ଢ଼େଙ୍କାନାଳ ଜିଲ୍ଲା ଭୁବନ ବାରୁଆ ଛକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୨ ଅଟକ

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ବାରୁଆ ଛକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୨ ଜଣ ଅଟକ, ଗାଡ଼ି ଜବତ । ଆଉ ୩ ଜଣଙ୍କ ପରିଚୟ ପାଇଛି ପୋଲିସ । ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି । ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ ତାଙ୍କ ସ୍ବାମୀଙ୍କ ସହ ଘରକୁ ଯିବା ବେଳେ ଭୁବନ ବାରୁଆ ଛକରେ ୫ ଜଣଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଗତକାଲି ଅଭିଯୋଗ ହୋଇଥିଲା ।  ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି, ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟ ଆସିନାହିଁ । ତେବେ ଗଣଦୁଷ୍କର୍ମ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ଖୁବ୍ ଶୀଘ୍ର ଅନ୍ୟ ୩ଜଣଙ୍କୁ ଗିରଫ କରାଯିବ । ଛାତ୍ରୀ ଓ ଯୁବକ ରେଜିଷ୍ଟ୍ରି ବିବାହ କରିଛନ୍ତି । ବାହାଘର ବୈଦିକ ରୀତିନୀତିରେ ହୋଇ ନାହିଁ  । ଗଣଦୁଷ୍କର୍ମ ଅଭିଯୁକ୍ତ ଆଉ ତିନିଜଣଙ୍କୁ ଧରିବା ପାଇଁ ତନାଘନା ଜାରି ରହିଥିବା ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି ।

ସୂଚନା ଥାଉକି, ଢେଙ୍କାନାଳ ଜିଲ୍ଲା ଭୁବନ ବାରୁଆ ଅଞ୍ଚଳରେ କଲେଜ ପଢୁଆ ବିବାହିତା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ସ୍ବାମୀ ଆଗରେ ୫ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । କଲେଜ ଛୁଟି ପରେ ନିଜ ଘର କାଳିଆପାଣିକୁ ସ୍ବାମୀ ସହିତ ଯାଉଥିବା ବେଳେ କାଜୁ ଜଙ୍ଗଲରେ ୫ ଜଣ ବଳପୂର୍ବକ ଦୁଷ୍କର୍ମ କରିଥିବା ପୀଡ଼ିତା ଭୁବନ ଥାନାରେ ଅଭିଯୋଗ କରିଥିଲେ । ଭୁବନ ପୋଲିସ ମାମଲା ରୁଜୁ କରି ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଛାତ୍ରୀଙ୍କୁ କାଜୁ ଜଙ୍ଗଲରେ ଦୁଷ୍କର୍ମ ସହିତ ଅଭିଯୁକ୍ତମାନେ ତାଙ୍କ ସ୍ଵାମୀଙ୍କଠାରୁ ଟଙ୍କା ଓ ମୋବାଇଲ ଫୋନ ଛଡ଼ାଇ ନେଇଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରାଯାଇଛି ।