ମୟୂରଙ୍କ ସୁରକ୍ଷା ଓ ଅଣ୍ଡା ସଂରକ୍ଷଣ କରୁନି ବନବିଭାଗ, ପ୍ରାଣୀ ଉଦ୍ୟାନ କେଜରେ ଏଣେତେଣେ ପଡିଛି ମୟୂରଙ୍କ ଅଣ୍ଡା

ଢେଙ୍କାନାଳ : ବିପଦରେ ଜାତୀୟ ପକ୍ଷୀ ମୟୂର । ମୟୂରଙ୍କ ସୁରକ୍ଷା ଓ ଅଣ୍ଡା ସଂରକ୍ଷଣ ବ୍ୟବସ୍ଥା କରୁନି ବନବିଭାଗ । କେଜ ମଧ୍ୟରେ ଅଣ୍ଡା ଗୁଡ଼ିକ ଏଣେତେଣେ ହୋଇ ପଡିଛି । କିଛି ନଷ୍ଟ ହୋଇଗଲାଣି ତ ଆଉ କିଛି ବାଲିରେ ଗଡୁଛି । ଢେଙ୍କାନାଳ ଜିଲ୍ଲା କପିଳାସ ପ୍ରାଣୀ ଉଦ୍ୟାନରେ ଦେଖିବାକୁ ମିଳିଛି ଏଭଳି ଅବସ୍ଥା । ମୟୂରର ଅଣ୍ଡା ଗୁଡିକ ବନବିଭାଗ ସଂରକ୍ଷିତ କରିବାରେ ଅସମର୍ଥ ସାଜିଛି । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଅଛନ୍ତି ଶହ ଶହ ମୟୂର । ବିଶେଷ କରି କପିଳାସ ରେଞ୍ଜ ଅଧିନରେ ଥିବା କପିଳାସ ଅଭୟାରଣ୍ୟ, ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କୋଇ ଓ କନ୍ଧରା ଜଙ୍ଗଲରେ ଅଣ୍ଡିରା ଓ ମାଈ ପ୍ରଜାତିର ମୟୂର ଅଛନ୍ତି । ବିଶେଷ କରି ଅଣ୍ଡିରା ମୟୂର ମାନେ ପୁଚ୍ଛ ମେଲାଇ ନାଚିଥାନ୍ତି । ଯାହା ଦେଖିବା ଅତି ବିରଳ । ହେଲେ ବିଡମ୍ବନାର ବିଷୟ ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଶିକାରୀ ମାନଙ୍କ ଲୋଲୁପ ଦୃଷ୍ଟିର ଶିକାର ହେଉଛନ୍ତି ନୀରିହ ମୟୂର । ଏପରିକି ମୟୂର ଶିକାରରେ କିଛି ବନବିଭାଗ କର୍ମଚାରୀ, ଅଧିକାରୀ ଶିକାରୀ ମାନଙ୍କ ସହ ହାତ ମିଳାଇଥିବା ଅଭିଯୋଗ ହୋଇଛି ।
ସଂରକ୍ଷିତ ଜଙ୍ଗଲ ସମେତ କେଜ ମଧ୍ୟରେ ମୟୂରର ଅଣ୍ଡାକୁ ସଂରକ୍ଷଣ କରି ରଖିବାରେ ଧ୍ୟାନ ଦେଉନି ବନବିଭାଗ । ଅନ୍ୟ ପଟରେ ଶିକାରୀ ମାନେ ମୟୂର ଶିକାର କରି ଏହାର ପୁଚ୍ଛକୁ ବିଭିନ୍ନ ସ୍ଥାନରେ ବହୁମୂଲ୍ୟ ଟଙ୍କାରେ ବିକ୍ରି କରିଦେଉଛନ୍ତି । ୧୯୭୨ ମସିହାରୁ ମୟୂରକୁ ଜାତୀୟ ପକ୍ଷୀ ଭାବେ ଘୋଷଣା କରି କେନ୍ଦ୍ର ସରକାର ଦାୟିତ୍ଵ ସାରିଦେଇଛନ୍ତି । ହେଲେ ଜାତୀୟ ପକ୍ଷୀ କିପରି ସୁରକ୍ଷିତ ରହିବେ ? ଏହାର କିପରି ବଂଶବୃଦ୍ଧି ହୋଇପାରିବ ସେଥିପାଇଁ ଜାତୀୟ, ରାଜ୍ୟ ଓ ଜିଲ୍ଲାସ୍ତରରେ କୌଣସି ଯୋଜନା ପ୍ରସ୍ତୁତ ହେଉନାହିଁ । ଫଳରେ ଦିନ ଆସିବ ଜନମାନସରୁ ମୟୂର ଲୋପ ପାଇଯିବା ଆଶଙ୍କା ଦେଖାଦେଇଛି । ଏପଟେ ଘଟଣାକୁ ସ୍ବୀକାର କରିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ।