ବାଧକ ସାଜି ପାରିଲାନି କରୋନା, ପୁଅର ପରୀକ୍ଷା ପାଇଁ ୧୦୫ କି.ମି ସାଇକେଲରେ ପହଂଚିଲା ବାପା

ଧାର: ବାପାମାଆ ସବୁବେଳେ ପିଲା ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ପିଲାମାନେ କିଭଳି ଅତି ସୁବିଧାରେ ନିଜ ଜୀବନର ଲକ୍ଷ୍ୟକୁ ହାସଲ କରିପାରିବେ ସେଥିପ୍ରତି ଯତ୍ନବାନ ହୋଇଥାନ୍ତି । ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ସେସବୁକୁ ପଛରେ ପକାଇ ନିଜ ପିଲାର ଭବିଷ୍ୟତ ଗଢିବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥାନ୍ତି । ନିକଟରେ ସାମ୍ନାକୁ ଆସିଛି ସେହିଭଳି ଏକ ନିଆରା ଦୃଶ୍ୟ । ତାହା ପୁଣି ଜଣେ ଶ୍ରମିକର କାହାଣୀ । ଜଣେ ଅସହାୟ ବାପା କିଭଳି ନିଜ ପୁଅକୁ ପରୀକ୍ଷା କେନ୍ଦ୍ରରେ ପହଂଚାଇବା ପାଇଁ ୧୦୫ କିଲୋମିଟର ରାସ୍ତା ସାଇକେଲରେ ଅତିକ୍ରମ କରିଛନ୍ତି ତାହା ଚର୍ଚ୍ଚାର ବିଷୟ ସାଜିଛି । ତେବେ କରୋନା ମହାମାରୀ କାରଣରୁ ସମସ୍ତ ଯାତ୍ରୀବାହୀ ଯାନବାହାନ ଚଳାଚଳ ବନ୍ଦ ଥିବାରୁ ଶ୍ରମିକ ସୋଭାରାମ  ଏଭଳି ପଦକ୍ଷେପ ନେଇଛନ୍ତି ।

୩ ଦିନରେ ୩ଟି ପରୀକ୍ଷା

ସୋଭାରାମ, ଧାର ଜିଲ୍ଲା ମୁଖ୍ୟାଳୟରୁ ୧୦୫ କିଲୋମିଟର ଦୂର ବୟଡିପୁରା ଗାଁରେ ରୁହନ୍ତି । ତାଙ୍କ ପୁଅ ଆଶିଷ୍ ଦଶମ ଶ୍ରେଣୀର ଛାତ୍ର । ଏବେ ଦଶମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ଚାଲିଛି । ଆଶିଷକୁ ପରୀକ୍ଷା ଦେବା ପାଇଁ ଜିଲ୍ଲା ମୁଖ୍ୟାଳୟ ଧାର ଠାରେ ପହଂଚିବାର ଥିଲା । କିନ୍ତୁ ଯିବାଆସିବା କରିବା ପାଇଁ ସମସ୍ତ ଯାନବାହନ ବନ୍ଦ ଥିବାରୁ ତା’ ନିକଟରେ ସାଇକେଲ ବ୍ୟତୀତ କୌଣସି ବିକଳ୍ପ ନଥିଲା । ପରୀକ୍ଷା କେନ୍ଦ୍ରରେ ପହଂଚିବା ପାଇଁ ଯାତାୟତର କୌଣସି ସୁବିଧା ନମିଳିବାରୁ ଆଶିଷର ବାପା ସୋଭାରାମ ଆଶିଷକୁ ସାଇକେଲରେ ନେଇ ସେଠାରେ ପହଂଚିବା ପାଇଁ ନିଷ୍ପତ୍ତି ନେଲେ । ଏହାପରେ ଧାର ପାଇଁ ବାହାରିଗଲେ ସୋଭାରାମ ଓ ପୁଅ ଆଶିଷ୍ । ଯିବା ସମୟରେ ରାତି ହୋଇଯିବାରୁ ମାଣ୍ଡୁରେ ଦୁଇଜଣ ବିଶ୍ରାମ କଲେ । ତା ପରଦିନ ଠିକ ସମୟରେ ପରୀକ୍ଷା କେନ୍ଦ୍ରରେ ପହଂଚିବା ପାଇଁ ଦୁଇଜଣ ବାହାରିଗଲେ । ଜଣେ ଗରିବ ବାପାର କଷ୍ଟ କିଭଳି ଅସଫଳ ହୋଇଥାନ୍ତା? ଠିକ ସମୟରେ ଦୁଇଜଣ ସେଠାରେ ପହଂଚିଲେ ଏବଂ ଆଶିଷ ପରୀକ୍ଷା ମଧ୍ୟ ଦେଇ ପାରିଲା । ତା’ ପରଦିନ ପୁଣିଥରେ ପରୀକ୍ଷା ଥିବାରୁ ଦୁଇଜଣ ଷ୍ଟାଡିୟମରେ ଶୋଇ ଯାଇଥିଲେ । ତେବେ ସାଙ୍ଗରେ ନେଇ ଯାଇଥିଲେ ତିନିଦିନର ଖାଦ୍ୟ ସାମଗ୍ରୀ । ଏହିଭଳି ଭାବରେ ସେଠାରେ ୩ ଦିନ ପର୍ଯ୍ୟନ୍ତ ରହି ପରୀକ୍ଷା ଦେଲା ଆଶିଷ ଏବଂ ପରୀକ୍ଷା ଶେଷ ହେବା ପରେ ଦୁଇଜଣ ପୁଣିଥରେ ଗରିବର ସାହା ଭରସା ସେଇ ସାଇକେଲ ମାଧ୍ୟମରେ ଗାଁକୁ ଫେରିଲେ ।

Leave a Reply