କିଏ ଜିତିବ ? ସରଗରମ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ

1 min read

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ପାଇଁ ସରଗରମ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ । ଏଠାରେ ଏଥର ତ୍ରିମୁଖୀ ଲଢ଼େଇ ହେଉଛି । ୨ ହଜାର ମସିହାରୁ ବିଜେଡିର ଗଡ଼ ରହିଆସିଥିବା ଧର୍ମଗଡ଼ରେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି । ତେବେ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ? ଭୋଟରଙ୍କ ମତ- ବିକାଶ ଯେଉଁଠି, ଭୋଟ୍ ସେଇଠି।

ଜମୁଛି ପ୍ରଚାର। ଧର୍ମଗଡ଼ରେ ତିନି ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି । ଧର୍ମଗଡ଼ ବ୍ଲକର ୨୪ଟି ପଞ୍ଚାୟତ, କୋକସରା ବ୍ଲକର ୨୨, କଲମପୁର ବ୍ଲକର ୧୧, ଜୟପାଟଣା ବ୍ଲକର ୪ଟି ପଞ୍ଚାୟତ ଏବଂ ଧର୍ମଗଡ଼ ଏନଏସିକୁ ନେଇ ଧର୍ମଗଡ଼ ନିର୍ବାଚନମଣ୍ଡଳୀ ଗଠିତ । ଏଠାରେ ଭୋଟର ସଂଖ୍ୟା ୨ ଲକ୍ଷ ୫୬ ହଜାର ୭୭ । ଏମାନଙ୍କ ମଧ୍ଯରେ ପରୁଷ ୧ ଲକ୍ଷ ୩୧ ହଜାର ୫୮୭, ମହିଳା ୧ ଲକ୍ଷ ୨୪ ହଜାର ୪୮୪ ଓ  ତୃତୀୟ ଲିଙ୍ଗୀ ଭୋଟର ମାତ୍ର ୬ ଜଣ ଅଛନ୍ତି । ଧର୍ମଗଡ଼ରେ ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ । ବିଜେପି ପକ୍ଷରୁ ସୁଧୀର ପାାଟ୍ଟଯୋଶୀ ଓ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ରଶ୍ମିରେଖା ରାଉତ । ସମସ୍ତେ ଜୋରଦାର ପ୍ରଚାର କରୁଛନ୍ତି।

୨୦୦୦ ମସିହାରେ ବିଜେଡି- ବିଜେପି ମେଣ୍ଟ ସମୟରେ ବିଜେଡି ପ୍ରାର୍ଥୀ ବୀର ସିପ୍ପକା ୨୯ ହଜାର ୨୭୬ ଭୋଟ ପାଇ ବିଜୟୀ ହୋଇଥିଲେ । ୨୦୦୪ରେ ୫୨ ହଜାର ୨୭୬ ଭୋଟ ପାଇ ପୁଣି ଜିତିଥିଲେ ବିଜେଡି ପ୍ରାର୍ଥୀ ବୀର ସିପ୍ପକା । ୨୦୦୯ ମସିହାରେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ପୁଷ୍ପେନ୍ଦ୍ର ସିଂହଦେଓ, କଂଗ୍ରେସରୁ ରାହାସ ବିହାରୀ ବେହେରା ଓ ବିଜେପିରୁ ଜନାର୍ଦ୍ଦନ ପଣ୍ଡା । ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ୫୬ ହଜାର ୪୭୦ ଭୋଟ ପାଇ ବିଜୟୀ ହୋଇଥିଲେ । ୨୦୧୪ ମସିହାରେ ୫୯ ହଜାର ୯୩୧ ଖଣ୍ଡ ପାଇ ପୁଣି ଜିତିଥିଲେ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ।

କଂଗ୍ରେସ ପ୍ରାର୍ଥୀ ତୁଷାର ରଞ୍ଜନ ପଟ୍ଟଯୋଶୀ ପାଇଥିଲେ ୩୫ ହଜାର ୫୭୯ ଭୋଟ୍ ଓ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ପଟ୍ଟଯୋଶୀଙ୍କୁ ୪୩ ହଜାର ୭୭୩ ଭୋଟ ମିଳିଥିଲା । ୨୦୧୯ରେ ବିଜେଡି ପ୍ରାର୍ଥୀ ମୌଷଧି ବାଗ ୬୮ ହଜାର ୨୯୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ଅନନ୍ତ ପ୍ରତାପ ଦେଓ ୫୨ ହଜାର ୧୯୩ ଓ କଂଗ୍ରେସ ପ୍ରାର୍ଥୀ ଦିଗମ୍ବର ଦୁରିଆ ୪୨ ହଜାର ୫୯୩ ଖଣ୍ଡ ଭୋଟ ପାଇଥିଲେ । ୨ ହଜାର ମସିହାରୁ ଧର୍ମଗଡ଼ ବିଜେଡିର ଗଡ଼ ଭାବେ ପରିଚିତ । ରାଜ୍ଯ ସରକାରଙ୍କ ପକ୍ଷରୁ ଧର୍ମଗଡ଼ରେ ବହୁ ବିକାଶ ହୋଇଛି । ବଡ଼ ପାନୀୟଜଳ ପ୍ରକଳ୍ପ ସହ ଆଇଟିଆଇ, ଇନଡୋର ଷ୍ଟାଡିୟମ ଓ ସ୍କୁଲ ଓ କଲେଜର ହୋଇଛି ରୂପାନ୍ତରଣ । ବିଭିନ୍ନ ପର୍ଯ୍ଯଟନସ୍ଥଳୀର ହୋଇଛି ବିକାଶ । ବିକାଶକୁ ଭୋଟର ଗୁରୁତ୍ବ  ଦେଉଛନ୍ତି।