ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଲା ଢେଙ୍କାନାଳ ଗଣଦୁଷ୍କର୍ମ ଘଟଣା

ଢେଙ୍କାନାଳ: ଢେଙ୍କାନାଳ ଗଣଦୁଷ୍କର୍ମ ଘଟଣା । ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଲା ଢେଙ୍କାନାଳ ଗଣଦୁଷ୍କର୍ମ ଘଟଣା। ଏନେଇ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତ କୁମାର ଦାସ। ରାଜ୍ଯ ସରକାର, ପୋଲିସ ଓ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କ ଅବହେଳାକୁ ସେ ଦାୟୀ କରିଛନ୍ତି। ଜଣେ ଗରିବ ଓ ବାସହୀନ ଯୁବତୀଙ୍କୁ ଭାପୁର ଫାଣ୍ଡି ଅଞ୍ଚଳରେ ଯେପରି ଗଣଦୁଷ୍କର୍ମ କରାଯାଇଛି ତାହା ଦୁର୍ଭାଗ୍ଯଜନକ ବୋଲି ସେ କହିଛନ୍ତି।
ଯୁବତୀଙ୍କ ବାପା ମାନସିକ ଅସୁସ୍ଥ ଥିବାବେଳେ ସେମାନେ ଏକ ପରିତ୍ଯକ୍ତ ଅଙ୍ଗନବାଡି କେନ୍ଦ୍ରରେ ରହୁଥିଲେ। ସେମାନଙ୍କ ଦୁରବସ୍ଥାର ସୁଯୋଗ ନେଇ ଅସାମାଜିକ ବ୍ଯକ୍ତିମାନେ ଏପରି କାଣ୍ଡ ଘଟାଇଥିବା ସେ କହିଛନ୍ତି। ଏହି ଘଟଣାରେ ପୋଲିସ ନିଜ ଆଡୁ କିପରି କାର୍ଯ୍ଯାନୁଷ୍ଠାନ ନେଇନାହିଁ ସେ ନେଇ ପ୍ରଶ୍ନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ, ପୋଲିସ ଓ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସେ ନିବେଦନ କରିଛନ୍ତି।