ରେଳ ଧାରଣା କଡ଼ରେ ପଡ଼ିଛି ବିଡ଼ା ବିଡ଼ା ୫ଶହ ଓ ୨ହଜାର ଟଙ୍କିଆ ନୋଟ୍

ତାମିଲନାଡ଼ୁ: ରେଳ ଧାରଣା କଡ଼ରେ ପଡ଼ିଛି ବିଡ଼ା ବିଡ଼ା ନୋଟ । ତାମିଲନାଡ଼ୁର ଧର୍ମପୁରୀରେ ରେଳ ଧାରଣା କଡ଼ରେ ୫ଶହ ଓ ୨ହଜାର ଟଙ୍କିଆ ନୋଟ୍ ବିଛେଇ ହୋଇପଡ଼ିଛି । ଏ ନେଇ ପୋଲିସ ଖବର ପାଇବା ପରେ ସବ୍ ଇନ୍ସପେକ୍ଟର ଭେଙ୍କେଟଚଲମଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଚଳାଇଛି ।

ଘଟଣାନୁଯାୟୀ, ରେଳ ଅଧିକାରୀ ରାମକୁମାର ସଲେମ୍ ରେଳ ଲାଇନ୍ ଉପରେ ଥୋପପୁର ନିକଟରେ ଟ୍ରେନ୍ ଟ୍ରାକ୍ ଯାଞ୍ଚ କରୁଥିଲେ । ଏହି ସମୟରେ ଠିକ୍ ରେଳ ଧାରଣା କଡ଼ରେ ୨ହଜାର ଏବଂ ୫ଶହ ଟଙ୍କିଆ ନୋଟ୍ ବିଛେଇ ହୋଇପଡ଼ିଥିବା ଦେଖିବାକୁ ପାଇଥିଲେ । ଏତେ ଗୁଡ଼ିଏ ଟଙ୍କା ଦେଖି ସେ ପ୍ରଥମେ ଚମକି ପଡ଼ିଥିଲେ । ତେବେ ଟିକେ ନିରିଖେଇ ଦେଖିବା ପରେ ଏହି ନୋଟ୍ ମଧ୍ୟରେ କାର୍ଟୁନ ଛବି ଥିବା ଜାଣିବାକୁ ପାଇଥିଲେ ।

ତେବେ ଏ ନେଇ ପରେ ସେ ସ୍ଥାନୀୟ ପୋଲିସକୁ ଅବଗତ କରାଇଥିଲେ । ତେବେ ନୋଟ୍ ବଣ୍ଡଲକୁ ଏକ ବଡ଼ ବକ୍ସ ମଧ୍ୟରେ ରଖାଯାଇ ଫୋପାଡ଼ାଯାଇଥିବାରୁ ସନ୍ଦେହ ଉପୁଜୁଛି । ଏଣୁ ପୋଲିସ ଏହାକୁ ନେଇ ତଦନ୍ତ ଜୋରଧାର କରିଛି । ଏହା କେଉଁ ଉଦ୍ଦେଶ୍ୟରେ ନିଆଯାଉଥିଲା ଏବଂ କାହିଁକି ଏହାକୁ ଫୋପାଡ଼ା ଗଲା ଏନେଇ ପୋଲିସ ପଚରାଉଚରା ମଧ୍ୟ ଆରମ୍ଭ କରିଦେଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ନିମ୍ନଗାମୀ କରୋନା ସଂକ୍ରମଣ: ଆଉ ୭୭୯ ସଂକ୍ରମିତ ଚିହ୍ନଟ

Leave a Reply