ମହୁମାଛି ଆକ୍ରମଣରେ ୭ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ମହୁମାଛି ଆକ୍ରମଣରେ ୭ ଗୁରୁତର। ଢେଙ୍କାନାଳ ପରଜଙ୍ଗ ଥାନା ବସୁଲେଈ ଗ୍ରାମରେ ମହୁମାଛିଙ୍କ ଅତର୍କିତ ଆକ୍ରମଣରେ ୭ ଜଣ ଗୁରୁତର ହୋଇଛନ୍ତି । ବସୁଲେଈ ଗ୍ରାମ ନିକଟରେ ଯାଇଥିବା ରେଙ୍ଗାଳି ବାମପାର୍ଶ୍ଵ ଶାଖା କେନାଲର ପୂର୍ତ୍ତବିଭାଗ ରାସ୍ତାରେ ଲୋକମାନେ ଯିବାଆସିବା କରୁଥିବା ବେଳେ ହଠାତ ମହୁମାଛି ମାନେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ସେହି ସମୟରେ ଯାଉଥିବା ଲୋକେ ମହୁମାଛି ମାନେ ଆକ୍ରମଣର ଶିକାର ହୋଇଥିଲେ।  ମହୁମାଛିଙ୍କ ଭୟଙ୍କର ଆକ୍ରମଣ ଫଳରେ ଲୋକମାନେ ରାସ୍ତାରେ ନିଜ ବାଇକ ଫିଙ୍ଗି ଦେଇ ଏଣେତେଣେ ଧାଇଁବା ସହ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ମହୁମାଛିଙ୍କ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଜଣେ ଛୋଟ ଝିଅ ଭୟରେ ନିକଟରେ ଥିବା କେନାଲକୁ ପଶିଯାଇ ନିଜ ଜୀବନ ବଞ୍ଚାଇଥିଲା । ଏହିପରି ଭାବରେ ବେଶ ସମୟ ଧରି ସେହି ରାସ୍ତାରେ ମହୁମାଛି ମାନେ ଆତଙ୍କ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ମାନେ କେନାଲ ଭିତରେ ପଶିଥିବା ଛୋଟ ଝିଅ ସମେତ ଅନ୍ୟ ମାନଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଗ୍ରାମବାସୀଙ୍କ ସହାୟତାରେ ଆହତଙ୍କୁ ତାଳଚେର ସ୍ଥିତ ମଣ୍ଡାପାଳ ମେଡିକାଲକୁ ସ୍ଥାନାନ୍ତର କରଯାଇଛି ।.