ଚାଷ ଭଲ ସହ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ଆଦିବାସୀଙ୍କ ଡଙ୍ଗର ଯାତ୍ରା

1 min read

ଧର୍ମଗଡ : ଆଦିବାସୀଙ୍କ ଡଙ୍ଗର ଯାତ୍ରା । କାହିଁ କେଉଁ କାଳରୁ ପାଳନ ହୋଇ ଆସୁଛି । ଦୈବୀ ଶକ୍ତି ଉପରେ ଅଗାଢ ବିଶ୍ୱାସ କରୁଥିବା ଆଦିମ ଆଦିବାସୀ ମାଟି ମାଆ ଓ ଜଙ୍ଗଲ ଜମି ଓ ଚାଷ ବାସକୁ ନେଇ କୃଷି ଭିତ୍ତିକ ପର୍ବ ଡଙ୍ଗର ଯାତ୍ରା ପାଳନ କରନ୍ତି  l ଯେକୌଣସି ରୋଗ ବ୍ୟାଧି ଦୂର କରିବା ପାଇଁ ହେଉ ଅବା ଭଲ ଚାଷ ପାଇଁ ଏମାନେ ଡଙ୍ଗର ଯାତ୍ରା ମାଧ୍ୟମରେ ଠାକୁରାଣୀଙ୍କର ପୂଜା କରନ୍ତି । ବିଶେଷ କରି ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ଏସବୁ ପର୍ବ ପାଳିତ ହେଉଥିଲେ ବି କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳ ଗୋତୋମୁଣ୍ଡାର ଏହି ଯାତ୍ରା ନିଆରା  l ଗାଁ ରୁ ତିନି କିମି ଦୂରରେ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏହି ଯାତ୍ରା ହୋଇଥାଏ ।

ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ ବାର ମାସରେ ତେର ପର୍ବ ପାଳିତ ହୁଏ । ଅଖି ତୃତୀୟାରେ ବିହନ ଯାତ୍ରା ହେଉଥିବା ବେଳେ ରୁଆ ବେଉଷଣ ଶେଷରେ ଚାଷ ବାସ ଭଲ ଓ ଗାଁରୁ ରୋଗ ବ୍ୟାଧି ଦୂର ପାଇଁ ଆଷାଢ଼ ମାସରେ ବୋହୋଲେନ୍ ଯାତ୍ରା । ପରେ ଭଲ ଫସଲ ସାଙ୍ଗକୁ ବର୍ଷା ଓ ଚାଷ ବାସରେ ଯେମିତି ରୋଗପୋକ ନହେବ ଶ୍ରାବଣ ପୂର୍ଣ୍ଣିମା ପରେ ପାଳନ ହୁଏ ଡଙ୍ଗର ଯାତ୍ରା  l କାହିଁ ଆବାହମାନ କାଳରୁ ଚାଲି ଆସୁଥିବା ଏହି ପର୍ବରେ ଗ୍ରାମ୍ୟ ଦେବା ଦେବୀ ପୂଜା ପାଉଛନ୍ତି । ମାନସିକ ଧାରୀ କୁକୁଡ଼ା ପାରା ଓ ବୋଦା ବଳି ଦେଇ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ପ୍ରସ୍ତୁତ ହୋଇ ଥାଆନ୍ତି  l ଡଙ୍ଗର ଯାତ୍ରା ଚାଷ ବାସର ପର୍ବ ତାହା ନୁହେଁ ଏହି ପର୍ବ ଭାଇଚାରା ଆଣିଦିଏ ।