spot_img

Latest Posts

ଢେଙ୍କାନାଳରେ ପ୍ରସ୍ତାବିତ ଇସ୍ପାତ କାରଖାନାକୁ ନେଇ ବଢୁଛି ବିବାଦ….

ଢେଙ୍କାନାଳ : ଢେଙ୍କାନାଳରେ ପ୍ରସ୍ତାବିତ ଇସ୍ପାତ କାରଖାନାକୁ ନେଇ ବଢୁଛି ବିବାଦ । ବିନା ଗ୍ରାମସଭାରେ କାରଖାନା ପ୍ରତିଷ୍ଠାକୁ ତୀବ୍ର ବିରୋଧ । ତାତିଲେ ଗ୍ରାମବାସୀ ଓ ଜମିହରା ପ୍ରଜା । ଢେଙ୍କାନାଳ ଓଡ଼ାପଡା ବ୍ଲକ ଖଡଗପ୍ରସାଦ ଓ କୁରୁଣ୍ଟି ଗାଁରେ ହେବ ପ୍ରସ୍ତାବିତ ପ୍ରକଳ୍ପ । ଯାହାକୁ ବିରୋଧ କରି ଖଡଗପ୍ରସାଦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଲାନକୋ କ୍ଷତିଗ୍ରସ୍ତ ପ୍ରଜାସଂଘ ଓ ଗ୍ରାମବାସୀଙ୍କ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା । ଲୋକଙ୍କ ଅଭିଯୋଗ ପ୍ରକାରେ ପୂର୍ବରୁ ଲାନକୋ କମ୍ପାନୀ ଲୋକଙ୍କ ଜମି ଅଧିଗ୍ରହଣ କରିଥିଲା । କିନ୍ତୁ କମ୍ପାନୀ କାର୍ଯ୍ୟକ୍ଷମ ହେବା ପୂର୍ବରୁ ତାହା ବନ୍ଦ ହୋଇଗଲା । ସଂପୃକ୍ତ ଜମିକୁ ଶାଗମାଛ ଦରରେ ସାଫ୍ରନ ନାମକ କମ୍ପାନୀକୁ ଲାନକୋ ଟେକିଦେଲା । ଫଳରେ କମ୍ପାନୀ ତରଫରୁ ଦିଆଯାଇଥିବା ପ୍ରତିଶୃତି ପାଣିର ଗାର ପାଲଟିଲା । ତେଣୁ ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠାନ କର୍ତ୍ତୃପକ୍ଷ ଜମିହରା ପ୍ରଜାଙ୍କୁ ଜମିର ଉଚିତ ମୂଲ୍ୟ ଦେବା ସହ ପ୍ରଦୂଷଣ ମୁକ୍ତ ଶିଳ୍ପ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ।

ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠାନ ଗଢି ଉଠିବାରୁ ତାହାର ପ୍ରଭାବ ଚିରସ୍ରୋତା ବ୍ରାହ୍ମଣୀ ଉପରେ ପଡୁଛି । କଳକାରଖାନା ଗୁଡିକରୁ ନିର୍ଗତ ଟକ୍ସିକ ୱାଟର ବ୍ରାହ୍ମଣୀ ନଦୀରେ ମିଶି ପାଣି ଦୂଷିତ ହୋଇଗଲାଣି । ନଦୀର ଜଳରେ ବହଳିଆ କଳା ଆସ୍ତରଣ ପଡିବା ସହ ତାହା ପିଇବା ଅନୁପଯୋଗୀ ହୋଇପଡିଛି । ବର୍ଜ୍ୟବସ୍ତୁ ଗୁଡିକ ନଦୀକୁ ନଛାଡିବା ପାଇଁ ବାରମ୍ବାର ପ୍ରଶାସନ ତରଫରୁ କୁହାଯାଉଛି ହେଲେ ଦୁଇ ଜିଲ୍ଲାର କାରଖାନା କର୍ତ୍ତୃପକ୍ଷ ଶୁଣିବାକୁ ନାରାଜ । ପୁଣି ନଦୀ କୂଳରେ ଆଉ ଏକ ଇସ୍ପାତ କାରଖାନା ହେଲେ ବ୍ରାହ୍ମଣୀ ନଦୀ ଆହୁରି ଦୂଷିତ ହେବା ସହ ତାହାର ସତ୍ତା ହରାଇବ । ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଗୋଟିଏ ପଟେ ଶିଳ୍ପ ନାଁରେ ସରକାରଙ୍କ ବିକାଶର ନାରା । ଆଉ ଗୋଟିଏ ପଟେ ସ୍ଥାନୀୟ ଲୋକଙ୍କ ବିରୋଧ ଅଭିଯାନ । ଆଗକୁ ବ୍ରାହ୍ମଣୀ ନଦୀ କୂଳରେ ପ୍ରସ୍ତାବିତ ଇସ୍ପାତ କାରଖାନା ନିର୍ମାଣ ହେଉଛି କି ନାହିଁ ? ତାହା ଦେଖିବାକୁ ବାକି ରହିଲା ।

Latest Posts

Don't Miss