ମଥୁରାରେ ଶ୍ଯାମେଶ୍ବର ମହାଦେବଙ୍କୁ ଦର୍ଶନ କରିବେ ମହାରାଜା କଂସ
ନନ୍ଦିଘୋଷ ବ୍ୟୁରୋ: କଂସର ଅଟ୍ଟହାସ୍ଯରେ କମ୍ପୁଛି ମଥୁରା ନଗରୀ । ଆଜି ବରଗଡ଼ ଧନୁଯାତ୍ରାର ତୃତୀୟ ଦିନ । ମଥୁରାରେ ଶ୍ଯାମେଶ୍ବର ମହାଦେବଙ୍କୁ ଦର୍ଶନ କରିବେ ମଥୁରା ଅଧିପତି ମହାରାଜା କଂସ । ଏହାପରେ କାରାଗୃହରେ ପ୍ରବେଶ କରି ଶିଳାରେ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନକୁ ହତ୍ଯା କରିବାକୁ ଯିବାପରେ ଦେବୀବାଣୀ ହେବ । କୃଷ୍ଣ ଜନ୍ମପରେ ଉତ୍ସବମୁଖର ହୋଇଛି ଗୋପପୁର ସାଜିଥିବା ଅମ୍ବାପାଲୀ । ଗୋପରେ ତାଙ୍କ ଶତ୍ରୁ ବଢୁଥିବା ବିଜୁଳିକନ୍ଯାଙ୍କ ସୂଚନା ପରେ ରାଜ ଦରବାରରେ ନିଜ ପାତ୍ରମନ୍ତ୍ରୀଙ୍କ ସହ ମନ୍ତ୍ରଣା କରିବେ କଂସାସୁର। ନାରଦଙ୍କ ଉପଦେଶ ପରେ ପୁତନା ଓ ଷଢମଲ୍ଲକୁ ଆବାହନ କରି ଗୋପପୁର ପ୍ରେରଣ କରିବେ।
କଂସର ଅଟ୍ଟହାସ୍ଯରେ କମ୍ପୁଛି ମଥୁରା ନଗରୀ । ଉଗ୍ରସେନଙ୍କୁ ସିଂଘାସନରୁ ହଟାଇ ମଥୁରାର ରାଜା ହୋଇଛନ୍ତି ଯୁବରାଜ କଂସ । ବରଗଡ଼ରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚର ଦ୍ୱିତୀୟ ଦିବସରେ ନଗର ଭ୍ରମଣ କରିଛନ୍ତି ମହାରାଜ କଂସ । ନିୟମ ଖିଲାପକାରୀ ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରିଛନ୍ତି । ମଥୁରାବାସୀଙ୍କ ମନୋରଞ୍ଜନ ପାଇଁ ମହାରାଜା କଂସ ରଙ୍ଗମହଲ ଉଦଘାଟନ କରିଛନ୍ତି । ଉଭୟ ରାଜଦରବାର ଓ ରଙ୍ଗମହଲରେ କଂସ ମହାରାଜଙ୍କ ମନୋରଞ୍ଜନ ପାଇଁ ବରଗଡ଼, ପୁରୀ, ଖୋର୍ଦ୍ଧା, ବଲାଙ୍ଗୀର, ସମ୍ବଲପୁର, ଗଞ୍ଜାମ ଏବଂ କୋଲକାତା କଳାକାର ନୃତ୍ୟ ପରିବେଷଣ କରିଥିଲେ । ମହାମନ୍ତ୍ରୀ ସାର୍ତ୍ତକୀଙ୍କୁ ରଙ୍ଗମହଲର ଦାୟିତ୍ୱ ଦେଇ ମହାରାଜ କଂସ ରାଜଦରବାରକୁ ଫେରି ଆସିଥିଲେ । ମାତା ଇନ୍ଦୁମତୀଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ଦୁର୍ମିଳା ରାକ୍ଷସକୁ ହତ୍ୟା କରିଛନ୍ତି । ନିଜ ସୁରକ୍ଷା ପାଇଁ ଚାଣ୍ଡୁର ମୁଷ୍ଟିକକୁ ଆବାହନ କରିଛନ୍ତି ମହାରାଜ କଂସ ।
ବରଗଡ଼ ଧନୁଯାତ୍ରାର ଦ୍ବିତୀୟ ଦିନରେ ଶୂନ୍ଯବାଣୀ ପରେ ଦେବକୀ ଓ ବସୁଦେବକୁ କାରାଗାରରେ ବନ୍ଦି କରି ରଖିଛନ୍ତି ମହାରାଜା କଂସ । ପିତା ଉଗ୍ରସେନକୁ ରାତ୍ରି ଜଗୁଆଳି ରୂପେ କାର୍ଯ୍ୟଭାର ଦେଇଛନ୍ତି । କଡ଼ା ସୁରକ୍ଷା ସତ୍ଵେ କାରାଗାରରେ ଜନ୍ମ ନେଇଛନ୍ତି ଶ୍ରୀକୃଷ୍ଣ । ଆଉ ବସୁଦେବ ତାଙ୍କୁ ଯମୁନା ରୂପକ ଜିରା ନଦୀ ପାର କରି ନନ୍ଦଙ୍କ ଘରେ ଛାଡ଼ି ବିଜୁଳିକନ୍ଯାକୁ ଆଣିଛନ୍ତି । ଶ୍ରୀକୃଷ୍ଣଙ୍କୁ ଧରି ବାସୁଦେବ ଗୋପପୁର ବିଜେ କରିବା ସମୟରେ ମହାରାଜ କଂସଙ୍କ କଟୁଆଳ ସାଜିଥିବା ଉଗ୍ରସେନ ବାସୁଦେବଙ୍କ ପଥ ଓଗାଳି ଥିଲେ । ଶ୍ରୀକୃଷ୍ଣଙ୍କ ଠାରେ ଭଗବାନ ବିଷ୍ଣୁଙ୍କ ରୂପ ଦେଖି ବାସୁଦେବଙ୍କ ପଥ ଛାଡ଼ିଦେଇଥିଲେ ।
ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜିର ତୃତୀୟ ଦିନରେ ମହାରାଜ କଂସଙ୍କ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ, ବିଜୁଳି କନ୍ୟାଙ୍କୁ ଶିଲାରେ ପ୍ରହାର, ଦୈବବାଣୀ, କଂସଙ୍କ ମନ୍ତ୍ରଣା, ନାରଦଙ୍କ ଉପଦେଶ, ଶ୍ରୀକୃଷ୍ଣଙ୍କୁ ହତ୍ୟା ପାଇଁ ପୁତନା ରାକ୍ଷସୀ ଓ ସଢ଼ମଲ୍ଲଙ୍କୁ ଗୋପପୁର ପ୍ରେରଣ, ନନ୍ଦୋତ୍ସବ, ନଗର ସଙ୍କୀର୍ତ୍ତନ ସହ କୃଷ୍ଣଙ୍କ ଗୋପପୁର ଭ୍ରମଣ ଦୃଶ୍ୟ ଅଭିନୀତ ହେବ ।