ଧର୍ମଗଡ : ସଙ୍କଟରେ ମକା ଚାଷୀ । ବିକ୍ରିବଟା ସମସ୍ୟାରୁ ଅଭାବୀ ବିକ୍ରିର ହେଉଛନ୍ତି ଶିକାର । ମିଳୁନି ସରକାରୀ ପ୍ରୋତ୍ସାହନ । ଧାନ କପା ପରେ କଳାହାଣ୍ଡି ଜିଲ୍ଲାର ଅନନ୍ୟ ଅର୍ଥକାରୀ ଫସଲ ହେଉଛି ମକା । ଧର୍ମଗଡ ଓ କୋକସରା ବ୍ଲକର ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ରହୁଥିବା ଅନେକ ଆଦିବାସୀ ମକା ଚାଷ କରି ପରିବାର ଚଳାନ୍ତି । ହେଲେ ଅଞ୍ଚଳରେ ମଣ୍ଡି ବ୍ୟବସ୍ଥା ନଥିବାରୁ ଏମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।…
ଶତାଧିକ ଚାଷୀ ମହାଜନ ଠାରୁ ଧାର ଉଧାର କରି ୨୫ ଶହରୁ ଉର୍ଦ୍ଧ୍ଵ ଏକର ଜମିରେ ମକା ଚାଷ କରିଛନ୍ତି । ହେଲେ ଅମଳ ସମୟରେ ଚାଷୀଙ୍କୁ ପରିଶ୍ରମ ମୁତାବକ ଫଳ ମିଳୁନାହିଁ । ମଣ୍ଡି ବ୍ୟବସ୍ଥା ନଥିବାରୁ ଋଣ ସୁଝିବା ଚିନ୍ତାରେ ଦଲାଲଙ୍କ ଶିକାର ହେଉଛନ୍ତି । ମକା କୁଇଣ୍ଟାଲ ପିଛା ୧୫ ଶହରୁ ୧୭ ଶହ ଟଙ୍କାରେ ବିକ୍ରି କରିଦେଇଛନ୍ତି । ଜଙ୍ଗଲ ଜମି ଅଧିକାର ବଳରେ ପାହାଡି ଅଞ୍ଚଳର ଚାଷୀ ମାନେ ମକା ଚାଷ କରୁଛନ୍ତି । ପୂର୍ବ ସରକାର ସମୟରେ ଏଠାକାର ମକା ରାଜ୍ୟ ବାହାରକୁ ରପ୍ତାନୀ ହେଉଥିଲା । ଚାଷୀ କୁଇଣ୍ଟାଲ ପିଛା ୨ ହଜାର ଟଙ୍କାରେ ମକା ବିକ୍ରି କରୁଥିଲେ । ଏବେ କୃଷି ବିଭାଗର ଅଣଦେଖା କରୁଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ ହୋଇଛି ।

