ଆଉ କେତେ କନ୍ଦାଇବ ଧନୁଆଁ, ପାଣି ନୁହେଁ ଆସିଛି ଲୁହର ବନ୍ୟା

1 min read

ନିମାପଡ଼ା: ନଦୀରେ ବନ୍ୟା ଆସିଲେ, ବୁଡ଼ିଯାଏ ଦୁଇଟି ବ୍ଲକର ଅନେକ ପଞ୍ଚାୟତ । କେବଳ ବଡ଼ ବନ୍ୟା ନୁହେଁ, ପ୍ରତିବର୍ଷ ନଦୀରେ ପାଣି ଆସିଲେ ଲୋକେ ଭୋଗନ୍ତି ନାନା କଷ୍ଟ  । ଏ ଦୁଃଖ ଦିଏ ପୁରୀ ଜିଲ୍ଲା ନିମାପଡ଼ାର ଧନୁଆଁ ନଦୀ । ଗୋପ ଏବଂ ନିମାପଡ଼ା ବ୍ଲକର କିଛି ପଞ୍ଚାୟତର ଲୋକେ ଭୋଗନ୍ତି ଏମିତି ଦୁର୍ଦଶା  ।  ଏହାସହ ବାଲିଅନ୍ତା ଏବଂ ବାଲିପାଟଣା ଅଞ୍ଚଳରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜେ  ।  ଚାଷ ଜମିରେ ପାଣି ମାଡିଯାଏ  । ବର୍ଷକର ଫସଲ ପାଣିରେ ନଷ୍ଟ ହୋଇଯାଏ  । ଏମିତିକି ଲୋକେ ଦୀର୍ଘଦିନ ଧରି ବାହ୍ୟ ଜଗତରୁ ବିଛିନ୍ନ ରୁହନ୍ତି  ।

ଏବେ ହିରାକୁଦରୁ ବନ୍ୟା ପାଣି ହ୍ରାସ ଘଟିଛି କିନ୍ତୁ ଗୋପ- ନିମାପଡ଼ାର କିଛି ଅଞ୍ଚଳରେ ବନ୍ୟାଜଳ ବୃଦ୍ଧି ଘଟୁଛି  । ଏହାର ପ୍ରମୁଖ କାରଣ ହେଉଛି ଯେହେତୁ ଧନୁଆ ନଦୀ ବନ୍ୟା ଜଳ ଏବଂ କୁଶଭଦ୍ରାରେ ଭାଙ୍ଗିଥିବା ବନ୍ୟାଜଳର ମିଶ୍ରଣ ହୋଇଛି  । ତେଣୁ ଏହି ଅଞ୍ଚଳରେ ବନ୍ୟାଞ୍ଚଳ ବୃଦ୍ଧି ଘଟିବାରେ ଲାଗିଛି  । ବର୍ତ୍ତମାନ ନିମାପଡା ଓ ଗୋପ ବ୍ଲକର 150ରୁ ଉର୍ଦ୍ଧ୍ୱ ଗାଁ ଜଳବନ୍ଦୀରେ ରହିଛନ୍ତି  । ସମ୍ପୂର୍ଣ୍ଣ ଭାବେ କହିବାକୁ ଗଲେ ସେମାନେ ବାହ୍ୟ ଜଗତରୁ ବିଛିନ୍ନ ରହିଛନ୍ତି  ।

ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ନିମାପଡ଼ା ଓ ଗୋପ ବ୍ଲକର ପ୍ରାୟ ୧୮ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ବନ୍ୟାର ପ୍ରଭାବରେ ହଜାର ହଜାର ହେକ୍ଟରେ ଚାଷ ଜମିରେ ପାଣି ମାଡ଼ିଛି  । ଫଳରେ ଚଳିତ ବର୍ଷ ହୋଇଥିବା ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି  । ଚାଷକୁ ବେଉସା କରି ବଞ୍ଚୁଥିବା ଏହି ଲୋକମାନଙ୍କ ଚାଷ ଜମିରେ ପାଣି ମାଡିଯାଇଛି  । ଫଳରେ ବର୍ତ୍ତମାନ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ନାହିଁ  । ତେଣୁ କ୍ଷତିପୂରଣ ଦାବି କରିଛନ୍ତି  ।ସେପଟେ ବନ୍ୟାଜଳ ଛାଡିବା ପରେ ତୁରନ୍ତ କ୍ଷତିପୂରଣ ଆକଳନ କରାଯିବା ସହ ସ୍ୱଳ୍ପ ସମୟରେ ହେଉଥିବା ଧାନ ବିହନ ପ୍ରଦାନ କରାଯିବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ  ।