇଣ୍ଟିଫିକ୍ ଟିମ ସହିତ ସନ୍ଧାନୀ କୁକରଙ୍କ ସହାୟତାରେ ତଦନ୍ତ ଜାରି ରଖିଛି ପୋଲିସ ।

ଗୁଲିମାଡ଼ ପରେ ଗୋବିନ୍ଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତକାଲି ମାମଲାରେ ପୋଲିସ ପକ୍ଷରୁ ଜଣଙ୍କୁ ଅଟକ ରଖିଥିଲା । ଅଟକ ବ୍ୟକ୍ତିଙ୍କୁ ନେବା ବେଳେ ଗ୍ରାମବାସୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା। ଅଟକ ବ୍ୟକ୍ତିଙ୍କୁ ପୋଲିସ ଠାରୁ ଛଡ଼ାଇ ନେବା ପାଇଁ ସ୍ଥାନୀୟ ଲୋକେ ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ଢେଙ୍କାନାଳ ଏସପିଙ୍କ ସହ ଟାଉନ୍ ଆଇଆଇସି ଓ ଭାପୁର ଥାନା ଅଧିକାରୀ ମଧ୍ୟ ଛାନବିନ୍ କରୁଛନ୍ତି। ମୃତ ଗୋବିନ୍ଦଙ୍କ ପତ୍ନୀ, ଭାଇ, ତଥା ସମ୍ପର୍କୀୟଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି । ମୃତଦେହର ଛାତିରେ ଅନେକ ଗୁଡ଼ିଏ ଛେରା ଗୁଳି ପସିଥିବାରୁ ସନ୍ଦେହ ଆହୁରି ଘନୀଭୂତ ହେଉଛି l ପୋଲିସ ଅନୁସନ୍ଧାନ ଚଳାଇଥିବା ବେଳେ ଘଟଣାର ଖୁବଶିଘ୍ର ପର୍ଦ୍ଦାଫାଶ କରାଯିବ ବୋଲି କହିଛନ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ l ତେବେ ଗୋବିନ୍ଦ ଚନ୍ଦ୍ର ନାଏକଙ୍କୁ ଗୁଳିକରି ହତ୍ୟା କରିବା ଏକ ଦୁର୍ଘଟଣା ନାଁ କୌଣସି ହତ୍ୟା ଷଡ଼ଯନ୍ତ୍ର ତାହା ଅସ୍ପଷ୍ଟ ରହିଛି  ।